ବ୍ୟାସନଗର: ବ୍ୟାସନଗର ସହରରେ ରାତିଅଧିଆ ନର୍ଦ୍ଦମା ସଫେଇକୁ ନେଇ ପୌରାଧ୍ୟକ୍ଷାଙ୍କ ସ୍ଵାମୀ ଓ ଉପନଗରପାଳ ଏକ ଜଣେ କାଉନସିଲରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବିବାଦ ଥାନାରେ ମଧ୍ୟ ପହଞ୍ଚିଛି। ଗତ ୨୭ ତାରିଖ ରାତି ପ୍ରାୟ ୧୧ ଟା ସମୟରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ୧୮ ନମ୍ବର ୱାର୍ଡର କାଉନସିଲର ଭରତ ଓଝାଙ୍କୁ ସାଙ୍ଗରେ ନେଇ ସହରର ବ୍ୟାଙ୍କ ଷ୍ଟ୍ରିଟରେ ଶ୍ରମିକ ଲଗାଇ ସଫେଇ କରୁଥିଲେ। ଉପନଗରପାଳ ସୁବାସ ବଳ ଏହାକୁ ବିରୋଧ କରିଥିଲେ। ଦିନରେ ସଫେଇ ନକରି ରାତିଅଧିଆ ସଫେଇ ତଥା ସମ୍ପୃକ୍ତ ୱାର୍ଡର କାଉନସିଲର କିମ୍ବା ବିଜେଡି କାଉନସିଲରମାନଙ୍କୁ ନ ଡାକି ୧୮ ନମ୍ବର ୱାର୍ଡର କଂଗ୍ରେସ କାଉନସିଲର ଶ୍ରୀ ଓଝାଙ୍କ ଉପସ୍ଥିତିରେ ସଫେଇକୁ ଉପନଗରପାଳ ଶ୍ରୀ ବଳ ବିରୋଧ କରିଥିଲେ।
ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାକୁ ନେଇ ଗତ ୩୧ ତାରିଖରେ କାଉନସିଲର ଭରତ ଓଝା ଉପନଗରପାଳ ଶ୍ରୀ ବଳଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ଉପନଗରପାଳ ଶ୍ରୀ ବଳ ମଧ୍ୟ ପୌରାଧ୍ୟକ୍ଷାଙ୍କ ସ୍ଵାମୀ ରୂପସିଂ ପିଙ୍ଗୁଆ ଏବଂ କାଉନସିଲର ଶ୍ରୀ ଓଝାଙ୍କ ନାମରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଆଜି ସନ୍ଧ୍ୟାରେ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଥିଲେ। ହେଲେ କାଉନସିଲର ଶ୍ରୀ ଓଝା ପହଞ୍ଚି ନଥିଲେ। ଉପନଗରପାଳ ଶ୍ରୀ ବଳଙ୍କ ସମେତ ୧୪ ଜଣ କାଉନସିଲର ବିଜୟ ଜେନା, ଇଂ ମୋନାଲିସା ସାହୁ, ସୁଜାତା ପ୍ରିୟଦର୍ଶିନୀ ପରିଡ଼ା, ଅଶୋକ ଦାସ, ମଣୀନ୍ଦ୍ର କୁମାର ସାହୁ, ସନ୍ତୋଷ ବରାଳ, ସିଦ୍ଧାର୍ଥ ସାମଲ, ଶିବାନନ୍ଦ ନାୟକ, ଉର୍ମିଳା ପରିଡ଼ା, କୁମୁଦିନୀ ରାଉତ, ଅଶୋକ ରାଉତ, ଦିଲୀପ ସେଠୀ, ବ୍ୟାସନଗର ଯୁବ ବିଜେଡି ସଭାପତି ମନୋଜ ପରିଡ଼ା, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରଭାତ କୁମାର ସାହୁ, ବିଜେଡି ନେତା ମନୋଜ ରାଉତ, ପ୍ରମୋଦ ବେହେରା, ମୁନା ଜେନା ପ୍ରମୁଖ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ହେଲେ ଏହି ସମୟରେ ବିଜେଡିର ୩ ଜଣ କାଉନସିଲର ଉପସ୍ଥିତ ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/10-1.jpg)