ରାଜ୍ୟ ବିଜେପି ପଦାଧିକାରୀଙ୍କ ନାମ ଘୋଷିତ, ସମୀରଙ୍କ ଟିମ୍‌ର ଫୋକସରେ ମୟୂରଭଞ୍ଜ

ବିଶ୍ୱେଶ୍ୱର ହେଲେ ରାଜ୍ୟ ଏସ୍‌ଟି ମୋର୍ଚ୍ଚା ଅଧ୍ୟକ୍ଷ
ଭାସ୍କର ଉପସଭାପତି, ନବୀନ ରାମ ସମ୍ପାଦକ
ବାବୁଙ୍କୁ ଥଇଥାନ ନେଇ ସୂଚନା

ବାରିପଦା : ରାଜ୍ୟ ବିଜେପି ପକ୍ଷରୁ ଏହାର ବିଭିନ୍ନ ମୋର୍ଚ୍ଚା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ଘୋଷଣା କରାଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂତନ ଟିମ୍‌ରେ କିନ୍ତୁ ମୟୂରଭଞ୍ଜକୁ ଫୋକସ୍‌ରେ ରଖାଯାଇଛି। ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ରାଜ୍ୟ ଅନୁସୂଚୀତ ଜନଜାତି ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ପ୍ରଥମଥର ପାଇଁ ରାଜନୀତିରେ ପାଦଦେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଟୁଡୁଙ୍କୁ ରାଜ୍ୟର ଜନଜାତି ଚେହେରା ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛି। ସେହିପରି ଜିଲ୍ଲାରେ ବରିଷ୍ଠ ନେତା ତଥା ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କୁ ରାଜ୍ୟ ଉପସଭାପତି ଭାବେ ମନୋନୀତ କରାଯାଇଛି। ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ମଢ଼େଇ ଅନୁସୂଚୀତ ଜାତିରୁ ପ୍ରତିନିଧିତ୍ବ କରନ୍ତି। ଜିଲ୍ଲାର ବାମନଘାଟି ଅଞ୍ଚଳକୁ ଦୃଷ୍ଟିରେ ରଖି ପୂର୍ବତନ ଜିଲ୍ଲାସଭାପତି ନବୀନ ରାମଙ୍କୁ ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରାଯାଇଛି।

ସେହିପରି ଜିଲ୍ଲାରେ ନିର୍ବାଚିତ ସମସ୍ତ ୬ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିଥିବା ନେତାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଭାବେ ଅବସ୍ଥାପିତ କରାଯାଇଛି। ପୂର୍ବତନ ଜିଲ୍ଲାସଭାପତି (ପୂର୍ବ) କୃଷ୍ଣଚନ୍ଦ୍ର ମହାପାତ୍ର (ବାବୁ)ଙ୍କୁ ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟଭାବେ ମନୋନୀତ କରିଛି। ମାତ୍ର ମିଳିଥିବା ବିଶ୍ବସ୍ତ ସୂଚନା ଅନୁସାରେ ବାବୁଙ୍କୁ କୌଣସି ଏକ ଗୁରୁତ୍ବପୂର୍ଣ୍ଣ ପଦରେ ଥଇଥାନ କରାଯିବାକୁ ଶୀର୍ଷ ନେତୃତ୍ୱ ଚିନ୍ତା କରୁଛନ୍ତି। ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତାଲିକାରେ ଜିଲ୍ଲାରୁ ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ଯଶୀପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡ଼ୁ, ପୂର୍ବତନ ମନ୍ତ୍ରୀ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ପୂର୍ବତନ ବିଧାୟକ ପଦ୍ମ ଚରଣ ହାଇବୁରୁ ଓ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ରହିଛନ୍ତି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତାଲିକାରେ ବିଜେପିର ବରିଷ୍ଠ ନେତା ଜୀବନ ସାହୁ, ଛୋଟେଲାଲ ମହାନ୍ତ, ନିହାର ମୋଦି ଓ ପ୍ରମିଳା ପଣ୍ଡା ପ୍ରମୁଖ ରହିଛନ୍ତି ।

ରାଜ୍ୟ ଅନୁସୂଚୀତ ଜନଜାତି ମୋର୍ଚ୍ଚାର ମଙ୍ଗୁଆଳ ହେବା ପରେ ସାଂସଦ ଶ୍ରୀ ଟୁଡୁ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାରା ଓଡ଼ିଶାର ଅବହେଳିତ ଆଦିବାସୀ ଭାଇଭଉଣୀ ମାନଙ୍କର ବିକାଶ ଲାଗି ସେ ପ୍ରତିଜ୍ଞାବଦ୍ଧ ଥିବା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଆଦିବାସୀ ଶୋଷଣ ନୀତିକୁ ଦୃଢ ଭାବରେ ବିରୋଧ କରାଯିବ। ଆଗାମୀ ଦିନରେ ରାଜ୍ୟର ଆଦିବାସୀ ଭାଇ ଭଉଣୀଙ୍କୁ ସଙ୍ଗଠିତ କରି ସେମାନଙ୍କ ବିକାଶ ଦିଗରେ ସେ କାର୍ଯ୍ୟ କରିବେ ବୋଲି ଏହି ମୋର୍ଚ୍ଚାର ନୂତନ ମଙ୍ଗୁଆଳ ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି। ମୟୂରଭଞ୍ଜରେ ବିଜେପିର ସଂଗଠନକୁ ସୁଦୃଢ଼ କରିବାକୁ ରାଜ୍ୟ ସଭାପତି ଏକ ବିଧିବଦ୍ଧ ଯୋଜନା କରିଥିବା ଏହି ପଦାଧିକାରୀଙ୍କ ତାଲିକାରୁ ସ୍ପଷ୍ଟ ହୋଇଛି। ଉଭୟ ଅନୁସୂଚୀତ ଜାତି ଓ ଜନଜାତି ବର୍ଗଙ୍କୁ ଦୃଷ୍ଟିରେ ରଖି ସମତୂଲ ଭାବେ ଦଳୀୟ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଜିଲ୍ଲାରେ ଦଳର ସଂଗଠନକୁ ମଜଭୁତ୍ କରିବାକୁ ଦ୍ରୌପଦୀ ମୁର୍ମୁଙ୍କ ଭଳି ବରିଷ୍ଠ ଜନଜାତି ନେତ୍ରୀଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ସେହିପରି ଜମ୍ମୁ କାଶ୍ମୀର ପ୍ରଥମ ଉପରାଜ୍ୟପାଳ ଭାବେ ଆଇଏଏସ ଅଧିକାରୀ ତଥା ଜନଜାତି ଚେହେରା ଗିରୀଶ ମୁର୍ମୁଙ୍କ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର