ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଭାବନା ସତ ହୋଇଛି। ପୁରୁଷ ହକି ବିଶ୍ବକପ୍‌ ପୂର୍ବରୁ ଖେଳାଳିମାନଙ୍କ ରହଣି ପାଇଁ ନିର୍ମାଣ ହୋଇଥିବା ହକି ଗ୍ରାମକୁ ନେବ ମେ ଫେୟାର ଗ୍ରୁପ୍‌। ହକି ଗ୍ରାମର ନାମ ପରିବର୍ତ୍ତନ ହୋଇ ରଖାଯିବ ‘ମେ ଫେୟାର କ୍ରୀଡା ଗ୍ରାମ’। ଏହାକୁ କେତେ ବର୍ଷ ପାଇଁ ମେ ଫେୟାର ଗ୍ରୁପ୍‌କୁ ଦିଆଯାଇଛି ତାହା ସ୍ପଷ୍ଟ ହୋଇନି। ସରକାରଙ୍କ ସହ ମେ ଫେୟାର ଗ୍ରୁପ୍‌ର ଚୁକ୍ତିନାମା ଆପାତତଃ ଶେଷ ହୋଇଛି। ଆସନ୍ତା ଦିନରେ ହକି ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ୍‌ର ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିମାନେ ‘ମେ ଫେୟାର କ୍ରୀଡା ଗ୍ରାମ’ରେ ରହିବେ। ଗୁରୁବାର ମେ ଫେୟାର ଗ୍ରୁପ୍‌ର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ, ପରିଚାଳନା ନିର୍ଦ୍ଦେଶକ ମନୋଜ ଗୌଡ଼, ପ୍ରଶାନ୍ତ ପଣ୍ଡା, ଲଲାଟେନ୍ଦୁ ସାମନ୍ତରାୟ, ନିଶାନ୍ତ ରାୟ, ଦୌଲତ ଅଗ୍ରୱାଲଙ୍କ ସମେତ ହରିହର ରାଉତରାୟ ଏବଂ ରାଜୀବ ଧର ପ୍ରମୁଖ ହକି ଗ୍ରାମରେ ରୁମ୍‌, ସୁଇମିଂ ପୁଲ୍‌ ଓ ପାରିପାର୍ଶ୍ବିକ ଭିତ୍ତିଭୂମି ବୁଲି ଦେଖିଥିଲେ।

Advertisment

ଶ୍ରୀ ରାୟ ମେ ଫେୟାର ଗ୍ରୁପ୍‌ ନିର୍ମାଣ ବିଭାଗର ମୁଖ୍ୟ ଲଲାଟେନ୍ଦୁ ସାମନ୍ତରାୟଙ୍କ ସହ ରୁମ୍‌ ଓ ପାରିପାର୍ଶ୍ବିକ ଭିତ୍ତିଭୂମିର ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସରକାରଙ୍କ ପକ୍ଷରୁ ହକି ଗ୍ରାମର ଡ୍ରଇଂ ନକ୍ସା ମିଳିବା ପରେ ଆସନ୍ତା ସପ୍ତାହେ ମଧ୍ୟରେ ଉନ୍ନତୀକରଣ କାମ ଆରମ୍ଭ ହେବ ବୋଲି କହାଯାଉଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗତ ଜୁଲାଇ ୧୭ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ହୋଇଥିଲା। ଅଗଷ୍ଟ ୧୧ରେ ଟେଣ୍ଡର୍‌ ଖୋଲାଯିବା ପରେ ୧୬ରେ ବୈଷୟିକ ଉପସ୍ଥାପନା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଟେଣ୍ଡରରେ ହୋଟେଲ ତାଜ୍‌, ଟ୍ରାଇଟେଣ୍ଡ ପରି ଦେଶର ପ୍ରାୟ ୧୦ରୁ ଅଧିକ ପ୍ରମୁଖ ହୋଟେଲ ଭାଗ ନେଇଥିଲେ। ବିଶ୍ବକପ ଗ୍ରାମର ନିର୍ମାଣ ୨୦୨୨ ମାର୍ଚ୍ଚରେ ଆରମ୍ଭ ହୋଇ ମାତ୍ର ୯ ମାସ ଅବଧି ଭିତରେ ଶେଷ ହୋଇଥିଲା। ୮୪.୦୪ କୋଟି ଟଙ୍କା ବ୍ୟୟରେ ଖେଳାଳିଙ୍କ ରହିବା ପାଇଁ ଏହି ଅତ୍ୟାଧୁନିକ କୋଠା ଗଢ଼ି ଉଠିଥିଲା। ଏଠାରେ ୨୧୭ଟି ରୁମ୍‌ ଓ ୮ଟି ସୁଟ୍‌କୁ ମିଶାଇ ମୋଟ ୨୨୫ଟି ଅତ୍ୟାଧୁନିକ ପ୍ରକୋଷ୍ଠ ରହିଛି। ଏଠାରେ ପ୍ରାୟ ୯.୧୯ କୋଟି ଟଙ୍କା ବ୍ୟୟ ଅଟକଳରେ ସୁଇମିଂ ପୁଲ୍‌ ନିର୍ମାଣ କରାଯାଇଥିବାବେଳେ ଅତ୍ୟାଧୁନିକ ଫିଟ୍‌ନେସ ସେଣ୍ଟର୍‌, ହାଇଡ୍ରୋଥେରାପି ପୁଲ୍‌, ବାଷ୍ପ ସ୍ନାନ ବ୍ୟବସ୍ଥା, ଭିଡିଓ ବୋର୍ଡ ରୁମ୍‌, ୪ଟି ମିଟିଂ ହଲ୍‌, ୩ଟି ଡାଇନିଂ ଏରିନା, ୨ଟି ରୋଷେଇ ଘର, ଅତ୍ୟାଧୁନିକ ବ୍ୟାୟାମଶାଳ‌‌ା, ରିସେପ୍‌ସନ ଏରିଆ ଆଦି ଉପଲବ୍ଧ ରହିଛି।