ମନେ ରହିବା ଭଳି ଦିନଟିଏ ମେ’୨୯

ଭୁବନେଶ୍ବର : ବିଜେଡି ସରକାରଙ୍କ ପଞ୍ଚମ ପାଳିର ଆଜି ହେଉଛି ବର୍ଷ ପୂର୍ତ୍ତି। କୋଭିଡ୍‌ ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରକୁ ନ ଆସିଲେ ବି ଏହି ଅବସରରେ କ୍ୟାବିନେଟ୍‌ ବୈଠକ ଡକାଇ କରୋନାରେ ପ୍ରଭାବିତ ଗରିବଙ୍କ ଜୀବନ ଜୀବିକା ପାଇଁ ୧୭ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସେହିପରି ମନ୍ତ୍ରୀ ପରିଷଦ ବୈଠକରେ ସମସ୍ତ କରୋନା ଯୋଦ୍ଧାଙ୍କ ଅବଦାନକୁ ମନେରଖିବା ପାଇଁ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ସଂକଳ୍ପ ଗ୍ରହଣ କରାଇଛନ୍ତି। ମନ୍ତ୍ରୀମାନେ ବି କରୋନା ବର୍ଷକୁ ଭୁଲିବେ କିପରି? ଯାହାହେଉ ରିପୋର୍ଟ କାର୍ଡ଼୍‌ ନ ମାଗି ମୁଖ୍ୟମନ୍ତ୍ରୀ କରୋନା ସଂକଳ୍ପ ଦେଇ ଆମକୁ ରକ୍ଷା କରିଦେଲେ ବୋଲି କେତେକ ମନ୍ତ୍ରୀ ବୈଠକ ପରେ କୁହାକୁହି ହେଲେ।

ଆଜିର ଦିନଟି ଆଉ ଗୋଟିଏ ସ୍ମରଣୀୟ ଦିବସ। ଆଜିକୁ ଠିକ୍‌ ୮ ବର୍ଷ ତଳେ ଅର୍ଥାତ୍‌ ୨୦୧୨ ମସିହା ଠିକ୍‌ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଥିବାବେଳେ ବିଜେଡିର ତତ୍କାଳୀନ ଦ୍ବିତୀୟ କ୍ଷମତା କେନ୍ଦ୍ର ବୋଲାଉଥିବା ସ୍ବର୍ଗତଃ ପ୍ୟାରୀ ମୋହନ ମହାପାତ୍ରଙ୍କ ମିଡ୍‌ ନାଇଟ୍‌ କୁପ୍‌ (ବିଦ୍ରୋହ) ସଂଘଟିତ ହୋଇଥିଲା। ଖୁସି ଖବର ବି ଏହି କି ଯେ, ଏବେକାର କ୍ଷମତା କେନ୍ଦ୍ରର ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫’ଟି’ ସଚିବ ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କ ଆଜି ହେଉଛି ଜନ୍ମ ଦିନ। ଏହି ୩ଟି ପ୍ରମୁଖ କାରଣକୁ ରାଜ୍ୟବାସୀ କେମିତି ବା ମନେ ନ ରଖିବେ?

ସମ୍ବନ୍ଧିତ ଖବର