କାଳବୈଶାଖୀର ପ୍ରଭାବ: ବଜ୍ରାଘାତରେ ମାମୁ ମୃତ ଓ ଭଣଜା ଗୁରୁତର, ଜଳିଗଲା ୭ ବଖରା ଘର

ଚାନ୍ଦବାଲି: କାଳବୈଶାଖୀର ପ୍ରଭାବ ଯୋଗୁଁ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ମୃତକଙ୍କ ଭଣଜାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚୁଟିକିର ପଂଚାୟତ କଣ୍ଟାବଣିଆ ଗ୍ରାମରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତ ବ୍ୟକ୍ତି ହେଲେ ବାନେ ମହାରଣା ଓ ଆହତଙ୍କ ନାମ ସନ୍ତୋଷ ମହନ୍ତ।

ପ୍ରାପ୍ତ ସୂଚନା ମୁତାବକ ଉକ୍ତ ଗ୍ରାମରେ ଆଜି ଅପରାହ୍ନରେ ଏକ ଚିଙ୍ଗୁଡ଼ି ପୋଖରୀରେ କିଛିଲୋକ କାମ କରୁଥିବା ବେଳେ ବଜ୍ରାଘାତ ଘଟିଥିଲା। ଏଥିରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ହେଲେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ପାପଡା ଗାଁର ରସା ମହାରଣାଙ୍କ ପୁଅ ବାନେ ମହାରଣା ବୋଲି ଜଣାପଡିଛି। ଗୁରୁତର ବ୍ୟକ୍ତି ସେହି ଗାଁର ମଙ୍ଗଲ ମହନ୍ତଙ୍କ ପୁଅ ସନ୍ତୋଷ ମହନ୍ତ ବୋଲି ଜଣାପଡିଛି। ଉଭୟ ସମ୍ପର୍କରେ ମାମୁ ଓ ଭଣଜା ବୋଲି ଜଣାପଡିଛି। ଭଣଜାର ମୃତ୍ୟୁ ହେଇଥିବା ବେଳେ ମାମୁ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଛି ଦିନ ପୂର୍ବରୁ ମୟୂରଭଞ୍ଜରୁ ଆସି କଣ୍ଟାବଣିଆ ଠାରେ ଏକ ଚିଙ୍ଗୁଡ଼ି ପୋଖରୀରେ ରହି କାମ କରୁଥିଲେ। ଆଜି ଦ୍ୱିପ୍ରହର ସମୟରେ ପୋଖରୀରେ କାମ କରୁଥିବାବେଳେ ବଜ୍ରପାତ ହେଇଥିଲା। ଫଳରେ ୨ଜଣ ପୋଖରୀରେ ପଡି ଯାଇଥିଲେ । ତୁରନ୍ତ ଅନ୍ୟ ଲୋକମାନେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଭଣଜାକୁ ମୃତ ଘୋଷଣା କରିଥିବାବେଳେ ମାମୁର ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ଜାରି ରହିଛି।

ବଜ୍ରାଘାତ ଘଟି ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତ ବେନ୍ତାଳପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ସଂପୂର୍ଣ୍ଣ ଜଳିଯାଇଛି। ଉକ୍ତ ଗ୍ରାମରେ ରମାକାନ୍ତ ରାଉତଙ୍କ ଘର ସମ୍ପୂର୍ଣ ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଓ ସୁନାଗହଣା ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିଥିବା ସମୟରେ ପବନ ବେଗ ଅଧିକ ଥିବାରୁ ଚାହୁଁ ଚାହୁଁ ସବୁ ଜଳି ଯାଇଥିଲା। ଖବରପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା, ଫଳରେ ସବୁ କିଛି ଜଳି ପୋଡି ପାଉଁଶ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର