ମାଟ୍ରିକ୍ ପ୍ରଶ୍ନପତ୍ର ଅଦଳବଦଳ ପ୍ରସଙ୍ଗ: ତଦନ୍ତ ନିର୍ଦେଶ ଦେଲେ ମନ୍ତ୍ରୀ‌

ସ୍କୁଲ ପ୍ରଧାନଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌

ଭୁବନେଶ୍ବର/କଟକ : ମାଟ୍ରିକ୍ ପରୀକ୍ଷାରେ ‌ବୋର୍ଡ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଅଦଳବଦଳ ପ୍ରସଙ୍ଗକୁ ନେଇ ତନାଘନା ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ବିଭାଗୀୟ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ମଧ୍ୟ କେନ୍ଦ୍ର ସୁପରିନଟେଣ୍ଡେଣ୍ଟ୍‌ ତଥା ବୋର୍ଡ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସମସ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏଭଳି ତ୍ରୁଟି କ’ଣ ପାଇଁ ଓ କିଭଳି ହେଲା ତାହାର ଉତ୍ତର ଦେବାକୁ କୁହାଯାଇଛି। ବୋର୍ଡ ସ୍କୁଲ ରାଜ୍ୟର ଏକ ସମ୍ମାନଜନକ ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଏଭଳି ତ୍ରୁଟିକୁ ସହଜରେ ଗ୍ରହଣ କରାଯାଇ ନ ପାରେ। କାରଣ ଦର୍ଶାଅ ନୋଟିସ୍‌ର ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଗତକାଲି ବୋର୍ଡ ସ୍କୁଲର ପ୍ରତିଷ୍ଠା ଦିବସ ଥିବାରୁ ପ୍ରଧାନଶିକ୍ଷକ ତଥା କେନ୍ଦ୍ର ସୁପରିନଟେଣ୍ଡେଣ୍ଟ ସ୍କୁଲର ପ୍ରତିଷ୍ଠା ଦିବସ ଆୟୋଜନରେ ବ୍ୟସ୍ତ ଥିବାରୁ ପରୀକ୍ଷା ପରିଚାଳନା ପ୍ରତି ଗୁରୁତ୍ବ ଦେଇ ନଥିବା ଅଭିଯୋଗ ହେଉଛି। ତ୍ରୁଟିର ଶିକାର ହୋଇଥିବା ପରୀକ୍ଷାର୍ଥୀଙ୍କ ପ୍ରତି ବୋର୍ଡ କି ପ୍ରକାର ନ୍ୟାୟ ବ୍ୟବସ୍ଥା କରିବ ତାହାକୁ ନେଇ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଗତକାଲି ବୋର୍ଡ ହାଇସ୍କୁଲର ୬୩ତମ ପ୍ରତିଷ୍ଠା ଦିବସ ଥିଲା ଓ ପରୀକ୍ଷା ପରେ ନିରାଡ଼ମ୍ବର ଭାବେ ଏହି ଉତ୍ସବ ପାଳିବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ବୋର୍ଡ ସ୍କୁଲ ପ୍ରଧାନଶିକ୍ଷକ ପରୀକ୍ଷା ଉପରେ ନଜର ନଦେଇ ସମାରୋହ, ପତ୍ରିକା ଉନ୍ମୋଚନ ଆଦି ଉପରେ ଧ୍ୟାନ ଦେଇଥିବାରୁ ଏଭଳି ଘଟିଥିବା କୁହାଯାଉଛି। ଏଭଳି ଘଟଣା ସତ୍ତ୍ବେ ଅପରାହ୍‌ଣରେ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହୋଇଥିଲା। ଏ ସଂକ୍ରାନ୍ତରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ ପ୍ରଶ୍ନପତ୍ର ଅଦଳବଦଳ ପ୍ରସଙ୍ଗରେ ବୋର୍ଡ ସ୍କୁଲ କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କୁ କାରଣ ଦର୍ଶାଅ ଚିଠି ପଠାଯାଇଛି। ଘଟଣାର ତଦନ୍ତ ଚାଲିଛି। ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ବୋର୍ଡ ପକ୍ଷରୁ ଚାଲିଥିବା ଅଫ୍‌ଲାଇନ୍ ମାଟ୍ରିକ୍ ପରୀକ୍ଷାର ଆଜି ସାମାଜିକ ବିଜ୍ଞାନ ବିଷୟରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ୩ଜଣ ପିଲାଙ୍କୁ ମାଲ୍‌ପ୍ରାକ୍ଟିସ କରାଯାଇଛି।

ସମ୍ବନ୍ଧିତ ଖବର