କପ୍ତିପଦା : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ର ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ୍ର ସାଏଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଶ୍ରୀ ସାଏଙ୍କୁ ନିଲମ୍ବନ କରାଯାଇଥିବା ସାଧାରଣ ସଂପାଦକ ମାନସ ମଙ୍ଗରାଜ ମାର୍ଚ୍ଚ ୫ ତାରିଖରେ ଚିଠି ଯୋଗେ ଜଣାଇଛନ୍ତି।
ଉଲ୍ଲେଖନୀୟ ବିଷୟ ହେଉଛି, ଗତକାଲି କପ୍ତିପଦା ବ୍ଲକ୍ ବିଜେଡି ପକ୍ଷରୁ ଆୟୋଜିତ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ସାଏ। ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନକୁ ମନେ ପକାଇ ତାଙ୍କ ଗୁଣଗାନ କରିବା ସହ ଦଳକୁ ସଂଗଠିତ କରିବା ପାଇଁ ଆହ୍ବାନ ଦେଇଥିଲେ। ହେଲେ ଘଟଣାକ୍ରମେ ଠିକ୍ ଗତକାଲି ହିଁ ତାଙ୍କୁ ଦଳରୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମୋ। ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଏକ ଦୁଇଧାଡ଼ିର ଚିଠି ଜାରି କରିଛନ୍ତି ଶ୍ରୀ ମଙ୍ଗରାଜ। ଆଜି ଏହି ଚିଠି ସାର୍ବଜନୀନ ହୋଇଥିଲା। ତେବେ ମୁଁ କୌଣସି ଚିଠି ପାଇନି କି ନିଲମ୍ବନର କାରଣ ସମ୍ପର୍କରେ ଅବଗତ ନାହିଁ ବୋଲି କହିଛନ୍ତି ଶ୍ରୀ ସାଏ। ନିଲମ୍ବନ ସଂପର୍କରେ ଦଳର ଜିଲ୍ଲା ସଭାପତି ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ତିଙ୍କୁ ପଚାରିବାରୁ ସେ ମଧ୍ୟ କୌଣସି ଚିଠି ପାଇନଥିବା କହିଥିଲେ।
ସୂଚନାଯୋଗ୍ୟ; ପୂର୍ବରୁ ବିଜେଡି ରାଜ୍ୟ କାଉନସିଲ୍ ସଦସ୍ୟ, ଉଦଳା ନିର୍ବାଚନମଣ୍ଡଳୀର ଯୁବ ସଭାପତି, ରାସଗୋବିନ୍ଦପୁର ବ୍ଲକ୍ ସଂଯୋଜକ ଭାବେ କାର୍ଯ୍ୟ କରିଛନ୍ତି ଶ୍ରୀ ସାଏ। ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ ପ୍ରବୀରଙ୍କୁ ହଠାତ୍ ଦଳରୁ ନିଲମ୍ବନ କରିବା ପରେ ସ୍ଥାନୀୟ ରାଜନୀତି ସରଗରମ ହୋଇପଡ଼ିଛି।