ଛିଡ଼ୁନି କଂଗ୍ରେସ-ଜେଏମଏମ ମେଣ୍ଟ ଗଣିତ : ମେଣ୍ଟ ହୋଇନି, ଫାଟ ଦିଶିଲାଣି

ବାରିପଦା : ମୟୂରଭଞ୍ଜରେ କ’ଣ ହେବ କଂଗ୍ରେସ-ଜେଏମଏମ ମେଣ୍ଟର ରୂପରେଖ। କେଉଁ ଦଳ କେତୋଟି ଆସନ ପାଇବ। ଜିଲ୍ଲାର ୯ଟି ବିଧାନସଭା ମଧ୍ୟରୁ କେଉଁ ଦଳ ଭାଗରେ କେତୋଟି ଆସନ ପଡ଼ିବ। କେବେ ଘୋଷଣା ହେବ ଚୂଡ଼ାନ୍ତ ମେଣ୍ଟ ନିଷ୍ପତି। ଏହାକୁ ନେଇ ଉଭୟ ଦଳର ନେତାଙ୍କ ମନରେ ଉତ୍କଣ୍ଠା ବଢ଼ି ଚାଲିଛି। ଯଦିଓ ମେଣ୍ଟ ଘୋଷଣା ହୋଇନି କିନ୍ତୁ ମୟୂରଭଞ୍ଜ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବା ନିମନ୍ତେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନଙ୍କ ନାମ ପ୍ରାୟତଃ ସ୍ଥିର ହୋଇସାରିଛି। ସେହିପରି ଜେଏମଏମ ଜିଲ୍ଲାର ବାଙ୍ଗିରିପୋଷି, ମୋରଡ଼ା, ସାରସକଣା‌, ରାଇରଙ୍ଗପୁର ଏବଂ ଉଦଳା ଆସନ ଭଳି ୫ଟି ଆସନ ଦାବି କରିଛି। ମାତ୍ର ଜିଲ୍ଲାରେ କଂଗ୍ରେସ ନେତାଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଖୋଲାଖୋଲି ପ୍ରକାଶ କରିପାରୁନଥିଲେ ମଧ୍ୟ ଜେଏମଏମର ଏହି ଦାବିକୁ କଂଗ୍ରେସ େନତାମାେନ ସହଜରେ ଗ୍ରହଣ କରିପାରୁନାହାନ୍ତି। ତେବେ, ଆଗାମୀ ୧୭ରେ ଏଆଇସିସିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ହିଁ ମେଣ୍ଟର ଚୁଡ଼ାନ୍ତ ରୂପରେଖ ନେଇ ନିଷ୍ପତି ନିଆଯାଇପାରେ। ସେହିପରି ଜେଏମଏମ ସୁପ୍ରିମୋ ମଧ୍ୟ ଓଡ଼ିଶା ନେତାଙ୍କୁ ଆଗାମୀ ୧୮ରେ ରାଞ୍ଚି ଡାକିଛନ୍ତି। ସେଠାରେ ଆସନ ବୁଝାମଣା ସହିତ ପ୍ରାର୍ଥୀ ଘୋଷଣା ନେଇ ନିଷ୍ପତି ନିଆଯିବାର ଆଶା ରହିଛି। ଅନ୍ୟପକ୍ଷରେ, କଂଗ୍ରେସ ପକ୍ଷରୁ ଏହି ଆସନ ନିମନ୍ତେ କଂଗ୍ରେସରୁ ଜିଲ୍ଲା ସଭାପତି ହେମନ୍ତ ଦାସ, ପ୍ରଭାସ୍କର ମହାପାତ୍ର, ଅଜିତ ଜେନା, ପ୍ରକାଶ ନାୟକ, ପୂର୍ବତନ ବିଧାୟକ ବିମଳଲୋଚନ ଦାସ’ଙ୍କ ପୁଅ ଚିତ୍ତ ରଂଜନ ଦାସ ଟିକେଟ ଦୌଡ଼ରେ ଅଛନ୍ତି। ସେହିପରି ଜେଏମଏମରୁ ରାଜ୍ୟ ସାଧାରଣ ସଂପାଦକ କଳିଙ୍ଗ କେଶରୀ ଜେନା ଆଶାୟୀ ଅଛନ୍ତି।

ସମ୍ବନ୍ଧିତ ଖବର