ଫେସ୍‌ବୁକ୍‌ ସୁନ୍ଦରୀଙ୍କ ମାୟାଜାଲ: ଯୁବକ ହେଲେ ଶିକାର, ଭିଡିଓ ଭାଇରାଲ୍   

ବାମରା:  ସୋସିଆଲ ମିଡିଆ ଫେସବୁକ୍ ବର୍ତ୍ତମାନ ଦୈନନ୍ଦିନ ଜୀବନରେ ଲୋକଙ୍କ ପାଇଁ ଏକ ଅଭିନ୍ନ ଅଙ୍ଗ ପାଲଟିଛି। ତେବେ ଭଲ ଦିଗ ପରି ଏହାର ଖରାପ ଦିଗଟି ମଧ୍ୟ ଲୋକଙ୍କୁ ପ୍ରଭାବିତ କରୁଛି। ଏହାର ଅପବ୍ୟବହାର କରି ଅନେକ ଯୁବକ ଯୁବତୀ ଏହାର  ଶିକାର ହେଉଛନ୍ତି। ଏହିଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାମରା ବ୍ଲକ୍ ଅଞ୍ଚଳରେ। ସୂଚନା ଅନୁସାରେ ବାମରା ଷ୍ଟେସନ ବସ୍ତିର ଜଣେ ଯୁବକ ଜଣେ ଯୁବତୀଙ୍କ ସହିତ ଫେସବୁକରେ ବନ୍ଧୁତା କରିଥିଲେ। ଏହି କ୍ରମରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଅନେକ ବ୍ୟକ୍ତିଗତ ଗୋପନୀୟ ଚାଟିଂ ମଧ୍ୟ ହେଉଥିଲା।

ତେବେ ସମ୍ପର୍କ ଘନିଷ୍ଠ ହେବାପରେ ଯୁବତୀ ଜଣକ ମୋବାଇଲ କ୍ୟାମେରା ସାମ୍ନାରେ ଯୁବକଙ୍କୁ ଉଲଗ୍ନ ହେବାକୁ କହିଥିଲେ। ଆଗପଛ ନ ବିଚାରି ଯୁବକ ଜଣକ ମଧ୍ୟ ଦେହରୁ ପୋଷାକ ଓହ୍ଲାଇ ଦେଇଥିଲେ। ଏହାପରେ ଚତୁରତାର ସହ ଉକ୍ତ ଯୁବତୀ ଜଣକ ସ୍କ୍ରିନ ରେକର୍ଡର ଦ୍ବାରା ଯୁବକଙ୍କ ଏହି ଦୃଶ୍ୟକୁ ରେକର୍ଡିଂ କରି ନେଇଥିଲେ। ଖାଲି ସେତିକି ନୁହେଁ, ତାଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦାବି କରିଥିଲେ। ଟଙ୍କା ନ ଦେଲେ ଯୁବକଙ୍କ ଭିଡିଓ ଭାଇରାଲ କରିଦେବାକୁ ଦେଇଥିଲେ ଧମକ। ତେବେ ଯୁବକ ଜଣକ ଏହାକୁ ଅଣଦେଖା କରିବାରୁ ଯୁବତୀ ସମ୍ପୃକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ୍ କରି ଦେଇଥିଲେ, ଯାହା ଭାଇରାଲ୍ ହୋଇ ଯାଇଥିଲା। ତେବେ ଏସମ୍ପର୍କରେ ପୁଲିସ ନିକଟରେ କୌଣସି ଅଭିଯୋଗ ହୋଇ ନ ଥିବା ଗୋବିନ୍ଦପୁର ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର