କରୋନାରେ ରକ୍ତ ସଙ୍କଟ ଦୂର ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଉଦ୍ୟମ : ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ ରକ୍ତଦାନ ଶିବିର, ପ୍ରଥମେ ରକ୍ତଦାନ କଲେ ଜିଲ୍ଲାପାଳ
ବାରିପଦା : କରୋନାରେ ଦେଖାଦେଇଥିବା ରକ୍ତ ସଙ୍କଟକୁ ଦୂର କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ଜିଲ୍ଲା ରେଡକ୍ରସ୍ ଓ ବାରିପଦା ରକ୍ତ ଭଣ୍ଡାର ପକ୍ଷରୁ ମିଳିତ ଭାବେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନରେ ଅନୁଷ୍ଠିତ ଏହି ଶିବିରକୁ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉଦ୍ଘାଟନ କରିଥିଲେ। ମାନବିକତାର ଶ୍ରେଷ୍ଠ ନିଦର୍ଶନ ପ୍ରଦର୍ଶନ କରିଥିଲେ ଖୋଦ୍ ଜିଲ୍ଲାପାଳ। ପ୍ରଥମେ ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଜିଲ୍ଲାପାଳ ବିନୀତ ଭରଦ୍ବାଜ। ଏହି ଶିବିରରୁ ୨୬ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାପାଳଙ୍କ ସମେତ ଆଇଏଏସ୍ ପ୍ରୋବେସନର୍ ଭୁବନେଶ୍ ଦେବୀଦାସ ପାଟିଲ, ଏଡିଏମ୍(ରାଜସ୍ବ) ବିବେକାନନ୍ଦ ସାହୁ, ଜରୁରୀକାଳିନ ଅଧିକାରୀ ସୁଜୟ ପତିଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ରକ୍ତଦାନ କରିଥିଲେ। ଏହି ଭ୍ରାମ୍ୟମାଣ ଯାନ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ରକ୍ତ ସଂଗ୍ରହ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗ୍ରୀଷ୍ମରେ ସାଧାରଣତଃ ରକ୍ତର ଆବଶ୍ୟକତା ଅଧିକ ଥାଏ। ତେବେ କରୋନା କାରଣରୁ ଆଉ ଅଧିକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇପାରୁନଥିବାରୁ ରକ୍ତଦାନ ନିମନ୍ତେ ସାଧାରଣରେ ସଚେତନତା ସୃଷ୍ଟି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଜିର ରକ୍ତଦାନ ଶିବିରକୁ ବାରିପଦା ରକ୍ତଭଣ୍ଡାର ମୁଖ୍ୟ ଡ. ପି କେ ଦାସ, ରେଡକ୍ରସ୍ର ଆଜୀବନ ସଦସ୍ୟ ଅମର ସେଠୀ, ଭାସ୍ବତୀ ବାରିକ ପ୍ରମୁଖ ପରିଚାଳନା କରିଥିଲେ।