ବିଳମ୍ବିତ ରାତିରେ ବେତନଟୀ ଥାନାରେ, ଆଜି ଦିନରେ ବୈଶିଙ୍ଗା ଥାନାରେ ପଚରାଉଚୁରା
ଦାୟିତ୍ୱରୁ ରିଲିଭ୍ ହେଲେ, ଅତିରିକ୍ତ ତହସିଲଦାରଙ୍କୁ ତହସିଲଦାର ଦାୟିତ୍ୱ
ଲଘୁ ଖଣିଜ ମାଫିଆଙ୍କ ସହିତ ସୁସମ୍ପର୍କ ଆଣିଦେଲା ବିପଦ
ଆର୍ଆଇ ଟ୍ରକ୍ ଅଟକାଇନଥିଲେ, ତେବେ କିଏ ଅଟକାଇଥିଲା?
ବାରିପଦା/ବେତନଟୀ/ବୈଶିଙ୍ଗା : ଲଘୁ ଖଣିଜ ମାଫିଆଙ୍କ ସହିତ ସୁସମ୍ପର୍କ ଜଣେ ଯୁବ ପ୍ରଶାସନିକ ଅଧିକାରିଣୀଙ୍କ ପାଇଁ ବିପଦର କାରଣ ପାଲଟିଛି। ବହୁ ବରିଷ୍ଠ ଅଧିକାରୀଙ୍କ ନାମକୁ ଅଯଥାରେ ବ୍ୟବହାର କରିବା ତଥା ନିଜର ପଦ ଓ ଗାରିମାର ଅପବ୍ୟବହାର କରୁଥିବା ଏକାଧିକ ଅଡିଓ ଟେପ୍ ଭାଇରାଲ୍ ହେବା ପରେ ବେତନଟୀ ତହସିଲଦାର ଅନୀଶା ଦାସଙ୍କୁ ରାତିଅଧିଆ ପ୍ରଶାସନିକ ଗ୍ରାଉଣ୍ଡରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର୍ ଭାବେ ବଦଳି କରାଯାଇଛି। ତେବେ ଏତିକିରେ ତାଙ୍କ ଅଡ଼ୁଆ ସରିନାହିଁ। ଗତକାଲି ବିଳମ୍ବିତ ରାତିରେ ତହସିଲଦାର ଶ୍ରୀମତୀ ଦାସଙ୍କୁ ବେତନଟୀ ଥାନାକୁ ଡକାଯାଇ ପଚରାଉଚୁରା କରାଯାଇଥିଲା। ସେହିପରି ଆଜି ମଧ୍ୟ ଦିନ ସମୟରେ ତାଙ୍କୁ ବୈଶିଙ୍ଗା ଥାନାକୁ ଡକାଯାଇ ପଚରାଉଚୁରା କରାଯାଇଥିଲା। ତେବେ ବ୍ୟକ୍ତିଗତ ମୁଚାଲିକାରେ ତହସିଲଦାରଙ୍କୁ ଥାନାରୁ ଛଡ଼ାଯାଇଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2020/07/48329474_2246017358756307_7130105375939887104_n-300x242.jpg)
ଆଜି ବେତନଟୀରୁ ତହସିଲଦାର ଅନୀଶା ଦାସଙ୍କୁ ରିଲିଭ୍ କରାଯାଇଛି। ତାଙ୍କ ସ୍ଥାନରେ ଅତିରିକ୍ତ ତହସିଲଦାର ନମିତା ଧଳଙ୍କୁ ତହସିଲଦାର ଦାୟିତ୍ୱରେ ରଖାଯାଇଥିବା ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସୂଚନା ଦେଇଛନ୍ତି। ସେହିପରି ବିବାଦୀୟ ତହସିଲଦାର ଶ୍ରୀମତୀ ଦାସଙ୍କ ବିରୋଧରେ ପରବର୍ତ୍ତୀ ସମୟରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବେଆଇନ ଭାବେ ମୋରମ୍ ବୋଝେଇ ଟ୍ରକ୍କୁ କିଛି ମାଫିଆଙ୍କ ସହାୟତାରେ ଜବତ କରି ଚାନ୍ଦା ମାଗୁଥିବା ଘଟଣାରେ କ୍ରମଶଃ ବିବାଦୀୟ ହେବାକୁ ଲାଗିଛି। ଖୋଦ୍
ଏସ୍ପି ସ୍ମିତ୍ ପି ପରମାର୍ ଏହି ଘଟଣାକୁ ବ୍ୟକ୍ତିଗତଭାବେ ତଦାରଖ କରୁଥିବା ଜଣାପଡ଼ିଛି। ଆଜି ଏହି ଘଟଣାର ତଦନ୍ତ ପ୍ରକ୍ରିୟାକୁ ବଳିଷ୍ଠ ଏବଂ ତ୍ୱରାନ୍ୱିତ କରିବାକୁ ବାଲେଶ୍ୱରରୁ ବରିଷ୍ଠ ପୁଲିସ୍ ଅଧିକାରୀ(ଡିଏସ୍ପି) ମନୋଜ ରାଉତ ବୈଶିଙ୍ଗା ଆସି ମାମଲା ସମ୍ପର୍କରେ ଖୋଳତାଡ଼ କରିଛନ୍ତି। ସେହିପରି ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ, ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ, ବଡ଼ସାହି ଆଇଆଇସି ଜୟନ୍ତ କୁମାର ବେହେରା ପ୍ରମୁଖ ମଧ୍ୟ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ସାମିଲ ଅଛନ୍ତି। ଘଟଣା ଦିନ ବ୍ୟବସାୟୀ ଶ୍ରୀକାନ୍ତ ଦାସଙ୍କ ଡମ୍ଫରକୁ ବୈଶିଙ୍ଗାରେ ଅଟକା ଯାଇଥିଲା ବେତନଟୀ ତହସିଲଦାର ଥାନାରେ ଏତଲା ଦେଇଛନ୍ତି। ତେବେ ଏହି ଘଟଣା ବାବଦରେ ବୈଶିଙ୍ଗା ରାଜସ୍ୱ ନିରୀକ୍ଷିକା(ଆର୍ଆଇ) ଅହଲ୍ୟା ବେହେରାଙ୍କୁ ପଚାରିବା ପରେ ସେ କୌଣସି ଗାଡି ଜବତ କିମ୍ବା ଯାଞ୍ଚ ବାବଦରେ ସୂଚନା ନଥିବା କହିଛନ୍ତି । ଯଦି ଆର୍ଆଇ କୌଣସି ଗାଡି ଜବତ କରିନଥିଲେ ତେବେ କିଏ ଜବତ କରିଥିଲେ ବୋଲି ପ୍ରଶ୍ନ ଉଠିଛି। ଏହି ମାମଲାରେ ଲଘୁ ଖଣିଜ ମାଫିଆଙ୍କ ସଂପୃକ୍ତି ଜଳଜଳ ଦିଶୁଥିବା ଚର୍ଚ୍ଚା ହେଉଛି।
ଗିରଫ ମାଫିଆ ଅଭିଜିତଙ୍କ ଘରକୁ ଯାଞ୍ଚ କଲା ପୁଲିସ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ
ବାରିପଦା/ବେତନଟୀ/ବୈଶିଙ୍ଗା : ଗତକାଲି ବୈଶିଙ୍ଗା ଥାନା ପୁଲିସ ଥାନାର ରୁଜୁ ହୋଇ ଥିବା ମାମଲା ନମ୍ବର ୧୫୯/୨୦୨୦ରେ ଅଭିଜିତ ମହଲକୁ ଗିରଫ କରିବା ସହିତ ତାର ଏକ୍ସୟୁଭିକୁ ଜବତ କରିଥିଲା । ଆଜି ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଅନନ୍ତ ଚରଣ ନାଏକ, ଏସଆଇ ଅନୀତା ସ୍ୱାଇଁ, ଏଏସଆଇ ସୁଶାନ୍ତ କୁମାର ମହାକୁଡ ପ୍ରମୁଖ ଅଭିଜିତର ଘରକୁ ଯାଇ ଯାଞ୍ଚ କରି ଥିବାର ଜଣା ପଡିଛି । ଏହି ଯାଞ୍ଚ ସମୟରେ ଅଭିଜିତର ଘରୁ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ତଦନ୍ତ ପରିସରକୁ ବ୍ୟାପ୍ତ କରିବାକୁ ଓ ଅଭିଜିତର ବେତନଟୀ ତହସିଲ ସହିତ ଥିବା ସମ୍ପର୍କକୁ ଟିକିନିକି ଭାବେ ପରଖିବାକୁ ପୁଲିସ ତରଫରୁ ଅଭିଜିତର ଘରକୁ ଯାଞ୍ଚ କରାଯାଇଛି । ତାର ଆୟ କେତେ ଓ କେଉଁ ବ୍ୟବସାୟରୁ କେତେ ଆୟ ଆସେ ତା ଉପରେ ମଧ୍ୟ ତଦନ୍ତ ଚାଲି ଥିବାର ଜଣାପଡିଛି । ବଡସାହିର ବ୍ୟବସାୟୀ ଶ୍ରୀକାନ୍ତ ଦାସ ଦେଇଥିବା ଏତଲା ସହିତ ତଦନ୍ତରେ ସହଯୋଗ କରିବା ପାଇଁ ପୁଲିସକୁ କେତେକ ରେକର୍ଡିଂ ପ୍ରଦାନ କରିଛନ୍ତି । ଯେଉଁଥିରେ ଅଭିଜିତ ବେତନଟୀ ତହସିଲଦାରଙ୍କୁ କହି ମାମଲା ରଫାଦଫା କରି ଦେବାକୁ ଟଙ୍କା ମାଗୁଥିବାର ଶୁଣାଯାଇଛି । ଏହି ଅଡିଓ କ୍ଲିପ ଭିତ୍ତିରେ ପୁଲିସ ଅଭିଜିତର ଘର ଉପରେ ଚଢ଼ାଉ କରି ମାମଲାରେ ଅଧିକ ପ୍ରମାଣ ଜୁଟାଇବାକୁ ଅଭିଯାନ ଚଳାଇଥିବାର ଜଣାପଡିଛି ।