କଟକ : ୧୯୮୮ରୁ ଜାମିନ ପାଇ ବାହାରେ ବୁଲୁଥିଲେ। ଏବେ ୩୨ ବର୍ଷ ପରେ ପୁଣି ଜେଲକୁ ଆସିବେ। ଏକ ହତ୍ୟା ମାମଲାରେ ନିମ୍ନ ଅଦାଲତ ପ୍ରଦାନ କରିଥିବା ରାୟ ହାଇକୋର୍ଟ କାଏମ ରଖିବା ପରେ ୧୯୮୮ରୁ ଜାମିନରେ ଥିବା ଜଣେ ବ୍ୟକ୍ତି ଅବଶିଷ୍ଟ ସମୟର ଦଣ୍ଡାଦେଶ ଭୋଗ କରିବାକୁ ଜେଲକୁ ଫେରିବାକୁ ଯାଉଛନ୍ତି। ମୟୂରଭଞ୍ଜ ଦୌରାଜଜ୍ ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ୧୯୮୮, ଅକ୍ଟୋବର ୩ରେ ଗୁଲିଆ ମାଝୀଙ୍କ ସମେତ ତିନି ଦୋଷୀଙ୍କୁ ଆଇପିସିର ଦଫା ୩୦୪ (ପାର୍ଟ-୨) ଓ ୩୪ରେ ୭ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଆଇପିସିର ଦଫା ୩୦୪ (ପାର୍ଟ-୨)ରେ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ ସଂପର୍କିତ ରାୟକୁ କାଏମ ରଖିଛନ୍ତି। ଅନ୍ୟପକ୍ଷରେ ୭ ବର୍ଷ ସଶ୍ରମ କାରାଦଣ୍ଡାକୁ ଖଣ୍ଡପୀଠ କମାଇ ୫ ବର୍ଷ ଧାର୍ଯ୍ୟ କରିଛନ୍ତି। ଏଥିସହିତ ଆବେଦନକାରୀଙ୍କ ଅପିଲକୁ ଖଣ୍ଡପୀଠ ଖାରଜ କରିଛନ୍ତି। ଜାମିନରେ ଛାଡ଼ ପାଇବା ପୂର୍ବରୁ ଆବେଦନକାରୀ ପ୍ରାୟ ୪ ମାସ ଜେଲରେ ରହିଥିବା ବେଳେ ଅବଶିଷ୍ଟ ଜେଲଦଣ୍ଡ ଭୋଗ କରିବାକୁ ତାଙ୍କୁ ଦୁଇ ସପ୍ତାହ ଭିତରେ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆବେଦନକାରୀ ଏଥିରେ ଅବହେଳା କରନ୍ତି ତେବେ ତାଙ୍କ ଗିରଫ ପାଇଁ ଆଇନ ଅନୁସାରେ ନିମ୍ନ ଅଦାଲତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ବିଶୋଇ ଥାନା ଅନ୍ତର୍ଗତ କେନ୍ଦୁ ବାହାଲ ଗ୍ରାମରେ କେଳୁଆ କେନାଲରେ ବନ୍ଧ ବାନ୍ଧିବା ନେଇ ବିବାଦରୁ ୧୯୮୭, ଜୁଲାଇ ୩୦ରେ ଆମ୍ବବେଡ଼ା ଗାଁର ଗୁଲିଆ ମାଝି, ତାଙ୍କ ବାପା ମାଥେଇ ମାଝୀ ଓ ଭାଇ ସୋଲୋ ମାଝୀ ପ୍ରମୁଖ କାନ୍ଦା ମାଝୀଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ କାନ୍ଦା ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏ ନେଇ ବିଶୋଇ ଥାନାରେ ଏତଲା ରୁଜୁ ହୋଇଥିଲା। ପୁଲିସ ୧୯୮୭, ଅଗଷ୍ଟ ୧ରେ ଆବେଦନକାରୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ନିମ୍ନ ଅଦାଲତରେ ମାମଲା ବିଚାରାଧୀନ ଥିବାବେଳେ ୧୯୮୭, ଅକ୍ଟୋବର ୨୧ରେ ଆବେଦନକାରୀଙ୍କୁ ଜାମିନ ମିଳିଥିଲା। ଏହାପରେ ୧୯୮୮, ଅକ୍ଟୋବର ୩ରେ ଦୌରା ଅଦାଲତ ଚୂଡାନ୍ତ ରାୟ ପ୍ରକାଶ କରି ଆବେଦନକାରୀଙ୍କ ସହିତ ମାଥେଇ ମାଝୀ ଓ ସୋଲୋ ମାଝୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ୧୯୮୮, ନଭେମ୍ବର ୧ରେ ଗୁଲିଆ ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୧୯୮୮, ନଭେମ୍ବର ୧୫ରେ ହାଇକୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଆବେଦନକାରୀ ଓ ଅନ୍ୟ ଆସାମୀଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ମାଥେଇ ମାଝୀ ଓ ସୋଲୋ ମାଝୀଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଲିଆ ଆବେଦନର ଶୁଣାଣି ଚାଲିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Orissa-High-Court.jpg)