କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକର ଏକ ସରକାରୀ ଅନୂସୁଚିତ ଜାତି ଓ ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ମାମଲାରେ ମଂଗଳ ବିଭାଗ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ଅଭିଯୁକ୍ତ ଶିକ୍ଷକ ଦୀପକ ନାୟକକୁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ହଷ୍ଟେଲ ଦାୟିତ୍ୱରେ ଥିବା ସହକାରୀ ସୁପରିଟେଣ୍ଡେଣ୍ଟ ଶୋଭାବତୀ ନାୟକଙ୍କୁ ମଧ୍ୟ ଚାକିରିରୁ ନିଲମ୍ବିତ କରାଯାଇଥିବାର ଜଣାପଡ଼ିଛି। ଏଥି ସହିତ ମେଟ୍ରନ୍ ସୁନୀତା ମହାକୁଡ଼ଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜିଲ୍ଲା ମଂଗଳ ଅଧିକାରୀ ଶ୍ରୀନିବାସ ଅଚାରୀ ସମ୍ବାଦକୁ କହିଛନ୍ତି।
ଏ ସଂପର୍କରେ ଜିଲ୍ଲା ମଂଗଳ ଅଧିକାରୀଙ୍କ ନେତୃତ୍ୱରେ ଏକ ୩ଜଣିଆ କମିଟି ଘଟଣା ପରଦିନ ବିଦ୍ୟାଳୟକୁ ଯାଇ ତଦନ୍ତ କରି ଫେରିବାପରେ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାରେ ସତ୍ୟତା ରହିଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି ଜିଲ୍ଲା ମଂଗଳ ଅଧିକାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣା ଦିନ ରାତି ସାଢ଼େ ୯ଟାରେ ଅଭିଯୁକ୍ତ ଶିକ୍ଷକ ୩ଜଣ ଛାତ୍ରୀକୁ ନିଜ ରୁମକୁ ଡ଼ାକି ଥିଲେ। ତେବେ ଦୁଇଜଣ ଛାତ୍ରୀକୁ ସେଠାରୁ ସେ ପଳାଇଯିବାକୁ କହିଥିଲେ। କେବଳ ପୀଡ଼ିତା ଛାତ୍ରୀକୁ ନିଜ ରୁମରେ ରଖି ଶିକ୍ଷକଙ୍କ ମଦ ଓ ସିଗାରେଟ ପିଇ ଏପରି କାଣ୍ଡ କରିଥିବାର ଜଣାପଡ଼ିଥିଲା।
ଘଟଣା ଜଣାପଡ଼ିବା ପରେ ମେଟ୍ରନ ଛାତ୍ରୀ ଜଣଙ୍କୁ ସେହି ରାତିରେ ନିଜ ପାଖରେ ଆଣି ରଖିଥିଲେ। ଅଭିଯୁକ୍ତ ଶିକ୍ଷକ ପୁଣି ସେହି ରାତିରେ ଛାତ୍ରୀନିବାସକୁ ଯାଇ ତାକୁ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇ ନଥିଲେ। ସକାଳେ ଘଟଣା ସଂପର୍କରେ ପରିବାର ଲୋକକୁ ଖବର ଦିଆଯାଇଥିଲା। ଖବର ପାଇବା ପରେ ପରିବାର ଓ କିଛି ଗାଁ ଲୋକ ବିଦ୍ୟାଳୟକୁ ଆସି ହୋହାଲା କରିଥିଲେ।
ଏ ସଂପର୍କରେ ପୁଲିସକୁ ଖବର ଦେବାପରେ ପୁଲିସ ଅଭିଯୁକ୍ତ ଶିକ୍ଷକକୁ ଥାନାକୁ ନେଇ ପଚରାଉଚରା କରିଥିଲା। ଏ ସଂପର୍କରେ ପୀଡ଼ିତାଙ୍କ ବଡ଼ବାପା ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଉଭୟଙ୍କୁ ଡ଼ାକ୍ତରୀ ମାଇନା କରାଯିବା ପରେ ୩ ତାରିଖ ଦିନ ଅଭିଯୁକ୍ତ ଶିକ୍ଷକ ଦୀପକ ନାୟକକୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡ଼ିଛି। ତେବେ ଏକ ଛାତ୍ରୀନିବାସରେ ରାତିରେ ପୁରୁଷ ଲୋକକୁ ରହିବାକୁ କାହିଁକି ଅନୁମତି ଦିଆ ଯାଉଛି ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।