ସର୍ବାଧିକ ଦୈନିକ ସଂକ୍ରମଣ; ଭାରତରେ ଦିନକରେ ୩.୧୪ ଲକ୍ଷ ନୂଆ ମାମଲା, ୨ ହଜାରରୁ ଅଧିକ ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ କରୋନାକୁ ନେଇ ଅତି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକାକୁ ପଛରେ ପକାଇ ଭାରତ ସଂକ୍ରମଣର ‌ସବୁ ରେକର୍ଡ ଭାଙ୍ଗି ଦେଇଛି। ବିଶ୍ବର ସର୍ବାଧିକ ଦୈନିକ ସଂକ୍ରମଣ ମାମଲା ଆଜି ଭାରତରେ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା‌ରେ ଦେଶରେ ୩ ଲକ୍ଷ ୧୪ ହଜାର ୮୩୫ ପଜିଟିଭ୍‌ ମାମଲା ଚିହ୍ନଟ ହୋଇଛି ଏବଂ ୨୧୦୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଶେଷଥର ପାଇଁ ଗତ ଜାନୁଆରି ୮ରେ ଆମେରିକାରେ ଦୈନିକ ସଂକ୍ରମଣ ମାମଲା ୩,୧୩୦୦୦ ଥିଲା। ଭାରତ ଦୈନିକ ସଂକ୍ରମଣରେ ଆମେରିକାକୁ ବି ଟପିଗଲା। ଦେଶରେ ଏବେ ୨୨,୯୧,୪୨୮ ସକ୍ରିୟ ମାମଲା ରହିଛି। ମାତ୍ର ୨୪ ଘଣ୍ଟାରେ ୧,୩୩,୮୯୦ ସକ୍ରିୟ ମାମଲା ବଢ଼ିଛି। ମୋଟ୍‌ ସଂକ୍ରମଣ ମାମଲା ୧,୫୯,୩୦,୯୬୫କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧,୮୪,୬୫୭ ପହଞ୍ଚିଛି। ମାତ୍ର ୪ ଦିନରେ ଦେଶରେ ରେକର୍ଡ ସଂଖ୍ୟକ ୧୦ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗତ ଫେବ୍ରୁଆରିରୁ ଦେଶରେ ଲଗାତାର ଭାବେ ସଂକ୍ରମଣ ବୃଦ୍ଧି ହେଉଥିଲେ ସୁଦ୍ଧା ବିଗତ ୧୭ ଦିନରେ ସଂକ୍ରମଣ ୩ ଗୁଣା ହୋଇଛି। ଏପ୍ରିଲ ୧୫ରେ ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ଟପିଥିଲା ଏବଂ ଏପ୍ରିଲ ୨୨ରେ ଏହା ୩ ଲକ୍ଷ ଟପିଗଲା।

ସର୍ବାଧିକ ସଂକ୍ରମଣ ମାମଲା ଥିବା ୫ ରାଜ୍ୟରେ ସ୍ଥିତି ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୬୭,୪୬୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୫୬୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୩୩,୧୦୬, ଦିଲ୍ଲୀରେ ୨୪୬୩୮, କର୍ଣ୍ଣାଟକରେ ୨୩,୫୫୮, କେରଳରେ ୨୨,୪୧୪ ସଂକ୍ରମଣ ମାମଲା ରହିଛି। ୫ ରାଜ୍ୟରେ ୫୪.୩୮ ପ୍ରତିଶତ ସଂକ୍ରମଣ ମାମଲା ରହିଛି। ଦେଶରେ ନୂଆ ମାମଲାର ୨୧.୪୩ ପ୍ରତିଶତ କେବଳ ମହାରାଷ୍ଟ୍ରରେ ରହିଛି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ଏଯାବତ୍‌ ୨୭,୨୭,୦୫,୧୦୩ ନମୁନା ପରୀକ୍ଷା ହୋଇଛି। ଗତକାଲି ମୋଟ ୧୬,୫୧,୭୧୧ ନମୁନା ପରୀକ୍ଷା ହୋଇଛି। ତେବେ ସଂକ୍ରମଣ ବଢ଼ିବା ସହ ଦେଶରେ ଅକ୍ସିଜେନ୍‌ ଅଭାବକୁ ନେଇ ଯେଉଁ ଜଟିଳ ସ୍ଥିତି ସୃଷ୍ଟି ହୋଇଛି ତାହା ଅତ୍ୟନ୍ତ ଚିନ୍ତାଜନକ।

ଦେଶରେ ସଂକ୍ରମଣ ମାମଲା ୧୦ ଲକ୍ଷରୁ ୨୦ ଲକ୍ଷ ହେବାପାଇଁ ୨୧ ଦିନ ଲାଗିଥିଲା । ୨୦ରୁ ୩୦ ଲକ୍ଷ ପାଇଁ ୧୬ ଦିନ, ୩୦ରୁ ୪୦ ଲକ୍ଷ ପାଇଁ ୧୩ ଦିନ, ୪୦ରୁ ୫୦ ଲକ୍ଷ ପାଇଁ ୧୧ ଦିନ, ୫୦ରୁ ୬୦ ଲକ୍ଷ ପାଇଁ ୧୨ ଦିନ, ୬୦ ରୁ ୭୦ ଲକ୍ଷ ହେବାପାଇଁ ୧୩ ଦିନ, ୭୦ରୁ ୮୦ ଲକ୍ଷ ହେବାପାଇଁ ୧୮ ଦିନ, ୮୦ରୁ ୯୦ ଲକ୍ଷ ହେବାପାଇଁ ୨୨ ଦିନ, ୯୦ ଲକ୍ଷରୁ କୋଟିଏ ହେବାପାଇଁ ୨୯ ଦିନ, କୋଟିଏରୁ କୋଟିଏ ୧୦ ଲକ୍ଷ ହେବାପାଇଁ ୬୫ ଦିନ, କୋଟିଏ ୧୦ ଲକ୍ଷରୁ ୨୦ ଲକ୍ଷ ହେବାପାଇଁ ୩୫ ଦିନ, କୋଟିଏ ୨୦ ଲକ୍ଷରୁ ୩୦ ଲକ୍ଷ ହେବାପାଇଁ ୧୧ ଦିନ, କୋଟିଏ ୩୦ ଲକ୍ଷରୁ ୪୦ ଲକ୍ଷ ହେବାପାଇଁ ୬ ଦିନ ଏବଂ କୋଟିଏ ୪୦ ଲକ୍ଷରୁ ୫୦ ଲକ୍ଷ ହେବାପାଇଁ ମାତ୍ର ୪ ଦିନ ଲାଗିଛି।

ସମ୍ବନ୍ଧିତ ଖବର