ବାରିପଦା : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲ ଅଞ୍ଚଳରୁ ୧୭ କୋଟିରୁ ଅଧିକ ଟଙ୍କାର ବାଲି ଚୋରା ଚାଲାଣ ମାମଲାରେ ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି) ହସ୍ତକ୍ଷେପ କରିବା ପରଠାରୁ ତହସିଲଦାର ମମତାଜ ମହାରଣାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବେଆଇନ ବାଲି ଚାଲାଣ ଓ ସରକାରଙ୍କ ରାଜସ୍ବ କ୍ଷତି ପାଇଁ ଏନ୍ଜିଟି ତାଙ୍କୁ ଦାୟୀ କରିଥିବା ବେଳେ ଗତ ୬ ତାରିଖରେ ମମତାଜଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ନିଲମ୍ବନ ଆଦେଶ ପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବା ସହ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ନଛାଡ଼ିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ଏହାକୁ ସେ ଭ୍ରୁକ୍ଷେପ କରିନାହାନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ତହସିଲଦାରଙ୍କୁ ଚାକିରିରୁ ବହିଷ୍କାର ଲାଗି ସରକାରୀସ୍ତରରେ ଏକପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି।
ତହସିଲଦାରଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ ହୋଇଥିବାରୁ ଗିରଫଦାରୀ ଏଡ଼ାଇବା ପାଇଁ ସେ ଏପ୍ରିଲ ୩୦ ତାରିଖରୁ ଫେରାର ଅଛନ୍ତି। ରାଜ୍ୟ ସରକାର ମଧ୍ୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତାଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମେ’ ୧୦ ତାରିଖରେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ନୋଟିସ୍ ପାଇବାର ୩୦ ଦିନ ମଧ୍ୟରେ ସେ ତାଙ୍କର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସମ୍ପତ୍ତିର ଅପବ୍ୟବହାର, ନିଜ କ୍ଷମତାର ଦୁରୁପଯୋଗ, ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା ଓ ତଦନ୍ତରେ ଅସହଯୋଗ ଆଦି କାରଣକୁ ନେଇ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ନୋଟିସ୍ ଜାରି କରିଛନ୍ତି। ମମତାଜଙ୍କ କଟକସ୍ଥିତ ଘର ଠିକଣା ଓ ଆବାସିକ କାର୍ଯ୍ୟାଳୟ ଠିକଣାରେ ସ୍ପିଡ୍ ପୋଷ୍ଟ ଜରିଆରେ ଏହି ନୋଟିସ୍ ପଠାଯାଇଛି। ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସଂପର୍କରେ ଅବଗତ କରାଯାଇଛି। ସରକାର ତାଙ୍କ ବିରୋଧରେ କଠୋର ହେଉଥିବାରୁ ସେ ଆତ୍ମସମର୍ପଣ କରୁଛନ୍ତି କି ନାହିଁ, ତାକୁ ନେଇ ଏବେ ବିଭିନ୍ନ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/20-1-750x381-1.jpg)