ହୋମ୍ ଆଇସୋଲେସନରେ ରହି ଅଧିକ ଆକ୍ରାନ୍ତ କରୋନାରୁ ସୁସ୍ଥ ହେଉଛନ୍ତି: ଶାଳିନୀ ପଣ୍ଡିତ

ହ୍ୱାଟସ୍‌ଆପ ମାଧ୍ୟମରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୭୦ ପ୍ରତିଶତ କରୋନା ରୋଗୀ ହୋମ ଆଇସୋଲେସନରେ ଅଛନ୍ତି । ହୋମ ଆଇସୋଲେସନରେ ରହି ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ମନ୍ତ୍ରୀ, ବିଧାୟକ, ଅଧିକାରୀମାନେ ମଧ୍ୟ ହୋମ ଆଇସୋଲେସନରେ ରହୁଛନ୍ତି । ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ଏହା କହିଛନ୍ତି । ଓଡ଼ିଶାରେ କୋଭିଡ ମୃତ୍ୟୁ ହାର ଜାତୀୟ ହାର ତୁଳନାରେ କମ ବୋଲି ସେ ସୂଚନା ଦେଇଛନ୍ତି।

ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ, ୯ ମାସ ତଳେ ଚୀନର ଉହାନ ସହରରୁ କରୋନା ଭାଇରସ ବିଶ୍ୱର ଚାରିଆଡ଼କୁ ବ୍ୟାପିବା ଆରମ୍ଭ ହୋଇଥିଲା । ଓଡ଼ିଶାରେ ମାର୍ଚ୍ଚ ୧୫ରେ ପ୍ରଥମ ଥର ପାଇଁ କରୋନା ଭାଇରସ ସଂକ୍ରମଣରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିଲେ । କରୋନା ନେଇ ଆଜି ଭଳି ପୂର୍ବରୁ ଏତେ ସୂଚନା ନଥିଲା । କରୋନା ଭାଇରସ ମୁକାବିଲା ଲାଗି ସମଗ୍ର ବିଶ୍ୱ ଲଢ଼େଇ ଜାରି ରଖିଥିବା ବେଳେ ବିଶ୍ୱବ୍ୟାପୀ ଏହାରି ଉପରେ ଗବେଷଣା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟିକା ମିଳିପାରି ନାହିଁ । ଏବେ ଆମକୁ ବୁଝିବାକୁ ପଡୁଛି ଯେ ସମସ୍ତ କୋଭିଡ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ । ତେଣୁ ଆମେ ରୋଗୀଙ୍କୁ ହୋମ ଆଇସୋଲେସନରେ ରଖିବାକୁ କହୁଛୁ ।

ଏଣିକି ହ୍ୱାଟସ୍‌ଆପ ଜରିଆରେ ଲୋକଙ୍କୁ କରୋନା ସଂପର୍କିତ ପ୍ରଶ୍ନର ଉତ୍ତର ମିଳିବ । ରାଜ୍ୟ ସରକାର ଏ ନେଇ ହ୍ୱାଟସ୍‌ଅପ ନମ୍ବର ୯୯୩୭୫୬୪୦୬୬ ଜାରି କରିଛନ୍ତି । ଲୋକେ ଦୈନିକ ଅପରାହ୍ନ ୩ଟାରୁ ସାଢ଼େ ୩ଟା ମଧ୍ୟରେ ପ୍ରଶ୍ନ କରିପାରିବେ । ବିଶେଷଜ୍ଞ ଡାକ୍ତର ଏହାର ଉତ୍ତର ଦେବେ ।

ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ ମାଗଣାରେ ମିଳୁଛି କୋଭିଡ କିଟ୍

ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ଅମରେନ୍ଦ୍ର ମହାନ୍ତି କହିଛନ୍ତି, ସବୁ କୋଭିଡ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ । ଲକ୍ଷଣ ନଥିବା ଏବଂ କମ ଲକ୍ଷଣ ଥିବା ରୋଗୀ ଘରେ ରହି ମଧ୍ୟ ଚିକିତ୍ସିତ ହୋଇପାରିବେ । ହୋମ ଆଇସୋଲେସରେ ଥିବା ବେଳେ ଲକ୍ଷଣ ଦେଖିଲେ ପ୍ରଶାସନକୁ ଜଣାଇବେ । ସେ କହିଛନ୍ତି, ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ ମାଗଣାରେ କିଟ ଦିଆଯାଉଛି । ଏଥିରେ ଔଷଧ, ସୂଚନା, ପୁସ୍ତିକା ଓ ଫୋନ ନମ୍ବର ଦିଆଯାଇଛି । ଘରେ ରହିଲେ ରୋଗୀ ପରିବାର ଲୋକଙ୍କଠାରୁ ଭଲ ସେବା ପାଇପାରିବେ । କମ ଲକ୍ଷଣ ଥିବା ରୋଗୀ ହସ୍ପିଟାଲରେ ରହିବାର ଆବଶ୍ୟକତା ନାହିଁ । ଏହା ଦ୍ୱାରା ଅନ୍ୟ ରୋଗୀମାନଙ୍କର ମନୋବଳ ଭାଙ୍ଗିଯାଇଥାଏ । ତେଣୁ ହୋମ ଆଇସୋଲେସନରେ ରହି କୋଭିଡ ବିରୋଧରେ ଲଢ଼େଇ ଜାରି ରଖିପାରିବା । ଘରେ ଅନ୍ୟମାନଙ୍କ ଠାରୁ ଅଲଗା ରଖି ସତର୍କ ରହିବା ଦରକାର । ଘରେ ଏକ ସ୍ୱତନ୍ତ୍ର କୋଠରୀ, ଏକ ଶୌଚାଳୟ ଓ ସେବା କରିବା ପାଇଁ ଜଣେ ଲୋକ ଥିଲେ ହୋମ ଆଇସୋଲେନରେ ରହିହେବ ।

ହୋମ ଆଇସୋଲେସନରେ ଥିଲେ ପ୍ରଚୁର ପାଣି ପିଅନ୍ତୁ

ବର୍ତ୍ତମାନ ସୁଦ୍ଧା କୋଭିଡ ଚିକିତ୍ସାର ମୂଳ ଜିନିଷ ହେଲା ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହେବା । ଲକ୍ଷଣ ଦେଖାଗଲେ କୋଭିଡ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଇଯିବା ଏବଂ ସାବଧାନ ହେଲେ ରୋଗରୁ ବର୍ତ୍ତିପାରିବା । କାଶିବା, ଛିଙ୍କିବା, ପଜିଟିଭ ସଂସ୍ପର୍ଶରେ ଆସିଲେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି । ୮୦ ପ୍ରତିଶତ ରୋଗୀ ଲକ୍ଷଣହୀନ ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । କୋଭିଡ ରୋଗୀଙ୍କୁ ହସ୍ପିଟାଲରେ ରହିବା ଦ୍ୱାରା ଅନ୍ୟମନସ୍କ ଅନୁଭବ ହେଉଛି, ମାନସିକ ଅସ୍ଥିରତା ଲାଗି ରହୁଛି । ତେଣୁ ଏହି ପରିପ୍ରେକ୍ଷୀରେ ହୋମ ଆଇସୋଲେସନରେ ରହିଲେ ରୋଗୀ ଆରାମ ଅନୁଭବ କରିବେ ଏବଂ ସେମାନଙ୍କର ମନୋବଳ ବଢ଼ିବ । ଏଥି ସହିତ ଆକ୍ରାନ୍ତଙ୍କୁ ପରିବାର ଲୋକଙ୍କ ଠାରୁ ଉପଯୁକ୍ତ ସେବା ମିଳିପାରିବ । ଡା. ମହାନ୍ତି ପରାମର୍ଶ ଦେଇଛନ୍ତି ଯେ, ହୋମ ଆଇସୋଲେସନରେ ଥିବା ବେଳେ ଆକ୍ରାନ୍ତ ପ୍ରଚୁର ପାଣି ପିଅନ୍ତୁ । ଆମେ ସଚେତନ ହେଲେ କରୋନା ହାରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର