ବୋଲଗଡ଼/ବେଗୁନିଆ/ଖୋର୍ଦ୍ଧା: ଜଳବାୟୁ ପରିବର୍ତ୍ତନ ସ୍ଥିତି ଏବେ ଅତି ଭୟଙ୍କର ଓ ବଡ଼ ଚିନ୍ତାର ବିଷୟ। ଆଗଭଳି ବର୍ଷା ଦିନେ ଆଉ ଝଡ଼ିବର୍ଷା ନାହିଁ କି ଶୀତ ଦିନେ ଶୀତ ଅନୁଭୂତ ହେଉନାହିଁ। ଏମିତି ସ୍ଥିତିରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ବେଶ୍ ଗୁରୁତ୍ବ ବହନ କରୁଛି। ତେଣୁ ମା’ମାନେ ଆଗେଇ ଆସି ‘ପୁନଶ୍ଚ ପୃଥିବୀ’ର ସୂତ୍ରଧର ହୁଅନ୍ତୁ। ସେମାନେ ଚାହିଁଲେ ବିଶ୍ବର ଏହି ବଡ଼ ସମସ୍ୟାର ସମାଧାନ ହୋଇପାରିବ। ପ୍ରତ୍ୟେକ ମା’ ଅନ୍ତତଃ ପକ୍ଷେ ୫ଟି ଗଛ ଲଗାଇବା ସହିତ ପାଞ୍ଚ ଜଣଙ୍କୁ ଏ ବିଷୟରେ ସଚେତନ କରନ୍ତୁ ଏବଂ ‘ପୁନଶ୍ଚ ପୃଥିବୀ’ ସମ୍ପର୍କରେ କୁହନ୍ତୁ। ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଗାଁ ଗାଁରେ ପହଞ୍ଚୁ ବୋଲି କହିଛନ୍ତି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ।
ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଧଳାପଥର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ସାହୁ ନିଜ ଅଞ୍ଚଳର ପରିବେଶକୁ ନେଇ ଘୋର ଚିନ୍ତା ପ୍ରକଟ କରିଥିଲେ। କହିଥିଲେ, ସରକାର ୧୦ବର୍ଷ ତଳେ ବୃକ୍ଷରୋପଣ ଉପରେ ଜୋର୍ ଦେଇଥିଲେ। ଗଛ ନ ରହିଲେ ଆଗକୁ ଭୟଙ୍କର ପରିସ୍ଥିତି ଉପୁଜିବ। ତେଣୁ ବଞ୍ଚିବା ପାଇଁ ଯେମିତି କାନ୍ଧରେ ଗୋଟିଏ ଗୋଟିଏ ଅମ୍ଲଜାନ ଥଳି ଧରି ବୁଲିବା ପରିସ୍ଥିତି ନ ହେଉ କହି ସେ ସମସ୍ତଙ୍କୁ ଏ ପ୍ରସଙ୍ଗରେ ସତର୍କ କରାଇ ଦେଇଥିଲେ। ଏ ବର୍ଷ ଯେଉଁଠି ଯେଉଁଠି ବୃକ୍ଷରୋପଣ ହେଉଛି, ଆସନ୍ତାବର୍ଷ ସେଠାରେ ଗଛ ବଞ୍ଚିଛି କି ନାହିଁ, ସେ ତା’ର ତଦାରଖ କରିବେ ବୋଲି କହିଥିଲେ। ବେଗୁନିଆ ଓ ବୋଲଗଡ଼ ବ୍ଲକ୍ରେ ଚାରା ବଞ୍ଚିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।
ଧଳାପଥର ପଞ୍ଚାୟତ ସରପଞ୍ଚ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧଳାପଥର ସମିତିସଭ୍ୟ ବିଜୟ କୁମାର ସୁବୁଦ୍ଧି, ବରିଷ୍ଠ ନାଗରିକ ରତ୍ନାକର ମହାପାତ୍ର, ପରିବେଶବିତ୍ ରାଜକିଶୋର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ଅର୍ଜୁନ ବେହେରା, ପୂର୍ବତନ ସରପଞ୍ଚ ସୂରଜ ସୁବୁଦ୍ଧି, ଫରେଷ୍ଟର ପ୍ରଦୀପ ପଟ୍ଟନାୟକ, ଗଣିଆର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସାହୁ, ପରିବେଶବିତ୍ ପ୍ରଦୀପ ସାହୁ, ସ୍ବେଚ୍ଛାସେବୀ ସଂଗଠନ ‘ସୋଡ୍’ର ସଭାପତି ପ୍ରଦୀପ ଦାସ ପ୍ରମୁଖ ମଞ୍ଚାସୀନ ହୋଇ ସ୍ଥାନୀୟ ଅଞ୍ଚଳର ଜଳବାୟୁ ଓ ପରିବେଶ ସମସ୍ୟା ଉପରେ ଆଲୋକପାତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fhsfhfhsfhf-1.jpg)