ମୟୂରଭଞ୍ଜକୁ ଆସୁଛି ‘ଅମ୍ଫାନ୍’: ମୁକାବିଲା ପାଇଁ ଜିଲ୍ଲାପ୍ରଶାସନର ତତ୍ପରତା

ଲିଭିନି ଫାଇଲିନ୍ ଓ ଫନି’ର ବିଭୀଷିକା, ଫନୀ ନେଇଥିଲା ୪ ମୁଣ୍ଡ

ବାରିପଦା: କରୋନା ସହିତ ଯୁଦ୍ଧ ଚାଲିଥିବାବେଳେ ଆସିଛି ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ୍’। ଏହାକୁ ନେଇ ମୟୂରଭଞ୍ଜରେ ଖେଳିଯାଇଛି ଭୟର ବାତାବରଣ। ଜିଲ୍ଲାରେ ଫାଇଲିନ୍ ଓ ଫନୀ କାରଣରୁ ହୋଇଥିବା ବିଭୀଷିକା ମନରୁ ନଲିଭୁଣୁ କରୋନା ଏବଂ ଏବେ ଅମ୍ଫାନ୍ ଆଗମନକୁ ନେଇ ଜିଲ୍ଲାବାସୀଙ୍କର ଉଦ୍ବେଗ ବଢ଼ିଯାଇଛି। ତେବେ ସମସ୍ତ ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି।

ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଜିଲ୍ଲାରେ ଅମ୍ଫାନ୍ର ପ୍ରଭାବ ପଡ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ପବନ ବହିବା ନେଇ ପୂର୍ବାନୁମାନ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରାସଗୋବିନ୍ଦପୁର, ମୋରଡ଼ା, ବାରିପଦା, ବେତନଟୀ, ଶ୍ୟାମାଖୁଣ୍ଟା, କପ୍ତିପଦା ଓ ବଡ଼ସାହି ଭଳି ୭ଟି ବ୍ଲକର ହଜାର ହଜାର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ନିଷ୍ପତି ନିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି କରାଯିବ। ସେଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତ ବ୍ଲକର ବିଡିଓ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ ଏକ ଜରୁରୀ ବୈଠକ ଭିଡିଓ କନ୍ଫରେନ୍ସ ଜରିଆରେ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାରେ ମୋଟ ୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ତେବେ ଏଗୁଡ଼ିକ ମଧ୍ୟରୁ ଦୁଇଟି ସଙ୍ଗରୋଧ କେନ୍ଦ୍ର ଭାବେ ବ୍ୟବହୃତ ହେଉଛି। ଜିଲ୍ଲାରେ ରହିଥିବା ୨୫ଟି ଅଗ୍ନିଶମ କେନ୍ଦ୍ରକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ତେଣୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡ଼ି ଓ ସରକାରୀ ଗୃହକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘରଗୁଡ଼ିକ ସାଧାରଣ ଜନତା ଓ ଗୃହପାଳିତ ପ୍ରାଣୀଙ୍କ ପାଇଁ ଆଶ୍ରୟ ଗୃହ ଭାବେ କାର୍ଯ୍ୟ କରିବ। ଆପତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗୋଟିଏ ଏନଡିଆରଏଫ୍ ଓ ୪ଟି ଓଡ୍ରାଫ୍ ଟିମ ଜିଲ୍ଲା ମୁଖ୍ୟାଳୟରେ ପ୍ରସ୍ତୁତ କରି ରଖାଯାଇଛି। ଜିଲ୍ଲାରେ ବହୁଥିବା ସମସ୍ତ ନଦୀର ଜଳସ୍ତର କମ୍ ଥିବା ଓ ଖରାଦିନ କାରଣରୁ ବନ୍ୟା ଭଳି ପରିସ୍ଥିତି ଉପୁଜିନପାରେ ବୋଲି ପ୍ରକାଶ। ମାତ୍ର ପ୍ରବଳ ବର୍ଷା ଓ ପବନ କାରଣରୁ ହେବାକୁ ଥିବା କ୍ଷୟକ୍ଷତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି।

ଫନି ସମୟରେ ସମଗ୍ର ଜିଲ୍ଲାରୁ ପ୍ରାୟ ୮୪ହଜାରରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଥିଲେ। ସମସ୍ତ ଆଶ୍ରୟସ୍ଥଳକୁ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ କରିବା ପାଇଁ ଆଗୁଆ ବିହିତ ପଦକ୍ଷେପ ନେବାକୁ ସମସ୍ତ ଲାଇନ୍ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିକଟସ୍ଥ ସରକାରୀ ବିଦ୍ୟାଳୟ ଗୃହ, ଅଙ୍ଗନୱାଡିକେନ୍ଦ୍ର ଗୃହ ଓ ନିର୍ଦ୍ଧାରୀତ ଥିବା ବାତ୍ୟା ଆଶ୍ରୟସ୍ଥଳ ଗୃହ ପ୍ରସ୍ତୁତି ରଖିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ, ଚୂଡା, ଚିନି, ଗୁଡ ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା, ପାନୀୟ ଜଳ, ଜେନେରେଟର ବ୍ୟବସ୍ଥା ଏବଂ ଓଡ୍ରାଫ, ଅଗ୍ନିଶ୍ରମ ବିଭାଗ ତତ୍ୱାବଧାନରେ ପାୱାର କଟର, ଜେସିବି ମେସିନ ଏବଂ ଯାନବାହାନ ଆଦି ସମସ୍ତ ଅନୁସାଙ୍ଗିକ ସରଞ୍ଜାମ ବ୍ୟବସ୍ଥା ଗୁରୁବାର ସୁଦ୍ଧା ପ୍ରସ୍ତୁତି କରିବା ପାଇଁ ଯାଥାକ୍ରମେ ସଂପୃକ୍ତ ବିଡିଓ, ଜିଲ୍ଲାଶିକ୍ଷାଧିକାରୀ, ଜିଲ୍ଲାଯୋଗାଣ ଅଧିକାରୀ, ଅଗ୍ନିଶମ ଅଧିକାରୀ ସମେତ ସଂପୃକ୍ତ ବିଭାଗ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ୍ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଝଡବାତ୍ୟା, ବର୍ଷା ସମୟରେ ବିଦ୍ୟୁତ୍ ସରବରାହ, ରାସ୍ତାଘାଟ ଓ ଯୋଗାଯୋଗ ଆଦି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସଂପୃକ୍ତ ବିଭାଗ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି। କିଛି କିଛି ପଞ୍ଚାୟତକୁ ନେଇ ଜଣେ ଜଣେ ଡାକ୍ତରଙ୍କୁ ନିୟୋଜିତ କରାଯିବା, ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଳୟରେ ଆବଶ୍ୟକୀୟ ଔଷଧ, ସରଞ୍ଜାମ ଭାମ୍ୟମାଣ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା, ଡାକ୍ତର ଓ ଚିକିତ୍ସା କର୍ମଚାରୀ ସଜାଗ ରହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ଏହାସହିତ ଲୋକମାନେ ଅମ୍ଫାନ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର