ମୟୂରଭଞ୍ଜରେ ମୌସୁମୀର ଲୁଚକାଳି ଖେଳ : କମିଛି ବର୍ଷା, କୃଷିକାର୍ଯ୍ୟରେ ବାଧା, ଚିନ୍ତାରେ ଚାଷୀ

ବାରିପଦା : ମୟୂରଭଞ୍ଜରେ ମୌସୁମୀ ଖେଳୁଛି ଲୁଚକାଳି ଖେଳ। ଚଳିତ ବର୍ଷ ପାଣିପାଗ ବିଭାଗର ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରାଇ ଦେଇଛି ମୌସୁମୀ ବାୟୁ । ଆଷାଢ଼ ପରେ ଶ୍ରାବଣ ଶେଷ ହେବାକୁ ବସିଛି । ଧରା ଶ୍ରାବଣ ବଦଳରେ ଆକାଶରେ ବାଦଲ ଓ ସୂର୍ଯ୍ୟଦେବ ଲୁଚକାଳି ଖେଳ ଚଳାଇଛନ୍ତି । ନିଅଣ୍ଟିଆ ବର୍ଷା କାରଣରୁ ଜିଲ୍ଲାରେ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବେଉଷଣ ନିମନ୍ତେ ପାଣିର ଅଭାବ ଫଳରେ ଚାଷୀକୂଳ ହତାଶ ହୋଇପଡ଼ିଛନ୍ତି । ବର୍ତ୍ତମାନ ପଶ୍ଚିମବଙ୍ଗ-ବାଲାଂଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ମୌସୁମୀ ଟ୍ରାଫ ପୂର୍ବ ମୁହାଁ ହୋଇ ବିହାର ଦିଗରୁ ବଙ୍ଗୋପସାଗର ମୁହାଁ ହୋଇଛି । ଏହା ପ୍ରଭାବରୁ ମଧ୍ୟମ ଧରଣର ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ କୌଣସି ପ୍ରଭାବ ପକାଇ ପାରିନାହିଁ । କେବଳ ଆକାଶ ମେଘାଚ୍ଛନ୍ନ ରହିଥିବାର ଦେଖିବାକୁ ମିଳିଛି ।

Zee News

୨୦୧୧ ଜନଗଣନା ଅନୁସାରେ ଜିଲ୍ଲାର ଜନସଂଖ୍ୟା ୨୫,୧୯,୭୩୮ ରହିଥିବା ବେଳେ ଜନସଂଖ୍ୟାର ୯୨.୩୪ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରନ୍ତି । ସେହିପରି ଜିଲ୍ଲାରେ କୌଣସି ବୃହତ୍ତ ଓ ଯୁଦ୍ର ଆଦି ଶିଳ୍ପ ପ୍ରତିଷ୍ଠା ହୋଇପାରିନଥିବାରୁ କୃଷି କାର୍ଯ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କର ଏକମାତ୍ର ଆୟ ଉପାର୍ଜନର ମାଧ୍ୟମ ହୋଇଥାଏ । ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ୪.୩୭ ଲକ୍ଷ ହେକ୍ଟର ଜମିରେ କୃଷକମାନେ ଖରିଫ ଋତୁରେ ଧାନ ଚାଷ କରିଥାନ୍ତି । ଏହା ମଧ୍ୟରେ ୧.୮୫ ଲକ୍ଷ ହେକ୍ଟର ଉଚ୍ଚ ଜମି ରହିଥିବା ବେଳେ ୧.୨୫ ଲକ୍ଷ ହେକ୍ଟର ମଧ୍ୟମ ଓ ୧.୨୬ ଲକ୍ଷ ହେକ୍ଟର ତଳିଆ ଜମି ରହିଛି । ଏଥିମଧ୍ୟରୁ ଖରିଫ ଋତୁରେ ୨୭, ୭୫୫ ହେକ୍ଟର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା ରହିଛି । ସେହିପରି ଉଚ୍ଚ ଜମିଗୁଡ଼ିକରେ ବାଇଗଣ, କୋବି, ମୂଳା, ପୋଟଳ, କଲରା, ଜହ୍ନି, କାକୁଡ଼ି, ବୋଇତାଳୁ, ଲାଓ ଆଦି ପନିପରିବା ସହ ମକା, ମୁଗ, ବିରି, ହରଡ଼, ଚିନାବାଦାମ, ରାଶି(ତିଳ), ଅଦା ଆଦି ଡ଼ାଲି, ତୈଳ ଓ ମସଲା ଜାତୀୟ ଚାଷ କରାଯାଇଥାଏ ।

ପ୍ରତ୍ୟେକ ବର୍ଷ ଜିଲ୍ଲାରେ ୧୬୪୮.୨ମିମି ଆଭେରେଜରେ ବର୍ଷା ହେଉଥିବା ସମୟରେ ଜୁନ ମାସରୁ ଅକ୍ଟୋବର ମାସ ମଧ୍ୟରେ ଦୈନିକ ୧୦ମିମି ଆଭେରେଜରେ ବର୍ଷା ହେଉଥିବାର ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। କୃଷି ବିଭାଗର ସୂଚନା ଆଧାରରେ ଜୁଲାଇ ମାସର ୨୫ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ୨୬ଟି ବ୍ଲକ ଅଞ୍ଚଳରେ ହାରାହାରି ଭାବେ ୨୫୦ ମିମି.ରୁ ଅଧିକ ବର୍ଷା ହେବା ବଦଳରେ ୧୭୫.୧୨ମିମି ବର୍ଷା ହୋଇଛି । ଅର୍ଥାତ୍ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି । କୁସୁମୀ ବ୍ଲକରେ ସର୍ବନିମ୍ନ- ୩୬ମିମି, କରଞ୍ଜିଆ ଓ ରରୁଆଁ ବ୍ଲକରେ ୬୮ମିମି, ଶୁକୃଳି ବ୍ଲକରେ ୭୬ମିମି ବର୍ଷା ରେକର୍ଡ଼ ହୋଇଥିବାର ସରକାରଙ୍କ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସେହିପରି ଉଦଳା-୧୧୧.୪୦ମିମି, ତିରିଂ-୧୧୮.୨୦ମିମି, ଶାମାଖୁଣ୍ଟା-୧୩୫, ଯଶୀପୁର-୧୪୦, ରାସଗୋବିନ୍ଦପୁର-୧୪୯.୮୦, ବାଙ୍ଗିରିପୋଷି-୧୫୮, ବାରିପଦା-୧୬୪, ଠାକୁରମୁଣ୍ଡା- ୧୬୪.୫୦, ଶୁଳିଆପଦା- ୧୬୮.୨୦, ଜାମଦା-୧୭୩, ମୋରଡ଼ା- ୧୯୫, ବେତନଟୀ-୧୯୮, ବିଜାତୋଳା- ୨୦୫, କପ୍ତିପଦା- ୨୧୭, ବଡ଼ସାହି- ୨୧୯, ରାଇରଙ୍ଗପୁର-୨୨୬, ଖୁଣ୍ଟା ଓ ଗୋପବନ୍ଧୁନଗର- ୨୩୭.୭୦ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଏହି ସମୟରେ ସ୍ୱାଭାବିକ ହାରଠାରୁ କେବଳ ଜିଲ୍ଲାର ବହଳଦା- ୨୬୫ମିମି, ବିଶୋଇ-୨୭୪ମିମି, କୁଳିଅଣା-୨୭୪.୨୦ମିମି ଓ ସାରସକଣା ବ୍ଲକ ଅଞ୍ଚଳରେ ୨୭୪.୪୦ମିମି ବୃଷ୍ଟିପାତ ହୋଇଥିବାର ଜଣାପଡ଼ିଛି । ତେଣୁ ଅଧିକାଂଶ ବ୍ଲକ ଗୁଡ଼ିକରେ ହୋଇଥିବା ନିଅଣ୍ଟିଆ ବର୍ଷା କୃଷି କାର୍ଯ୍ୟରେ ବାଧକ ସାଜିଛି ।

Pinterest

ଏ ବିଷୟରେ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଦାମୋଦର ସେଠୀ ନିଜ ପ୍ରତିକ୍ରିୟାରେ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତକୁ ସ୍ୱୀକାର କରିଛନ୍ତି । ଏଥି ସହିତ ପ୍ରତ୍ୟେକ ଦିନ ଜିଲ୍ଲା ସମସ୍ତ ବ୍ଲକରୁ ଆସୁଥିବା ବର୍ଷା ପରିମାଣର ରେକର୍ଡ଼ ଉପରେ ନଜର ରହିଛି । ଯେଉଁ କୃଷକମାନେ ଖରିଫ ଚାଷ କରିବା ନିମନ୍ତେ ଋଣ ନେଇଛନ୍ତି ସେମାନେ ନିଜକୁ ଚଳିତ ଜୁଲାଇ ଶେଷ ପର୍ଯ୍ୟନ୍ତ ଫସଲ ବୀମାଭୂକ୍ତ କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ନେଇ ଗୋଟାଏ ଗୋଟାଏ ୟୁନିଟ କରାଯାଇଛି । ପ୍ରତ୍ୟେକ ପଞ୍ଚାୟତସ୍ତର ୟୁନିଟରେ ଫସଲ ବୀମା କରାଇଥିବା ଚାଷୀର ବର୍ଷା ଅଭାବରୁ ଫସଲ କ୍ଷତିଗ୍ରସ୍ତ ହୁଏ ତେବେ ତିନୋଟି ସୋପାନ ମାଧ୍ୟମରେ ଫସଲ ବୀମାରେ ଅର୍ଥ ମିଳିପାରିବ । ପ୍ରଥମେ ବର୍ଷା ଅଭାବରୁ କୃଷି କାର୍ଯ୍ୟ ଆରମ୍ଭ କରିପାରିନଥିବା କୃଷକକୁ ବୀମା ରାଶି ମିଳିପାରିବ । ଦ୍ୱିତୀୟରେ କୃଷି କାର୍ଯ୍ୟ ଶେଷ କରିଛନ୍ତି, ମାତ୍ର ବର୍ଷା ଅଭାବରୁ ନଷ୍ଟ ହୋଇ ଗଲା ସେ କ୍ଷେତ୍ରରେ ଏବଂ ଅମଳ ସମୟରେ କ୍ରପ କଟିଂ ଅନୁସାରେ କ୍ଷୟକ୍ଷତି ଆକଳନ କରାଯାଇ ବୀମା ଅର୍ଥ ପ୍ରଦାନ କରାଯାଇଥାଏ । ତେବେ ନିଅଣ୍ଟିଆ ବର୍ଷା ତୈଳବୀଜ, ମସଲା, ଡ଼ାଲି ଓ ପନିପରିବା ଚାଷ କାର୍ଯ୍ୟକୁ ବିଶେଷ ଭାବେ ପ୍ରଭାବିତ କରାଇବାର ସମ୍ଭାବନା ନ ଥିବା ବେଳେ ଧାନ ଚାଷର ସମୟ ଅଛି । ତେଣୁ ପରବର୍ତ୍ତି ସମୟର ଅବସ୍ଥାକୁ ଅନୁଧ୍ୟାନ ପରେ ଯାହାକିଛି କୁହାଯାଇ ପାରିବ ବୋଲି କହିଥିଲେ । ସେହିପରି ବର୍ତ୍ତମାନ ଶ୍ରାବଣ ମାସରେ ହିଡ଼ବାଡ଼ ଉଛୁଳି ପାଣି ଭାସିବା ବଦଳରେ ବର୍ଷା ଅଭାବରୁ ଧାନ ତଳି ଶୁଖିଗଲାଣି । ଜମି ଫାଟିବା ଆରମ୍ଭ କରିଛି । ବେଉଷଣ ହୋଇପାରୁ ନାହିଁ । କରୋନା କଟକଣା ସମସ୍ତ ଆୟ ଉପାର୍ଜନକୁ ବନ୍ଦ କରାଇ ଦେଇଥିବା ବେଳେ ଧାନ ଚାଷ ଏକମାତ୍ର ରାସ୍ତା । ଯଦି ବର୍ଷା ନ ହୁଏ, ତେବେ ଘର ସଂସାର ଭାସିଯିବ ବୋଲି ବୋଲି ଖୁଣ୍ଟା ବ୍ଲକର ଚାଷୀ କୃଷ୍ଣଚନ୍ଦ୍ର ମହାନ୍ତ କହିଛନ୍ତି ।

ସମ୍ବନ୍ଧିତ ଖବର