ବାଇକ୍‌ ପାଇଁ ସହରାଞ୍ଚଳରେ ସର୍ବାଧିକ ସ୍ପିଡ୍ ୪୦

ଗାଡ଼ିର ବେଗ ଉପରେ ପରିବହନ କର୍ତୃପକ୍ଷଙ୍କ ଅଙ୍କୁଶ

କଟକ : ରାଜ୍ୟ ପରିବହନ କର୍ତୃପକ୍ଷ ଆଜି ଓଡ଼ିଶା ମୋଟର ଭେଇକିଲ୍ ନିୟମ ୧୯୯୩ ଆଧାରରେ ଗାଡିର ସର୍ବାଧିକ ବେଗ ସଂପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୪ ଲେନ୍ ଜାତୀୟ ରାଜପଥ, ସହରାଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟ ଜାତୀୟ ରାଜପଥ ପାଇଁ ଏହି ବେଗ ସ୍ଥିର କରାଯାଇଛି। ଯାତ୍ରୀବାହୀ, ପରିବହନ ଓ ଅଣପରିବହନ ଗାଡି ପାଇଁ ଏହି ବେଗର ସୀମା ଧାର୍ଯ୍ୟ କରାଯାଇଛି।

ବାଇକ୍‌ ପାଇଁ ଜାତୀୟ ରାଜପଥ‌ ( ୪ ଲେନ୍ ହୋଇଥିଲେ)ରେ ସର୍ବାଧିକ ୬୦ କିମି ଘଣ୍ଟା ପ୍ରତି ବେଗ‌ରେ ଚଲାଇବାକୁ ଅନୁମତି ଥିବା ବେଳେ ସହରାଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ସର୍ବାଧିକ ୪୦ କିମି ବେଗରେ ଚଲାଇ ପାରିବେ। ସେହିଭଳି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବାଇକ ଚାଳକ ସର୍ବାଧିକ ୫୦ କିମି ବେଗରେ ଚଳାଇ ପାରିବେ। ସେହିଭଳି ତିନି ଚକିଆ ଗାଡି( ଅଟୋ) ଯାତ୍ରୀବାହୀ ଓ ଅଣଯାତ୍ରୀବାହୀ ଗାଡି ପାଇଁ ଯଥାକ୍ରମେ ଚାରି ଲେନ୍ ଜାତୀୟ ରାଜପଥ ପାଇଁ ୪୦ କିମି, ଜାତୀୟ, ରାଜ୍ୟ ରାଜପଥ ପାଇଁ ଘଣ୍ଟା ପ୍ରତି ୩୦ କିମି ବେଗ ଧାର୍ଯ୍ୟ କରାଯାଇଛି।

ସେହିକ୍ରମ‌ରେ ୮ ସିଟ୍ ବିଶିଷ୍ଟ ଅଣ ପରିବହନ ଗାଡି ପାଇଁ ୧୦୦, ୫୦ ଓ ୬୦ କିମି ବେଗ ସ୍ଥିର କରାଯାଇଛି। ଯାତ୍ରୀ ପରିବହନ କରୁଥିବା ୮ସିଟ୍ ବିଶିଷ୍ଟ ଗାଡି ପାଇଁ ଘଣ୍ଟା ପ୍ରତି ୮୦, ୫୦ ଓ ୬୦ କିମି ବେଗ ସ୍ଥିର ହୋଇଛି। ୯ଟି ସିଟରୁ ଅଧିକ ଥିବା ଗାଡି ପାଇଁ ଘଣ୍ଟା ପ୍ରତି ୮୦, ୪୦ ଓ ୬୦ କିମି ବେଗ ସ୍ଥିର ହୋଇଛି। ମାଲ ପରିବହନ ପାଇଁ ଉଦ୍ଦିଷ୍ଟ ଥିବା ଗାଡିଗୁଡିକ‌ ସେହି ସବୁ ରାସ୍ତାରେ ଯଥାକ୍ରମେ ଘଣ୍ଟା ପ୍ରତି ୬୦, ୩୦ ଓ ୫୦ କିମି ବେଗରେ ଯାଇପାରିବେ ବୋଲି ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର