ପୁରୀ: କଥାରେ ଅଛି, ମା’ କିଏ, ମାଉସୀ କିଏ? ଯୁଗେଯୁଗେ ମାଉସୀଙ୍କୁ ମା’ର ସମ୍ମାନ ଦିଆଯାଇଛି। ଅଥଚ ବର୍ଷଯାକ ମହାପ୍ରଭୁଙ୍କ ବାଟ ଚାହିଁ ବସୁଥିବା ମାଉସୀ ମା’ଙ୍କ ପାଇଁ ନା ଶ୍ରୀମନ୍ଦିର ପ୍ରଶାସନ ଆନ୍ତରିକତା ଦେଖାଉଛି, ନା ସରକାରଙ୍କ ଦୃଷ୍ଟି ପଡ଼ୁଛି। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ପାଇଁ ଅର୍ଥଠୁ ନେଇ ଉତ୍ସାହ ଅଜାଡ଼ି ହୋଇପଡ଼ିଲା। ଶହଶହ କୋଟି ବୁହାଇଦେଲେ। କିନ୍ତୁ ଜରାଜୀର୍ଣ୍ଣ ମାଉସୀ ମା’ ମନ୍ଦିର ସଜାଡ଼ିବାକୁ ଘୋଷଣା ହେଲା ମାତ୍ର ୧୦ଲକ୍ଷ। ଖୋଦ୍‌ ସଂସ୍କୃତି ମନ୍ତ୍ରୀ ଆସି ମା’ଙ୍କ ଆସ୍ଥାନ ଦେଖି ବ୍ୟଥିତ ହୋଇଥିଲେ। ହେଲେ ଫଳ ୧୦ ଲକ୍ଷରେ ସୀମିତ ରହିଗଲା। ମାଉସୀ ମା’ ମନ୍ଦିର ମହାପ୍ରଭୁଙ୍କ ଲୀଳାପୀଠର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପୀଠ। କିନ୍ତୁ ମାଉସୀ ମା’ ମନ୍ଦିର ପରିସର ମାତ୍ର ୨ଡେସିମାଲ୍‌ ଜମିରେ ସୀମିତ। ଭକ୍ତ ଓ ସେବକଙ୍କ କହିବା ମୁତାବକ, ମାଉସୀ ମା’ଙ୍କ ପରିସର ବ୍ୟାପକ ଥିଲା। କିନ୍ତୁ କାଳକ୍ରମେ ଏହା କୁଚକ୍ରୀଙ୍କ ଚଞ୍ଚକତା ପାଇଁ ଏହା ମାତ୍ର ୨ ଡିସିମିଲରେ ସୀମିତ ରହିଛି। ମନ୍ଦିରର କାନ୍ଥ ଫାଟି ଆଁ କଲାଣି। ଛାତ ଫାଟି ପାଣି ଝରୁଛି। ବିନା ସ୍ତମ୍ଭରେ କାନ୍ଥ ଓ ଛାତ ଛିଡ଼ା ହୋଇଛି। କେବଳ ପୋଡ଼ପିଠା ପ୍ରସ୍ତୁତ ହେଉନାହିଁ, ବରଂ ମାଜଣା ଓ ମାନସିକଧାରୀ ଏହା ମଧ୍ୟରେ ପ୍ରସାଦ ରୋଷେଇ କରି ଆସୁଛନ୍ତି। କିନ୍ତୁ ରୋଷଘର ଏକଦମ୍‌ ସଙ୍କୁଚିତ। ଭକ୍ତମାନେ ଦର୍ଶନ ପାଇଁ ଆସିଲେ ଏକକାଳୀନ ବସିବାକୁ ଜାଗା ନାହିଁ। ଏକକାଳୀନ ୫୦ ଲୋକ ବସି ଖାଇବାର ବ୍ୟବସ୍ଥା ମଧ୍ୟ ନାହିଁ। କିନ୍ତୁ ଶ୍ରୀମନ୍ଦିର ପାଇଁ ଶହଶହ କୋଟି ପାଣି ଭଳି ବୁହାଇ ଦେଇଥିବା ସରକାର ମାଉସୀ ମା’ ମନ୍ଦିରର ଏ ଜରାଜୀର୍ଣ୍ଣ ଅବସ୍ଥାକୁ ଆଡ଼ ଆଖିରେ ବି ଚାହିଁଲେ ନାହିଁ।

Advertisment

କଥିତ ଅଛି, ଯେବେ ଗୁଣ୍ଡିଚା ଯାତ୍ରା ପାଇଁ ୬ଟି ରଥ ନିର୍ମାଣ ହେଉଥିଲା, ସେ ସମୟରେ ଅର୍ଦ୍ଧାଶିନୀ ତଥା ମାଉସୀ ମା’ ନଦୀଗଣ୍ଡର ଅଧିଷ୍ଠାତ୍ରୀ ଦେବୀ ଭାବେ ଅବସ୍ଥାପିତ ହୋଇଥିଲେ। ନିଜ ଶକ୍ତି ବଳରେ ନଦୀ ଗଣ୍ଡର ଜଳକୁ ଶୋଷଣ କରି ମହାପ୍ରଭୁଙ୍କ ଜଳଯାତ୍ରାକୁ ସୁଗମ କରୁଥିବା ବିଶ୍ବାସ ରହିଛି। ଡ.ତୁଳସୀ ଓଝାଙ୍କ ଲୋକଉକ୍ତିକୁ ଉଦ୍ଧାର କରି ମତ ରଖିଛନ୍ତି ଯେ ପ୍ରଳୟ କାଳରେ ରୋହିଣୀ କୁଣ୍ଡରୁ ପ୍ରଳୟ ଜଳ ନିଃସୃତ ହୋଇ ପ୍ରଳୟ ଘଟାଇ ସାରି ପୁଣି ସେହି କୁଣ୍ଡରେ ବିଲୀନ ହୁଏ। କିନ୍ତୁ ଏକଦା ଏହି ଜଳ ବିଲୀନ ନହେବାରୁ ସ୍ବୟଂ ଯୋଗମାୟା ତଥା ମାଉସୀ ମା’ ନିଜକୁ ରୂପାନ୍ତରିତ କରି ପ୍ରଳୟ ଜଳର ଅର୍ଦ୍ଧେକ ପାନ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିଲେ। ସେବେଠାରୁ ଶ୍ରୀକ୍ଷେତ୍ରର ସୁରକ୍ଷା ନିମିତ୍ତ ସେ ବିରାଜମାନ। ମହାପ୍ରଭୁ ବାହୁଡ଼ା ଯାତ୍ରାରେ ମାଉସୀ ମା’'ଙ୍କ ପୋଡ଼ପିଠା ଖାଇ ବାହୁଡ଼ନ୍ତି।

ଗତବର୍ଷ ଜୁଲାଇ ୨ ତାରିରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ମାଉସୀ ମା’ ମନ୍ଦିରର ସ୍ଥିତି ପରଖି ଉନ୍ନତୀକରଣ ପାଇଁ ଆଶା ଦେଖାଇଥିଲେ। ପ୍ରତ୍ନତତ୍ତ୍ବ ତଥା ସ୍ମାରକୀ ସମ୍ପର୍କିତ ବୈଠକରେ ଆଲୋଚନା ପରେ ବୈଷୟିକ ଟିମ୍‌ ଆସି ସ୍ଥିତି ଦେଖିଥିଲେ। ଡିପିଆର୍‌ ପ୍ରସ୍ତୁତ ହୋଇଥିଲା। ମାତ୍ର ମଞ୍ଜୁର ହେଲା ମାତ୍ର ୧୦ ଲକ୍ଷ ଟଙ୍କା। ଏଥିରେ କେବଳ ପାଣି ଗଳୁଥିବା ଛାତ ନୂଆ ଭାବେ ପକାଇବା ସହ ଖଣ୍ଡୋଲାଇଟ ପଥରରେ ଚଟାଣ କାମ ହେବା ନେଇ ନିଷ୍ପତ୍ତି ହୋଇଛି। ଏହା ସମୁଦ୍ରକୁ ଶଙ୍ଖେ ସଦୃଶ। ମାଉସୀ ମା’ ମନ୍ଦିରର ସେବକ ବିଶ୍ବନାଥ ମିଶ୍ର କହିଛନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତିରେ ମାଉସୀ ମା’ ଅବିଚ୍ଛେଦ୍ୟ ପୀଠ। ପ୍ରତିଦିନ ବହୁ ଭକ୍ତ ଆସନ୍ତି, କିନ୍ତୁ ଜରାଜୀର୍ଣ୍ଣ କାନ୍ଥ ଓ ଛାତ, ସୀମିତ ପରିସର ଭକ୍ତଙ୍କ ବସିବା ପାଇଁ ବି ଉପଯୁକ୍ତ ନୁହେଁ। ଜମି ଅଧିଗ୍ରହଣ କରି ମନ୍ଦିରର ପରିସର ବୃଦ୍ଧି କରିବା ପ୍ରଥମ ପ୍ରାଥମିକତା ହେବା ଆବଶ୍ୟକ। ବହୁ ଅର୍ଥର ଆବଶ୍ୟକତା ରହିଛି। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଏହାର ଉନ୍ନତି ପାଇଁ ଏଯାଏ ସେପରି ଆନ୍ତରିକତା ନଦେଖାଇବା ଭକ୍ତଙ୍କ ଭାବାବେଗକୁ ଆଘାତ ଦେଉଛି ବୋଲି ସେ କହିଛନ୍ତି।