ବ୍ରହ୍ମପୁର : ଜେଲ୍ରେ ଥାଇ ନିର୍ବାଚନ ଲଢ଼ୁଛନ୍ତି ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମେୟର୍ ଶିବଶଙ୍କର ଦାଶ ଓରଫ ପିଣ୍ଟୁ। ତାଙ୍କ ପାଇଁ ପତ୍ନୀ ଆଶା କୁମାରୀ ଏବେ ପ୍ରଚାରର ମଙ୍ଗ ଧରିଛନ୍ତି। ବର୍ତ୍ତମାନ ନିବାଚନକୁ ନେଇ ରାଜନୀତି ସରଗରମ ହୋଇ ଉଠୁଥିବାବେଳେ ଏହା ଏବେ ବ୍ରହ୍ମପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।
୨୦୦୮ରେ ପିଣ୍ଟୁ ଶାସକ ବିଜେଡି ଟିକେଟରେ କର୍ପୋରେଟର ହୋଇ ନବଗଠିତ ବିଏମ୍ସିର ପ୍ରଥମ ମେୟର ହୋଇଥିଲେ। ୨୦୧୩ ପୁଣି ପୌର ନିର୍ବାଚନରେ ଶାସକ ଦଳ ଟିକେଟରେ କର୍ପୋରେଟର ଭାବେ ବିଜୟୀ ହୋଇଥିଲେ। ତେବେ ଦଳରେ ମତପାର୍ଥକ୍ୟ ଯୋଗୁଁ ପିଣ୍ଟୁ ୨୦୧୪ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଓ ବ୍ରହ୍ମପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇ ପ୍ରାୟ ୨୫ହଜାର ଭୋଟ ପାଇଥିଲେ। ଏହା ପର ଠାରୁ ପିଣ୍ଟୁ ବିଭିନ୍ନ ଫୌଜଦାରୀ ମାମଲାରେ ଛନ୍ଦି ହୋଇ ଯାଇଥିଲେ। ତାଙ୍କ ନାମରେ ପୁଲିସ ଗୋଟିଏ ପରେ ଗୋଟିଏ କରି ଏ ପର୍ଯ୍ୟନ୍ତ ମୋଟ ୩୮ଟି ମାମଲା ରୁଜୁ କରିସାରିଛି। ସେ ୩୬ଟି ମାମଲାରେ ଅଦାଲତରୁ ଜାମିନ୍ ପାଇଥିବା ବେଳେ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୨ଟି ଆଟ୍ରସିଟି ମାମଲା(ଦଳିତଙ୍କ ଜମି ହଡ଼ପ୍)ରେ ତାଙ୍କୁ ଜାମିନ୍ ମିଳିପାରି ନାହିଁ। ପିଣ୍ଟୁ ଏବେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି। ତାଙ୍କ ୧୦ ବର୍ଷ ରାଜନୈତିକ କ୍ୟାରିୟର୍ ଭିତରେ ଦୁଇ ପର୍ଯ୍ୟାୟରେ ସେ ପ୍ରାୟ ଦେଢ଼ ବର୍ଷ ଜେଲ୍ରେ କାଟି ସାରିଲେଣି।
ଗତ ୨୦୧୪ ନିର୍ବାଚନରେ ପିଣ୍ଟୁ ବ୍ରହ୍ମପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଥିଲେ। ଚଳିତ ଥର ମଧ୍ୟ ସେ ବିଜେପିରୁ ଟିକଟ ଦାବିଦାରଙ୍କ ତାଲିକାରେ ସର୍ବାଗ୍ରେ ଥିଲେ। କିନ୍ତୁ ଜେଲ୍ରୁ ମୁକୁଳି ନପାରିବା ଓ ଟିକେଟରୁ ବଞ୍ଚିତ ହେବା ପରେ ଜେଲ୍ରେ ଥାଇ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ଶିବଶଙ୍କର ଏବଂ ତାଙ୍କ ପତ୍ନୀ ଆଶା ପ୍ରତିଦ୍ୱନ୍ଦ୍ୱିତା ପାଇଁ ନାମାଙ୍କନ ଦାଖଲ କରିଥିଲେ। ପିଣ୍ଟୁଙ୍କ ପ୍ରାର୍ଥିପତ୍ର କାଏମ୍ ରହିବା ପରେ ଆଶା ନାମାଙ୍କନ ପ୍ରତ୍ୟାହାର କରି ସ୍ୱାମୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ପିଣ୍ଟୁଙ୍କ ମା’ସାରଦା ଦାଶ ତାଙ୍କୁ ସହଯୋଗ କରୁଛନ୍ତି। ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ ହୋଇଛନ୍ତି। ସେମାନଙ୍କ ଭିତରେ ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀଙ୍କ ଲଢ଼େଇରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବୋଲି ଏବେ ଖୁବ୍ ଚର୍ଚ୍ଚା।