ବି.ଟେକ୍‌ ଛାତ୍ରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମାଟ୍ରିକ୍‌ ଛାତ୍ରୀ

ରେଢ଼ାଖୋଲ: ଜଣେ ବି. ଟେକ୍‌ ଛାତ୍ରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରୀ। ସଂପୃକ୍ତ ଛାତ୍ରଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ସେ ହେଲେ ରେଢ଼ାଖୋଲ ଥାନା ଦଲକି ଗ୍ରାମର ଭୀଷ୍ମ ପଲେଇ (୨୩)। ଅଭିଯୋଗ ଅନୁଯାୟୀ, ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ଛାତ୍ରୀ ଚଳତି ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଗତ ୬ ତାରିଖ ଦିନ ସେ ଘରେ ଏକା ଥିବା ବେଳେ ଯୁବକ ଜଣକ ବଳପୂର୍ବକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣା ସଂର୍ପକରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ କହିଥିଲେ। ତେବେ ସେ ମାଟ୍ରିକ ପରୀକ୍ଷା ଦେଉଥିବାରୁ ସଙ୍ଗେ ସଙ୍ଗେ ଅଭିଯୋଗ କରି ନଥିଲେ।

ପରୀକ୍ଷା ଦେଇ ଫେରିବା ପରେ ଯୁବତୀଙ୍କ ପରିବାର ପକ୍ଷରୁ ଶନିବାର ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଛି। ଆସନ୍ତାକାଲି ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉ କି ଛାତ୍ରୀଙ୍କ ବାପା, ମା’ ତାଙ୍କ ସାନ ପୁଅର ଦେହ ଅସୁସ୍ଥ ଥିବାରୁ ଡାକ୍ତରଖାନାକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଯୁବକ ଜଣକ ଏଭଳି କାଣ୍ତ ଭିଆଇଥିବା ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର