ବାରିପଦା: ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାରେ ବିକାଶର ଧାରା ଆଖିଦୃଶିଆ ନୁହେଁ। ଆଜି ବି ୨୩୫ ଗାଁକୁ ରାସ୍ତା ଓ ୩୪୫ ଗାଁରେ ବିଜୁଳି ନାହିଁ। ‘ମୁକ୍ତା, ପ୍ରଧାନମନ୍ତ୍ରୀ ଆବାସ, ମନରେଗା, ମହିଳା ଓ ଶିଶୁ ବିକାଶ ଭଳି ମହତ୍ତ୍ବାକାଂକ୍ଷୀ ଯୋଜନାରେ ସ୍ବଚ୍ଛତା ରହୁନି। କୋଟି କୋଟି ଟଙ୍କାର ଲଘୁ ଖଣିଜଦ୍ରବ୍ୟ ଲୁଟ୍ ପାଇଁ ଏନ୍ଜିଟି ଆଇନ୍ ଫାଶରୁ ଏଯାଏ ବାହାରିପାରିନି ଜିଲ୍ଲା ପ୍ରଶାସନ। ଅସୁରକ୍ଷିତ ଶିମିଳିପାଳ ପାଇଁ ହାଇକୋର୍ଟଙ୍କ ଭର୍ତ୍ସନା ବି ଶୁଣିବାକୁ ପଡ଼ିଛି। ଏଥିପାଇଁ ଜିଲ୍ଲାର ନେତା, ମନ୍ତ୍ରୀ, ବିଧାୟକ ଯେତିକି ଦାୟୀ, ଜିଲ୍ଲା ପ୍ରଶାସନର ସବୋର୍ଚ୍ଚ ଅଧିକାରୀ ଭାବେ ଜିଲ୍ଲାପାଳ ବିନୀତ ଭରଦ୍ବାଜ ମଧ୍ୟ ସମ ପରିମାଣରେ ଦାୟୀ। ହେଲେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ର ଏହି ଅଧିକାରୀ ଜଣକ ଦୀର୍ଘ ସାଢ଼େ ୫ ବର୍ଷ ହେଲା ନିଜ ଚୌକିରେ ଅଛନ୍ତି। କୌଣସି ଜିଲ୍ଲାରେ ଏକାଦିକ୍ରମେ ଏତେ ବର୍ଷ ରହିବା ସର୍ବଭାରତୀୟ ସର୍ଭିସ ରୁଲ୍ର ଖୋଲା ଉଲ୍ଲଂଘନ। ତଥାପି ସେ ସରକାରଙ୍କ ଗେହ୍ଲା ପୁଅ। ତାଙ୍କ ବ୍ୟାଚ୍ର ଆଇଏଏସ୍ ଭିନ୍ନ ଭିନ୍ନ ଜିଲ୍ଲାକୁ ଦୁଇ ତିନିଥର ବଦଳି ହୋଇ ସାରିଲେଣି। ହେଲେ କ୍ଷମତା କେନ୍ଦ୍ରର ଆଶୀର୍ବାଦ ଯୋଗୁଁ ଗୋଟିଏ ଜାଗାରେ ଅଛନ୍ତି ୨୦୧୨ ବ୍ୟାଚ୍ର ଏହି ଆଇଏଏସ୍ ଅଧିକାରୀ।
ବଦଳିଲେଣି ୪ ଏସ୍ପି, ୭ ଏଡିଏମ୍, ଜିଲ୍ଲାପାଳ ସ୍ଥିର
ଚୁଲିକି ଗଲାଣି ସର୍ବଭାରତୀୟ ସର୍ଭିସ୍ ରୁଲ୍
ଉପରମହଲକୁ ସନ୍ତୁଷ୍ଟ କରିବାରେ ମାହିର୍: ବିଜେପି
ଏମିତି ନୁହେଁ ଯେ, ତାଙ୍କ ବିରୋଧରେ କିଛି ଆପତ୍ତି ଅଭିଯୋଗ ଆସିନି। ଅତୀତରେ ଭଞ୍ଜସେନା ଓ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ବଦଳି ଦାବିରେ ବିକ୍ଷୋଭ ମଧ୍ୟ ହୋଇଛି। କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ଓ ବାରିପଦା ବିଧାୟକ ପ୍ରକାଶ ସୋରେନ୍ ତାଙ୍କ ବିରୋଧରେ ଅନେକ ଥର ଖୋଲାଖୋଲି ଅଭିଯୋଗ ଆଣିଛନ୍ତି। ସେ କେମିତି ଉପରମହଲର ନିର୍ଦ୍ଦେଶରେ ତାଙ୍କୁ ବାରମ୍ବାର ଅସମ୍ମାନ ଓ ଅଣଦେଖା କରୁଛନ୍ତି ସେ ନେଇ ଗଣମାଧ୍ୟମ ଆଗରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ। ସେପଟେ ବୁକ୍ ସର୍କୁଲାର ନିୟମ ମାନୁନଥିବା ଅଭିଯୋଗରେ ବିଧାନସଭା ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। ମୟୂରଭଞ୍ଜ ଜିଲ୍ଲାପାଳ କଣ ପାଇଁ ଗୋଟିଏ ଜିଲ୍ଲାରେ ଏତେବର୍ଷ ରହିଛନ୍ତି ବୋଲି ତାଙ୍କ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ରଖିନଥିଲେ ସରକାର।
ଗତ ସାଢ଼େ ୫ ବର୍ଷରେ ଜିଲ୍ଲାରୁ ଅନେକ ବରିଷ୍ଠ ଅଧିକାରୀମାନଙ୍କର ବଦଳି ହୋଇଛି, କେବଳ ଜିଲ୍ଲାପାଳଙ୍କୁ ଛାଡ଼ି। ୨୦୧୮ ଏପ୍ରିଲ ୨୬ ତାରିଖରେ ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ ବିନୀତ ଭରଦ୍ବାଜ। ଜିଲ୍ଲାପାଳଙ୍କ ସାଢ଼େ ୫ ବର୍ଷ କାର୍ଯ୍ୟକାଳ ଅବଧି ମଧ୍ୟରେ ଜିଲ୍ଲାରୁ ୪ ଜଣ ଏସ୍ପି; ଅନିରୁଦ୍ଧ ସିଂ, ଅବିନାଶ କୁମାର, ପି.ପରମାର ଓ ରିଷିକେଶ ଦ୍ୟାନଦେଓ ଖିଲାରୀଙ୍କ ଭଳି ଆଇପିଏସ୍ ଅଧିକାରୀଙ୍କ ବଦଳି ହୋଇଛି। ଏହା ଭିତରେ ପଞ୍ଚମ ଏସ୍ପି ଭାବେ କିଛି ମାସ ତଳେ ଯୋଗ ଦେଇଛନ୍ତି ଆଇପିଏସ୍ ବାତୁଳ ଗଙ୍ଗାଧର। ସେହିପରି ୭ ଜଣ ଅତିରିକ୍ତ ଜିଲ୍ଲାପାଳ; ଗଙ୍ଗାଧର ନାୟକ, ବ୍ରଜବନ୍ଧୁ ଭୋଳ, ବିକୋନନ୍ଦ ସାହୁ, ପି.ଅନ୍ବେଷା ରେଡି (ଆଇଏଏସ୍), ପ୍ରକାଶ କୁମାର ବେହେରା, ସୁଚାରୁ କୁମାର ବଳ, ହେମନ୍ତ ସିଂଙ୍କର ବଦଳି ହୋଇଛି। ଉପଜିଲ୍ଲାପାଳ ଜ୍ୟୋତିରଞ୍ଜନ ପରିଡ଼ା, ଅବ୍ଦୁଲ ଅଖତାର, ପି.ଅନ୍ବେଷା ରେଡି ଓ ଅନ୍ୟା ଦାସ (ଆଇଏଏସ୍) ଅନ୍ୟ ଜିଲ୍ଲାକୁ ବଦଳି ହୋଇ ଯାଇଛନ୍ତି। ବସନ୍ତ କୁମାର ସେଠୀଙ୍କ ପରେ ନିକଟରେ ଉପଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଛନ୍ତି ଈଶ୍ବର ନାୟକ। ହେଲେ ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇଥିଲେ ବି, କାହା ଆଶୀର୍ବାଦରୁ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଚୌକି ସୁରକ୍ଷିତ ଅଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ଆଗକୁ ନିର୍ବାଚନ ଥିବାରୁ ନିୟମ ଅନୁଯାୟୀ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଗୋଟିଏ ଜିଲ୍ଲାରେ ଥିବା ପ୍ରଶାସନିକ ଅଧିକାରୀମାନଙ୍କ ବଦଳି ପ୍ରକ୍ରିୟା ଚାଲିଛି। ହେଲେ ଜିଲ୍ଲାପାଳଙ୍କୁ ହାତ ମାରୁନାହାନ୍ତି ସରକାର।
ଏ ସଂପର୍କରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍ଙ୍କ ଅଭିଯୋଗ ହେଲା; ସର୍ବଭାରତୀୟ ସର୍ଭିସ୍ ରୁଲ୍ ଚୁଲିକି ଗଲାଣି। ତଳୁ ଉପରମହଲ ଯାଏ ସମସ୍ତଙ୍କୁ ଖୁସି କରିବାରେ ଜିଲ୍ଲାପାଳ ମାହିର। ତେଣୁ ତାଙ୍କୁ ବଦଳି କରାଯାଉନି। ଆଗକୁ ସାଧାରଣ ନିର୍ବାଚନ ଆସୁଛି। ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କୁ ହଟାଯିବା ଜରୁରି। ଏ ନେଇ ସେ କେନ୍ଦ୍ର ନିର୍ବାଚନ କମିସନ୍ଙ୍କୁ ଜଣାଇବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଉପରମହଲ ଭୟରେ ଶାସକ ଦଳର ନେତା ଏ ସଂକ୍ରାନ୍ତରେ କିଛି ପ୍ରତିକ୍ରିୟା ରଖିବାକୁ ରାଜି ହୋଇନାହାନ୍ତି।