ମଦ୍ୟପ ଚାଳକଙ୍କ ପାଇଁ ନୁହେଁ, ଏଥିପାଇଁ ବଢୁଛି ସଡ଼କ ଦୁର୍ଘଟଣା

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଜୋରଦାର ଆରମ୍ଭ ହୋଇଛି ଚେକିଂ । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ଛକ ଛକରେ ଜଗି ବସିଛନ୍ତି ଟ୍ରାଫିକ କର୍ମଚାରୀ । ଆଉ ନିୟମ ଭାଙ୍ଗି ଧରାପଡ଼ିଲେ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା । ସଡ଼କ ଦୁର୍ଘଟଣା ରୋକିବାକୁ ଏଭଳି କଡ଼‌ାକଡ଼ି ନିୟମ କରାଯାଇଛି ବୋଲି ଟ୍ରାଫିକ ଅଧିକାରୀମାନେ କହୁଛନ୍ତି । ଖାସକରି ମଦୁଆ ଡ୍ରାଇଭରଙ୍କ ପାଇଁ ଅଧିକାଂଶ ସମୟରେ ଦୁର୍ଘଟଣା ହେଉଥିବା କୁହାଯାଉଛି । ଯେଉଁଥିପାଇଁ ଟ୍ରାଫିକ ପୋଲିସର ଫାଇନ୍ ପଞ୍ଝାରେ ଅଧିକାଂଶ ସମୟରେ ମଦୁଆ ଡ୍ରାଇଭର ପଡୁଥିବାର ଖବର ସାମ୍ନାକୁ ଆସୁଛି । କିନ୍ତୁ ଅଧିକାଂଶ ସଡ଼କ ଦୁର୍ଘଟଣା ଯେଉଁଥିପାଇଁ ହେଉଛି ସେଥିପ୍ରତି ଟ୍ରାଫିକ ଅଧିକାରୀ ସତେ ଯେମିତି ଆଖି ବୁଜି ଦେଇଛନ୍ତି।

ମଦୁଆ ଚାଳକଙ୍କୁ ମାଫ୍ ନାହିଁ । ମଦୁଆ ଚାଳକଙ୍କ ପାଇଁ ଅଧିକ ଦୁର୍ଘଟଣା ହେଉଥିବାରୁ ଟ୍ରାଫିକ ପୋଲିସର ଟାର୍ଗେଟରେ ଏମାନେ । ଯେଉଁଥିପାଇଁ ମଦୁଆ ଚାଳକଙ୍କୁ ଧରିବାକୁ ଜାଲ ବିଛାଇଛି ଟ୍ରାଫିକ ପୋଲିସ । ସ୍ଥାନେ ସ୍ଥାନେ କଡ଼ା ଚେକିଂ କରାଯାଉଥିବା ବେଳେ ଧରାପଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି । ଏହାସତ୍ତ୍ବେ ମଧ୍ୟ ଦୁର୍ଘଟଣା ବଢ଼ି ଚାଲିଛି । ତେବେ ଏହି ଦୁର୍ଘଟଣା ପଛର ବାସ୍ତବ ସତ କିନ୍ତୁ ଅଲଗା ।  ମଦୁଆ ଚାଳକଙ୍କ ପାଇଁ ନୁହେଁ ବରଂ ଦ୍ରୁତ ଗତିରେ ଗାଡ଼ି ଚାଳନା ହିଁ ଅଧିକାଂଶ ସଡ଼କ ଦୁର୍ଘଟଣାର କାରଣ । ପରିବହନ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରି କୁହାଯାଇଛି ।

ଦାଉ ସାଜୁଛି ଦ୍ରୁତ ଗତି । ରାଜ୍ୟରେ ହେଉଥିବା ସଡ଼କ ଦୁର୍ଘଟଣାର ୯୭ ପ୍ରତିଶତରୁ ୮୪ ପ୍ରତିଶତ ଦୁର୍ଘଟଣା ଦ୍ରୁତଗତିରେ ଗାଡ଼ି ଚାଳନା ପାଇଁ ହେଉଛି । କିନ୍ତୁ ଏହା ସତ୍ତ୍ବେ ମଧ୍ୟ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ଚାଳକଙ୍କୁ ସବୁ ମାଫ୍ । ଦ୍ରୁତ ଗତିରେ ଚଳାଉଥିବା ଗାଡି ଚାଳକଙ୍କୁ ଧରିବା ପାଇଁ ଅତ୍ୟାଧୁନିକ ସିସିଟିଭି ଲାଗିଛି । କିନ୍ତୁ ଏହାପରେ ମଧ୍ୟ ଫଳ ଶୂନ । ରାଜଧାନୀର ରାଜରାସ୍ତାରେ ଏବେ ବି ଆତଙ୍କ ସୃଷ୍ଟି କରୁଛନ୍ତି ସ୍ପିଡ ବାଇକର୍ସ । କିନ୍ତୁ ଏମାନଙ୍କୁ ଧରିବା ପରିବର୍ତ୍ତେ ମଦୁଆ ଚାଳକ ଓ ବିନା ହେଲମେଟ ଚାଳକଙ୍କୁ ଧରିବାକୁ ଯେମିତି ପଣ କରିଛନ୍ତି ଟ୍ରାଫିକ ଅଧିକାରୀ । ମଦୁଆ ଚାଳକଙ୍କ ପାଇଁ ମାତ୍ର ୪ ପ୍ରତିଶତ ସଡ଼କ ଦୁର୍ଘଟଣା ହେଉଥିବା ବେଳେ ରଙ୍ଗ ସାଇଡରେ ଗାଡି ଚାଳନା ପାଇଁ ୮ ପ୍ରତିଶତ, ଗାଡ଼ି ଚଲାଇବା ବେଳେ ମୋବାଇଲ ଫୋନ ବ୍ୟବହାର ପାଇଁ ୩ ପ୍ରତିଶତ ସଡ଼କ ଦୁର୍ଘଟଣା ହୋଇଥାଏ ବୋଲି ରିପୋର୍ଟ କହୁଛି । କିନ୍ତୁ ଯେଉଁ କାରଣ ପାଇଁ ସର୍ବାଧିକ ସଡ଼କ ଦୁର୍ଘଟଣା ହେଉଛି ସେଥିପ୍ରତି ଧ୍ୟାନ ନଦେଇ ମଦୁଆ ଓ ବିନା ହେଲମେଟ ଚାଳକଙ୍କୁ ଧରି ଫାଇନ୍ ଆଦାୟ କରିବାରେ ବ୍ୟସ୍ତ ଟ୍ରାଫିକ ଅଧିକାରୀ।

ସମ୍ବନ୍ଧିତ ଖବର