କଳାବାଡ଼ିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଧୋବଣୀଷୋଳ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୪ ଓ ୫ ନଂ ବୁଥ୍‌ରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତିନି ଘଣ୍ଟା ପରେ ଭୋଟ୍‌ ବାକ୍ସ ସହ ପ୍ରଜାଇଡିଂ ଅଫିସର୍‌ଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ; ଉଭୟ ବୁଥ୍‌ ପାଖାପାଖି ଥିବା ବେଳେ ମତଦାନ ସରିବା ପରେ ୫ ନଂ ବୁଥ୍‌ରେ ବିଜେଡିର ଏଜେଣ୍ଟ ଥିବା ସୁରେନ୍ଦ୍ର ବେହେରା ଜଉମୁଦ ଓ ପୋଲିଂ ରିପୋର୍ଟ ଆଣିବା ପାଇଁ ବୁଥ୍‌ ନଂ ୪କୁ ଯାଇଥିଲେ। ବିଜେପିର କିଛି କର୍ମୀ ଏହାକୁ ବିରୋଧ କରି ତାଙ୍କୁ ବାହାର ପଟୁ ତାଲା ପକାଇ ଦେଇଥିଲେ। ଫଳରେ ବୁଥ୍‌ ଭିତରେ ଭୋଟ ବାକ୍ସ ସହ ପ୍ରିଜାଇଡିଂ ଅଫିସର, ଅନ୍ୟ ୩ କର୍ମଚାରୀ ଓ ସୁରେନ୍ଦ୍ର ପ୍ରାୟ ୩ ଘଣ୍ଟା ଧରି ବନ୍ଦ ରହିଥିଲେ। ସେପଟେ ଘଟଣାକୁ ନେଇ ବୁଥ୍‌ ବାହାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶତାଧିକ ବିଜେଡି କର୍ମୀ ବିଦ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣାରେ ବସି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Advertisment

publive-image

ଖବର ପାଇ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ତହସିଲଦାର ସତ୍ୟବାନ ନାୟକ, ଅତିରିକ୍ତ ଏସ୍‌ପି ମନୋରଞ୍ଜନ ବିଶ୍ବାଳ, ଥାନା ଅଧିକାରୀ ବିକ୍ରମ କେଶରୀ ଜେନା ଓ ପୁଲିସ ଟିମ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଲିଖିତ ଅଭିଯୋଗ ହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବିଜେଡି କର୍ମୀ ଧାରଣାରୁ ହଟିଥିଲେ ଓ ତହସିଲଦାର ନିଜ ଗାଡ଼ିରେ ଭୋଟ୍‌ ବାକ୍ସ ଷ୍ଟ୍ରଙ୍ଗରୁମ୍‌କୁ ଆଣିଥିଲେ। ସେହିପରି ବଡ଼ଗାଁ ପଞ୍ଚାୟତର କିର୍‌ପାଧିମା ବୁଥ୍‌, ଜଗନ୍ନାଥଖୁଣ୍ଟାର ୫ ନଂ ବୁଥ୍‌, ବ୍ରାହ୍ମଣଗାଁ ପଞ୍ଚାୟତର ଭାଟକୁଆଁରୀ ବୁଥ୍‌ରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।