ଭୁବନେଶ୍ବର: ସମ୍ମାନଜନକ ‘ମାୟା କାମାଥ ମେମୋରିଆଲ୍ଆୱାର୍ଡ’ ପାଇଁ ମନୋନୀତ ହୋଇଛନ୍ତି ‘ସମ୍ବାଦ’ର ବ୍ୟଙ୍ଗ ଚିତ୍ରଶିଳ୍ପୀ ଦେବାଶିଷ ସିଂହ। ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କାର୍ଟୁନିଷ୍ଟ୍ସ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଦେବାଶିଷଙ୍କ ବ୍ୟଙ୍ଗଚିତ୍ର ଦ୍ବିତୀୟ ସ୍ଥାନ ଅଧିକାର କରିଛି। ସର୍ବଭାରତୀୟସ୍ତରରେ ଜଣେ ଯୁବ ବ୍ୟଙ୍ଗ ଚିତ୍ରଶିଳ୍ପୀଙ୍କ ଏହି ସଫଳତା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି।
ସୂଚନା ଅନୁସାରେ, ୨୦୧୯ ମସିହା ପାଇଁ ମାୟା କାମଥ୍ ମେମୋରିଆଲ୍ ଆୱାର୍ଡ ପ୍ରତିଯୋଗିତାରେ ଦେବାଶିଷଙ୍କ ରାଜନୈତିକ ବ୍ୟଙ୍ଗ ଛବି ବେଶ୍ ପ୍ରଶଂସିତ ହୋଇଛି। ଗତ ଦୁଇ ବର୍ଷ ତଳେ ଦେଶରେ ବିଜେପି ଓ କଂଗ୍ରେସର ସ୍ଥିତିକୁ ନେଇ ସେ ଏହି ବ୍ୟଙ୍ଗଚିତ୍ର ଆଙ୍କିଥିଲେ, ଯାହାକି ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ସର୍ବଭାରତୀୟ ସ୍ତରରେ ବିଭିନ୍ନ ବିଭାଗରେ ‘ ମାୟା କାମାଥ ମେମୋରିଆଲ୍ ‘ଆୱାର୍ଡ’ ଦିଆଯାଉଥିବା ବେଳେ ଦେବାଶିଷଙ୍କ ବ୍ୟଙ୍ଗଚିତ୍ର ‘ପଲିଟିକାଲ କାର୍ଟୁନ’ ବର୍ଗରେ ଦ୍ବିତୀୟ ସ୍ଥାନ ପାଇଁ ମନୋନୀତ ହୋଇଛି। ପୁରସ୍କାର ବାବଦରେ ତାଙ୍କୁ ୧୫,୦୦୦ ଟଙ୍କା ମିଳିବ। ବଲାଙ୍ଗୀରରେ ଜନ୍ମିତ ଦେବାଶିଷ ଇଂଜିନିୟରିଂ କରିଥିଲେ ମଧ୍ୟ ବ୍ୟଙ୍ଗଚିତ୍ରକୁ ନେଇ ସେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ବିଭିନ୍ନ ସମୟରେ ତାଙ୍କର ବ୍ୟଙ୍ଗଚିତ୍ର ପ୍ରଶଂସିତ ହୋଇଆସୁଛି।