ବାମ୍ପରେ ସିଝେ ମାଉସୀ ମା’ଙ୍କ ପୋଡ଼ପିଠା

ପୁରୀ: ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି। ଏଥିପାଇଁ ଗତକାଲିଠାରୁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ବନାଥ ମିଶ୍ର ମାଉସୀ ମା’ଙ୍କ ମନ୍ଦିରରେ ଏହି ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେପଟେ ମନୋରଂଜନ ମିଶ୍ର ବି ନିଜ ଘରେ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପୋଡ଼ପିଠା ପ୍ରସ୍ତୁତି ବି ନିଆରା। ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦିରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ। ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ପରେ ସିଝିବାକୁ ଦିଆଯାଇଥାଏ। ପ୍ରାୟ ୮ ଘଣ୍ଟା ବାମ୍ବରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଇଯାଏ। ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ। ପରେ ବାହୁଡ଼ାରେ ତିନି ଠାକୁରଙ୍କୁ ତିନିଟି କୁଡ଼ୁଆରେ ସମର୍ପଣ କରାଯାଇଥାଏ।
ପୋଡ଼ପିଠା ପ୍ରସ୍ତୁତି

ମହାପ୍ରଭୁଙ୍କ ପୋଡ଼ପିଠା ପ୍ରସ୍ତୁତି ଶୈଳୀ ସ୍ୱତନ୍ତ୍ର। ଏଥିପାଇଁ ମାଉସୀ ମା’ଙ୍କ ସେବକମାନେ ହବିଷାନ୍ନ ପାଳିଥାନ୍ତି। ସେବକ ମନୋରଂଜନ ମିଶ୍ର କହିଛନ୍ତି, ମହାପ୍ରଭୁଙ୍କ ପୋଡ଼ପିଠା ପାଇଁ ହେରାପଞ୍ଚମୀ ଦିନ ଚୁଲି ଅନୁକୂଳ ହୋଇଥାଏ। ପୋଡ଼ପିଠା ପାଇଁ ଛେନା, ଅଟା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ସହ ଅନ୍ୟାନ୍ୟ ସାମଗ୍ରୀ ଆବଶ୍ୟକ ହୋଇଥାଏ। ପ୍ରଥମେ ଛେନା, ଅଟା ଓ ଚିନିର ମିଶ୍ରଣ ପ୍ରସ୍ତୁତ ହୋଇଥାଏ। ପରେ ଏକ ପାତ୍ରରେ ଏହି ମିଶ୍ରଣକୁ ରଖାଯାଇ ହେରାପଞ୍ଚମୀରେ ପ୍ରସ୍ତୁତ ସ୍ୱତନ୍ତ୍ର ଚୁଲିରେ ବସାଯାଇଥାଏ। ବାଷ୍ପୀକରଣ ପ୍ରକ୍ରିୟାରେ ଏହାକୁ ସିଝିବାକୁ ଦିଆଯାଏ। ମିଶ୍ରଣ ପ୍ରାୟ ୮ ଘଣ୍ଟା ଚୁଲିରେ ବସି ସିଝି ସାରିବା ପରେ ଏହାକୁ ଦେଶୀ ଘିଅରେ ଛଣାଯାଇଥାଏ। ପରେ ଏଥିରେ ଆବଶ୍ୟକ ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ ଗୁଣ୍ଡ ଆଦି ପକାଯାଏ। ଗୋଟା ପୋଡ଼ପିଠାକୁ ଟିକିଟିକି କରି କାଟିବା ପରେ ତିନି ଦିଅଁଙ୍କ ପାଇଁ ତିନିଟି ମାଟିହାଣ୍ଡିରେ ରଖାଯାଇ ରଥାରୁଢ଼ ଶ୍ରୀଜିଉଙ୍କୁ ସମର୍ପଣ କରାଯାଇଥାଏ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର