ବାଲେଶ୍ୱରରେ କରୋନା ପଜିଟିଭ୍ ଚିହ୍ନଟ ପରେ ମୟୂରଭଞ୍ଜରେ ବଢ଼ିଲା କଟକଣା : ବନ୍ଦହେଲା ପଶ୍ଚିମବଙ୍ଗ, ଝାଡଖଣ୍ଡ ସୀମାର ସମସ୍ତ ପ୍ରବେଶପଥ

ବାଲେଶ୍ୱରରୁ ଆସୁଥିବା କୌଣସି ଘରୋଇ କିମ୍ବା ଯାତ୍ରୀବାହି ଗାଡିକୁ ଅନୁମତି ନାହିଁ
ଗ୍ରୀନ୍‌ଜୋନରେ ମୟୂରଭଞ୍ଜ, ନାହାନ୍ତି ଜଣେ ବି କରୋନା ପଜିଟିଭ୍

ବାରିପଦା : ଉତ୍ତର ଓଡ଼ିଶାକୁ ଛୁଇଁଛି କରୋନା। ପଡ଼ୋଶୀ ବାଲେଶ୍ୱର ଜିଲ୍ଲାରେ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୟୂରଭଞ୍ଜରେ ବଢ଼ିଛି କଟକଣା। ଜିଲ୍ଲା ସହିତ ସଂଯୁକ୍ତ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟର ସମସ୍ତ ପ୍ରବେଶପଥକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଦୁଇ ରାଜ୍ୟର ସଡ଼କ ପଥକୁ ସିଲ୍ କରାଯାଇଥିଲା। ମାତ୍ର ଆଜିଠାରୁ ଏହି କଟକଣା ଆହୁରି କଡ଼ାକଡ଼ି କରିଦିଆଯାଇଛି। ବାଲେଶ୍ୱର ଜିଲ୍ଲାରୁ କୌଣସି ଘରୋଇ କିମ୍ବା ଯାତ୍ରୀବାହୀ ଗାଡିକୁ ମୟୂରଭଞ୍ଜ ଭିତରକୁ ପଶିବାକୁ ଦିଆଯିବନାହିଁ। ବାଲେଶ୍ୱରର କରୋନା ପଜିଟିଭ୍ ବ୍ୟକ୍ତିଙ୍କ ଉପରେ ସତର୍କ ଦୃଷ୍ଟି ଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

କରୋନାକୁ ନେଇ କିନ୍ତୁ ଗ୍ରୀନ୍ ଜୋନରେ ଅଛି ମୟୂରଭଞ୍ଜ। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଆଦୌ କରୋନା ପଜିଟିଭ୍ ମାମଲା ନାହିଁ। ଆଜିସୁଦ୍ଧା ଜିଲ୍ଲାରୁ ୪୧୨ଟି ନମୁନା ପରୀକ୍ଷା ପାଇଁ ଯାଇଛି। ତନ୍ମଧ୍ୟରୁ ୨୬୫ ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି। ୧୪୭ ନମୁନାର ରିପୋର୍ଟ ଆସିନାହିଁ। ସେହିପରି ଜିଲ୍ଲାକୁ ଆସିଥିବା ୯୮ ବିଦେଶ ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ସହିତ ସମସ୍ତଙ୍କ କ୍ବାରାଣ୍ଟିନ୍ ସମୟ ସମାପ୍ତ ହୋଇଛି। ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ୧୨ହଜାର ୨୮୭ଜଣ ଆସିଥିବାବେଳେ ୧୧ହଜାର ୮୩୭ଜଣଙ୍କର କ୍ବାରାଣ୍ଟିନ୍ ସମାପ୍ତ ହୋଇଛି। ୪୫୦ଜଣଙ୍କର କ୍ବାରାଣ୍ଟିନ୍ ଜାରି ରହିଛି। ତେବେ ଜିଲ୍ଲାକୁ ଭୁବନେଶ୍ବର, କିମ୍ବା ଅନ୍ୟଯେକୌଣସି କରୋନା ପ୍ରଭାବିତ ସ୍ଥାନରୁ ଆସିଥିବା ସମସ୍ତଙ୍କର କରୋନା ପରୀକ୍ଷା ହେବ ବୋଲି ଜିଲ୍ଲାପାଳ ପୂର୍ବରୁ କହିଛନ୍ତି। କହିବାକୁ ଗଲେ ଜିଲ୍ଲାରେ ପୁଲ୍ ଟେଷ୍ଟ୍ ଆରମ୍ଭ ହୋଇସାରିଛି। ମାତ୍ର ବାଲେଶ୍ବରରେ କରୋନା ପଜିଟିଭ୍ ବାହାରିବା ପରେ ଲୋକଙ୍କ ମନରେ ସାମାନ୍ୟ ଭୟ ଦେଖାଦେଇଛି। କାରଣ ଜିଲ୍ଲାର ସମସ୍ତ ସୀମା ସିଲ୍ ଥିଲେ ମଧ୍ୟ ବାହାର ରାଜ୍ୟକୁ ଲୋକମାନେ ଯିବାଆସିବା କରୁଥିବା ବାରମ୍ବାର ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର