ମହାପ୍ରଭୁଙ୍କ ଜମି କିଣାବିକା ପ୍ରସଙ୍ଗ: ମାଡ଼ି ବସିବେ ଜମି ମାଫିଆ, ଦଲାଲ

ଆଇନରେ ସଂ‌ଶୋଧନ ଖୋଲିଦେବ ଦୁର୍ନୀତିର ବାଟ!

ପୁରୀ : ବହୁ ଦାବି ପରେ ନିକଟରେ କ୍ୟାବିନେଟ୍‌ ବୈଠକ ଡାକି ରାଜ୍ୟ ସରକାର ମହାପ୍ରଭୁଙ୍କ ଜମି କିଣାବିକା ପାଇଁ ରହିଥିବା ୟୁନିଫର୍ମ ପଲିସି-୨୦୧୯(ସମାନ ନୀତି) ସହ ଶ୍ରୀମନ୍ଦିର ଆଇନ ୧୯୫୪ ଧାରା ୧୬(୨)ରେ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଛନ୍ତି। ମହାପ୍ରଭୁଙ୍କ ଜମି କିଣାବିକାଠାରୁ ଆରମ୍ଭ କରି ଜମି ବନ୍ଧକ, ଲିଜ୍‌ ଆଦି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଉପରେ ନ୍ୟସ୍ତ କରିଛନ୍ତି। ଖୁବ୍‌ଶୀଘ୍ର ଏ ସଂପର୍କିତ ଅଧ୍ୟାଦେଶ ଜାରି ହେବ। ଏସଂପର୍କରେ ଆଇନ ବିଭାଗ ସହ ଶ୍ରୀମନ୍ଦିର ପ୍ରଶାସନ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ପ୍ରମୁଖଙ୍କୁ ନେଇ ଆସନ୍ତାକାଲି ଏକ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ଜଣାପଡ଼ିଛି। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଯେ ଜିଲ୍ଲାସ୍ତରରେ ଦୁର୍ନୀତିଖୋର ଅଧିକାରୀ, ଜମି ମାଫିଆଙ୍କ ପାଇଁ ଦୁର୍ନୀତିର ବାଟ ଖୋଲିଦେବ, ତାହାକୁ ନେଇ ଆଶଙ୍କ‌ା ପ୍ରକାଶ ପାଇଲାଣି।

୨୦୦୩ ମସିହାରେ ମହାପ୍ରଭୁଙ୍କ ଜମି କିଣାବିକା ପାଇଁ ୟୁନିଫର୍ମ ପଲିସି ଲାଗୁ ହେବାପରେ ଶେଷଥର ୨୦୧୯ରେ ଏହାର ‌ସଂଶୋଧନ କରାଯାଇଥିଲା। ଜମି ବିକ୍ରି ପାଇଁ ଦଖଲର ବର୍ଷ ଆଧାରରେ ତିନୋଟି ସୋପାନରେ ଦର ଧାର୍ଯ୍ୟ ହୋଇଥିଲା। ପରେ ୨୦୧୯ ନିୟମରେ ସଂଶୋଧନ କରି କିଣାବିକା ଦର ବୃଦ୍ଧି ସହ ଜମି ମାଲିକାନା ପ୍ରକ୍ରିୟାକୁ ଜଟିଳ କରି ଦିଆଗଲା। ଏଣୁ ଜମି କିଣାବିକା ନେଇ ବିରୋଧାଭାସ ଆରମ୍ଭ ହୋଇଥିଲା। ଏହି ବିରୋଧ ଭିତରେ ବି ପ୍ରାୟ ୩ହଜାର ୭ଶହ ବ୍ୟକ୍ତି ମହାପ୍ରଭୁଙ୍କ ଜମି କିଣାବିକା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆବେଦନ କରିଥିଲେ। କିନ୍ତୁ ଜାଣିଶୁଣି ମହାପ୍ରଭୁଙ୍କ ଜମି କିଣାବିକା ପାଇଁ ଜିଲ୍ଲା ଲ୍ୟାଣ୍ଡ୍ କମିଟି କି ଶ୍ରୀମନ୍ଦିର ପ୍ରଶାସନ କୌଣସି ବୈଠକ ଡାକିଲାନି। ଜମି ସମାଧାନର ବାଟ କାଢ଼ିଲାନି। କିନ୍ତୁ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ପ୍ରାୟ ୩୧୫ ଏକର ମୂଲ୍ୟବାନ ଜମି ଟେକି ଦିଆଗଲା। ଯେଉଁଥିପାଇଁ ବିରୋଧ ବି ତୀବ୍ର ହେଲା। ଏହି ବିରୋଧ ଭିତରେ ୟୁନିଫର୍ମ ପଲିସି ନିୟମ କୋହଳ କରିବାକୁ ଯାଇ ରାଜ୍ୟ ସରକାର ଶ୍ରୀମନ୍ଦିର ଆଇନ ୧୯୫୪ ଧାରା ୧୬(୨)କୁ ସଂଶୋଧନ କରିବାକୁ ନିଷ୍ପତ୍ତି‌ ନେଇଛନ୍ତି। ଯଦି ଧାରା ୧୬(୨)ରେ ପରିବର୍ତ୍ତନ ହେବ, ତେବେ ଏହା ପୂର୍ବରୁ ଶ୍ରୀମନ୍ଦିର ନିୟମ ୧୯୬୦ ଧାରା ୧୧କୁ ପରିବର୍ତ୍ତନ କରିବାକୁ ପଡ଼ିବ। ଆଉ ରାଜ୍ୟ ସରକାର ଏହାକୁ ପରିବର୍ତ୍ତନ କରିବାକୁ ଗୁପ୍ତ ଷଡ଼୍‌ଯନ୍ତ୍ର କରୁଥିବା ଅଭିଯୋଗ ହେଉଛି। ଯଦି ସେଭଳି ହୁଏ, ଜିଲ୍ଲାସ୍ତରରେ ଥିବା ଦୁର୍ନୀତିଖୋର ଅଧିକାରୀମାନେ ଦୁର୍ନୀତିର ବାଟ ଖୋଲିଦେବେ। ନିଜ ସ୍ବାର୍ଥ ପାଇଁ ଜମି ମାଫିଆଙ୍କ ହାତକୁ ଜମି ଟେକିଦେବେ। ପୂର୍ବରୁ ଜମି ଅନୁମୋଦନ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ଯେଉଁ ଅନୁମତି ଆବଶ୍ୟକ ପଡ଼ୁଥିଲା, ତା’ର ଆବଶ୍ୟକ ପଡ଼ିବନି। ସଂଶୋଧିତ ନିୟମ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଗୁରୁତ୍ବହୀନ କରିଦେବ। ଜମିଜମାରେ ଶ୍ରୀମନ୍ଦିର ପରିଚାଳନା କମିଟି ମୁଣ୍ଡ ଖେଳାଇ ପାରିବନି। ଯାହା ଅଧିକାରୀଙ୍କ ମନମୁଖୀ ଶାସନକୁ ବଢ଼ାଇଦେବ।

ନୂଆ ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଲାଣି। ଭୂ-ସମ୍ପତ୍ତି ସୁରକ୍ଷା ପରିଷଦର ବିରେନ୍ଦ୍ର ଭୂଷଣ ହୋତା କହିଛନ୍ତି ଯେ ରାଜ୍ୟ ସରକାର ଯେଉଁ ମନଇଚ୍ଛା ନିଷ୍ପତ୍ତି ନେଇଛନ୍ତି, ତାହା ଦୁର୍ନୀତିକୁ ପ୍ରଶ୍ରୟ ଦେବ। ସାଧାରଣ ଲୋକ ପୂର୍ବଭଳି ହଇରାଣ ହେବେ, ଜମି ଦଲାଲ ମାଲାମାଲ ହେବେ। ଭିଟାମାଟି ସୁରକ୍ଷା ମଞ୍ଚର ଆବାହକ ଶ୍ରୀକାନ୍ତ ପରିଜା କହିଛନ୍ତି ଯେ ରାଜ୍ୟ ସରକାର ୟୁନିଫର୍ମ ପଲିସିରେ ଯେଉଁ ସଂଶୋଧନ କରିଛନ୍ତି, ତାହା ସନ୍ଦେହ ସୃଷ୍ଟି କରିଛି। ଏହି ସଂଶୋଧନକୁ ଆମେ ଦୃଢ ବିରୋଧ କରୁଛୁ। ୨୦୦୩ ୟୁନିଫର୍ମ ପଲିସି ଆଧାରରେ ଜମି କିଣାବିକା ଦାବି କରୁଛୁ। ଏହା ବିରୋଧରେ ଆମ ସଂଗଠନ ଆସନ୍ତାକାଲି ଆନ୍ଦୋଳନ କରିବ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ସାମାଜିକ କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଜଗନ୍ନାଥ ମନ୍ଦିର ଆଇନ ୧୯୫୪ ଧାରା୧୬(୨) ପରିବର୍ତ୍ତନ ନ ହେବା ଆବଶ୍ୟକ। ତାହା ସହିତ ଜଗନ୍ନାଥ ମନ୍ଦିର ନିୟମ ୧୯୬୦ ସଂଶୋଧନ ନ ହେବା ବି ଜରୁରୀ। ଏହା ହେଲେ ଅଧିକାରୀମାନେ ମନଇଚ୍ଛା ଠାକୁରଙ୍କ ସମ୍ପତ୍ତିକୁ ଜମି ମାଫିଆ ଓ ବିଲଡରମାନଙ୍କୁ ବିକ୍ରି କରିବେ।

ସମ୍ବନ୍ଧିତ ଖବର