ବୁର୍ଲା: ସମ୍ବଲପୁର ବିଶ୍ବବିଦ୍ୟାଳୟ ତା’ର ଶୈକ୍ଷିକ ବାତାବରଣରେ ଅଗ୍ରଗତି ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି। ଉଦ୍ୟମିତା ବିକାଶ, ପରିବେଶ ବିଦ୍ୟା, ବିପର୍ଯ୍ୟୟ ପରିଚାଳନା ଆଦି ସହ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିଛି। ଏଠାରୁ ବାହାରିଥିବା ଛାତଛାତ୍ରୀମାନେ ୨୦୪୭ ବିକଶିତ ଭାରତର ଜଣେ ଜଣେ ସାରଥି ହୁଅନ୍ତୁ ବୋଲି ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଆହ୍ବାନ ଦେଇଛନ୍ତି। ଶନିବାର ସମ୍ବଲପୁର ବିଶ୍ବବିଦ୍ୟାଳୟର ୩୫ତମ ସମାବର୍ତ୍ତନ ଉତ୍ସବ କୁଳାଧିପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ବିଶ୍ବବିଦ୍ୟାଳୟକୁ ଗବେଷଣାତ୍ମକ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ‘ଉଷା’ ଯୋଜନାରେ ୧୦୦ କୋଟି ଟଙ୍କା ସହ ରାଜ୍ୟ ସରକାର ୪୭ କୋଟି ଟଙ୍କା ଓ ଅତିରିକ୍ତ ଭାବରେ ‘ସୁଇଟ୍’କୁ ୧୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବା ବିଷୟରେ ସୂଚନା ଦେଇଥିଲେ। ଏଥି ସହିତ ନୂତନ ଶିକ୍ଷାନୀତି ୨୦୨୦ ଓ ତା’ର କାର୍ଯ୍ୟକାରିତା ବିଷୟରେ କହିଥିଲେ। ରେଢ଼ାଖୋଲର ଭୀମମଣ୍ଡଳୀରେ ପାଞ୍ଚଶହ ବର୍ଷ ପୁରୁଣା ଶିଳାଲେଖ ରହିଛି। ସେହିପରି ଦ୍ବିତୀୟ ବୁଦ୍ଧଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଲଖନପୁର ଅଞ୍ଚଳରେ ରହିଛି। ଏହି ଦୁଇ ଅନାଲୋଚିତ ବିଷୟକୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ଉନ୍ମୋଚନ କରୁ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ବିଶ୍ବବିଦ୍ୟାଳୟର ସମସ୍ତ ଆଭ୍ୟନ୍ତରୀଣ କାର୍ଯ୍ୟକ୍ରମରେ ଇଂରାଜୀ ଭାଷାର ବହୁଳ ବ୍ୟବହାର ନ କରି ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେବାକୁ ସେ ଆହ୍ବାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗ ଦେଇ ଏଠାରୁ ବାହାରୁଥିବା ଛାତ୍ରଛାତ୍ରୀ ଓଡ଼ିଶା ଓ ଦେଶର ବିକାଶର କର୍ଣ୍ଣଧାର ହେବା ପାଇଁ ପରାମର୍ଶ ଦେଇଥିଲେ। ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶିକ୍ଷା କେବଳ ବ୍ୟକ୍ତିଗତ ଉନ୍ନତି ପାଇଁ ନୁହେଁ, ବରଂ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ସମାଜ ପ୍ରତି ଦାୟିତ୍ବବୋଧ ରହିବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା, ଯୁବବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଲେ, ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ଏକ ଅର୍ନ୍ତଜାତୀୟ ଶ୍ରେଣୀର ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ଯାହା ଆବଶ୍ୟକ, ରାଜ୍ୟ ସରକାର ତାହା କରିବାକୁ ପ୍ରସ୍ତୁତ ଅଛନ୍ତି।
ଅନ୍ୟତମ ଅତିଥି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଲେ, ସମ୍ବଲପୁର ବିଶ୍ବବିଦ୍ୟାଳୟ କ୍ରମାଗତ ଭାବରେ ଅନ୍ତଃବିଶ୍ବବିଦ୍ୟାଳୟ ହକିରେ ଜାତୀୟ ଚାମ୍ପିଅନ ହୋଇଆସୁଛି। ଚଳିତ ବର୍ଷ ପୂର୍ବାଞ୍ଚଳ ଫୁଟବଲରେ ମଧ୍ୟ ଚାମ୍ପିଅନ୍ ହୋଇଛି। ଏଠାରେ ଏକ ମିନି ହକି ଷ୍ଟାଡିୟମ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିବାବେଳେ ଏ ସଂକ୍ରାନ୍ତରେ ଅବିଳମ୍ବେ ପଦକ୍ଷେପ ନେବାକୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପ୍ରାରମ୍ଭରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ବିଶ୍ବବିଦ୍ୟାଳୟର ବିବରଣୀ ପାଠ କରିଥିଲେ। କୁଳସଚିବ ଅଶୋକ ବେହେରା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଡ. ଶୁଭଦୀପ ଗାଙ୍ଗୁଲିଙ୍କୁ ଡିଏସ୍ସି, ଡ. ରାକେଶ ବିଶିଙ୍କୁ ଡିଲିଟ୍ ଉପାଧି ସହ ୧୦୨ ଜଣଙ୍କୁ ପିଏଚ୍ଡି, ୩୯ ଜଣଙ୍କୁ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ପଦକ, ୨୦ ଜଣଙ୍କୁ ଡୋନେଟେଡ୍ ସ୍ବର୍ଣ୍ଣ ପଦକ, ୩ ଜଣଙ୍କୁ ଓସାନି ପୁରସ୍କାର ତଥା ଇଂରାଜୀ ଓ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/14/untitled-23-2025-09-14-08-04-32.jpg)