ମୟୂରଭଞ୍ଜ: ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଆରମ୍ଭ

ବାରିପଦା : ଫାଇଲିନ ଓ ଫନିର ଅନୁଭୂତିକୁ କାମରେ ଲଗାଇବ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। କୌଣସି ପରିସ୍ଥିତିରେ ଜଣେ ବି ମୃତାହତ ନ ହେବେ ସେଥିପାଇଁ ଜୋରଦାର ଉଦ୍ୟମ ଚଳାଇଛି। ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ପବନ ‌ବହିବା ନେଇ ପୂର୍ବାନୁମାନ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରାସଗୋବିନ୍ଦପୁର, ମୋରଡ଼ା, ବାରିପଦା, ବେତନଟୀ, ଶ୍ୟାମାଖୁଣ୍ଟା, କପ୍ତିପଦା ଓ ବଡ଼ସାହି ଭଳି ୭ଟି ବ୍ଲକ୍‌ର ହଜାର ହଜାର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି କରାଯିବ। ସେଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଏକ ଜରୁରୀ ବୈଠକରେ ସମସ୍ତ ବ୍ଲକ୍‌ର ବିଡିଓ ଏବଂ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଜିଲ୍ଲାରେ ମୋଟ ୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ତେବେ ଏଗୁଡ଼ିକ ମଧ୍ୟରୁ ଦୁଇଟି ସଙ୍ଗରୋଧ କେନ୍ଦ୍ର ଭାବେ ବ୍ୟବହୃତ ହେଉଛି। ଜିଲ୍ଲାରେ ରହିଥିବା ୨୫ଟି ଅଗ୍ନିଶମ କେନ୍ଦ୍ରକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ତେଣୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡ଼ି ଓ ସରକାରୀ ଗୃହକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘରଗୁଡ଼ିକ ସାଧାରଣ ଜନତା ଓ ଗୃହପାଳିତ ପ୍ରାଣୀଙ୍କ ପାଇଁ ଆଶ୍ରୟ ଗୃହ ଭାବେ କାର୍ଯ୍ୟ କରିବ। ଆପତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗୋଟିଏ ଏନଡିଆରଏଫ୍‌ ଓ ୪ଟି ଓଡ୍ରାଫ୍‌ ଟିମ୍‌କୁ ଜିଲ୍ଲା ମୁଖ୍ୟାଳୟରେ ପ୍ରସ୍ତୁତ କରି ରଖାଯାଇଛି। ସମସ୍ତ ଆଶ୍ରୟସ୍ଥଳକୁ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ କରିବା ପାଇଁ ଆଗୁଆ ବିହିତ ପଦକ୍ଷେପ ନେବାକୁ ସମସ୍ତ ଲାଇନ୍‌ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ଏହା ସହିତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କର ଛୁଟି ବାତିଲ୍ କରାଯାଇଛି।

ସମ୍ବନ୍ଧିତ ଖବର