କୋଭିଡ୍ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା : ମେ ୨୮ ସୁଦ୍ଧା ଆବେଦନ କରିହେବ  

ଭୁବନେଶ୍ବର : କୋଭିଡ୍-୧୯ରେ ମୃତ୍ୟୁ ପାଇଁ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ଯୋଗାଇ ଦିଆଯାଉଛି । ଯେଉଁ ବ୍ୟକ୍ତିମାନେ ୨୦୨୨ ମାର୍ଚ୍ଚ ୨୦ ତାରିଖ କିମ୍ବା ତାହା ପୂର୍ବରୁ କୋଭିଡ୍-୧୯ରେ ମୃତ୍ୟୁବରଣ କରିଛନ୍ତି ଏବଂ ସେମାନଙ୍କ ନିକଟତମ ସଂପର୍କୀୟମାନେ ଯଦି ଏହି ସହାୟତା ରାଶି ପାଇନାହାନ୍ତି ସେମାନେ ଆବେଦନ ପତ୍ର/ଦରଖାସ୍ତ ଓ ଆବଶ୍ୟକୀୟ ଦସ୍ତାବିଜ ସହିତ ଜିଲ୍ଲାପାଳଙ୍କୁ ଅଫଲାଇନ କିମ୍ବା ଅନଲାଇନରେ ଓ୍ବେବସାଇଟ୍ ଜରିଆରେ ଆସନ୍ତା ୬୦ ଦିନ ଅର୍ଥାତ୍ ୨୦୨୨ ମେ ୨୮ ତାରିଖ ମଧ୍ୟରେ ଆବେଦନ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଯଦି କୌଣସି ବ୍ୟକ୍ତି ୨୦୨୨ ମାର୍ଚ୍ଚ ୨୦ ତାରିଖ ପରେ ମୃତ୍ୟୁବରଣ କରିଛନ୍ତି କିମ୍ବା ଯଦି କେହି ଭବିଷ୍ୟତରେ କୋଭିଡ୍-୧୯ରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ଆତ୍ମୀୟସ୍ୱଜନ କୋଭିଡ୍-୧୯ ମୃତ୍ୟୁ ସହାୟତା ରାଶି ନିମନ୍ତେ ମୃତ୍ୟୁ ଘଟିଥିବା ଦିନଠାରୁ ୯୦ ଦିନ ମଧ୍ୟରେ ଅବେଦନ ପତ୍ର/ଦରଖାସ୍ତ ଓ ଆବଶ୍ୟକୀୟ ଦସ୍ତାବିଜ୍ ସହିତ ଜିଲ୍ଲାପାଳଙ୍କୁ ଅଫଲାଇନ କିମ୍ବା ଅନଲାଇନରେ ଓ୍ବେବସାଇଟ୍ ଜରିଆରେ ଆବେଦନ କରିପାରିବ ।

କୌଣସି ଅସୁବିଧା କିମ୍ବା ଦୁରାବସ୍ଥା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଉପରୋକ୍ତ ଧାର୍ଯ୍ୟ ସମୟସୀମା ମଧ୍ୟରେ ଯଦି କୌଣସି ଆବେଦନକାରୀ ଏହି ସହାୟତା ନିମନ୍ତେ ଆବେଦନ କରିବାରେ ବିଫଳ ହୁଅନ୍ତି ତେବେ ସେମାନେ ପ୍ରତ୍ୟେକ ଜିଲ୍ଲାରେ ଗଠନ କରାଯାଇଥିବା ଗ୍ରେଭାନ୍ସ ରିଡ୍ରେସାଲ କମିଟି  ମାଧ୍ୟମରେ ଆବେଦନ କରିପାରିବ । ଏହି କମିଟି ଆବେଦନକାରୀଙ୍କ ତଥ୍ୟ ଆଧାରରେ ଆବଶ୍ୟକୀୟ ଯାଞ୍ଚ ଏବଂ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବେ । କୋଭିଡ୍-୧୯ରେ ମୃତ୍ୟୁବରଣ କରିଥିବାବା ବ୍ୟକ୍ତିଙ୍କ ଆତ୍ମୀୟସ୍ୱଜନଙ୍କୁ ଆବେଦନ କରିବାର ୩୦ ଦିନ ମଧ୍ୟରେ ଏହି ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର