ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ସିଡିଭିଓ

କାର୍‌ରୁ ଜବତ ହେଲା ୩ ଲକ୍ଷ ୯୧ ହଜାର ଟଙ୍କା, କାର୍ଯ୍ୟାଳୟ, ଭଡ଼ା ଘର ଓ ଭୁବନେଶ୍ବର ଘରେ ଚଢ଼ଉ

ବାରିପଦା/ବେତନଟୀ : ଅବସର ଗ୍ରହଣ କରିବାକୁ ଆଉ କିଛି ମାସ ବାକି ଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ (ସିଡିଭିଓ) ଡାକ୍ତର ଅଭୟ ତ୍ରିପାଠୀ। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୮ଟା ୧୫ ବେଳକୁ ଏକ ମାରୁତି ସୁଇଫ୍ଟ ଡିଜାୟାର (ଓଡି୧୧ଆର-୮୪୪୪) କାରରେ ଶ୍ରୀ ତ୍ରିପାଠୀ ବାରିପଦାରୁ ଭୁବନେଶ୍ୱର ଯାଉଥିବା ବେଳେ ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ ଟିମ୍‌ ବେତନଟୀ-ବଡ଼ସାହି ରାସ୍ତାର ହାଟପଦା ନିକଟରେ ତାଙ୍କ ବାଟ ଓଗାଳିଥିଲା। ଭିଜିଲାନ୍ସ ଟିମ୍‌କୁ ଦେଖି ଶ୍ରୀ ତ୍ରିପାଠୀ ହଡବଡେଇ ଯାଇ ବେତନଟୀ-ବଡ଼ସାହି ରାସ୍ତାରେ ନିଜ ଗାଡ଼ି ବୁଲାଇ ଚାଲିଯିବାକୁ ଉଦ୍ୟମ କରିଥିଲେ। ହେଲେ ଭିଜିଲାନ୍ସ ଟିମ୍‌ ତାଙ୍କୁ ପିଛା କରି କାବୁ କରିଥିଲା। ଯାଞ୍ଚ ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନିକଟରୁ ୫ଟି ଲଫାପାରୁ ୩.୯୧ ଲକ୍ଷ ଟଙ୍କା ଜବତ କରିଥିଲେ। ପ୍ରଥମେ ତାଙ୍କୁ ବେତନଟୀ ଜାତୀୟ ରାଜପଥ ବିଶ୍ରାମଗୃହ ଓ ପରେ ବାରିପଦା ନେଇ ଭିଜିଲାନ୍ସ ଟିମ୍‌ ପଚରାଉଚରା କରିଥିଲା। ଏହି ଟଙ୍କା ସେ କେଉଁଠୁ ଆଣିଲେ ସେ ସଂକ୍ରାନ୍ତରେ ଶ୍ରୀ ତ୍ରିପାଠୀ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଡାକ୍ତର ତ୍ରିପାଠୀ ପ୍ରାଣୀ ଚିକିତ୍ସା ବିଭାଗରେ ନିଯୁକ୍ତି, ଲୋକମାନଙ୍କୁ ଋଣ ପ୍ରଦାନ ନିମନ୍ତେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଆଦି ବିଭିନ୍ନ ସୂତ୍ରରୁ ବେଆଇନ ଭାବେ ଲକ୍ଷାଧିକ ଟଙ୍କା ଆଦାୟ କରିଥିବା ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ରହିଥିଲା। ଏହି ଘଟଣା ପରେ ବାରିପଦାସ୍ଥିତ ତାଙ୍କ ସରକାରୀ କାର୍ଯ୍ୟାଳୟ, ବାରିପଦା ମଧୁବନରାଣୀ ବାଗାନସ୍ଥିତ ଭଡ଼ା‌ଘର, ଭୁବନେଶ୍ବର ଖଣ୍ତଗିରି ଥାନା ଜୟଦେବ ବାଟିକାସ୍ଥିତ ଘର ଓ ଯାଜପୁରସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ପଚରାଉଚରା ପରେ ତାଙ୍କୁ ବାଲେଶ୍ବର ଅଣାଯାଇଥିବାବେଳେ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର