ରାଇରଙ୍ଗପୁର: ଓଡ଼ିଶାର ୩ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁନାଖଣି ଥିବାର ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ରହିଛି। ତନ୍ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ସୁଲେଇପାଟ ଅଞ୍ଚଳର ଦୁଷୁରା ପାହାଡ଼, ଗୋରୁମହିଷାଣୀ ନିକଟସ୍ଥ ସୂରିୟାଗୋଡ଼ା ଓ ରୁଆଁସୀ ଅଞ୍ଚଳରେ ସୁନାଖଣିର ସନ୍ଧାନ ମିଳିଛି। ଗତ ସପ୍ତାହ ବିଧାନସଭାର ପ୍ରଶ୍ନକାଳରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହା ମଧ୍ୟ ପ୍ରକାଶ କରିଛନ୍ତି। ବିଡ଼ମ୍ବନାର ବିଷୟ ବହୁବର୍ଷ ପରେ ମଧ୍ୟ ସରକାରଙ୍କ ଦ୍ୱାରା ଉକ୍ତ ସୁନାଖଣି ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଫଳରେ ପଡ଼ୋଶୀ ଝାଡ଼ଖଣ୍ଡ ସୁନାବେପାରୀଙ୍କୁ ଏହା ସୁହାଉଥିବା ଦେଖିବାକୁ ମିଳୁଛି।
ସୂଚନା ଅନୁସାରେ, ବହୁବର୍ଷ ତଳେ ଗୋରୁମହିଷାଣୀ କୋହ୍ଲସାହି ନିକଟରେ ପୁତାମପାହାଡ଼ିରେ ସୁନାଖଣି ଥିବା ଚିହ୍ନଟ ହୋଇଥିଲା। ଉକ୍ତ ସ୍ଥାନରେ ପ୍ରଥମେ ସୂରିୟାଗୋଡ଼ା ଗ୍ରାମବାସୀ ସୁନାର ସନ୍ଧାନ ପାଇଥିଲେ। ଏହା ପ୍ରଚାର ହେବାପରେ ଅଞ୍ଚଳବାସୀଙ୍କ ଅର୍ଥନୈତିକ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଥିଲା। ପରବର୍ତ୍ତୀ ସମୟରେ ୧୦୦ ଜଣରେ ଗୋଟିଏ ଗ୍ରୁପ୍ କରାଯାଇଥିଲା। ଦୁଇଜଣ ଲେଖାଏଁ ଗୋଟିଏ ଅଖା ବସ୍ତା, ଶାବଳ ଓ ଟର୍ଚ୍ଚ ଧରି ସୁଡ଼ଙ୍ଗ ଭିତରକୁ ପଶୁଥିଲେ। ଯାହାପାଇଲେ ତାକୁ ବସ୍ତାରେ ଭର୍ତ୍ତିକରି ବାହାରକୁ ଆସୁଥିଲେ। ପୁନଶ୍ଚ ଅନ୍ୟ ଏକ ଗ୍ରୁପ୍ ସୁଡ଼ଙ୍ଗ ଭିତରକୁ ପ୍ରବେଶ କରୁଥିଲେ। ଗୋଟିଏ ଗ୍ରୁପ୍ର ୨ ଜଣ ଲୋକ ସୁଡ଼ଙ୍ଗ ଭିତରକୁ ପଶିବାବେଳକୁ ସେମାନଙ୍କୁ ଅନ୍ୟ ୯୮ ଜଣ ଲୋକ ସୁରକ୍ଷା ପ୍ରଦାନ କରୁଥିଲେ। ସେହିସମୟରେ ଉକ୍ତ ସୁଡ଼ଙ୍ଗକୁ କୌଣସି ସେଫ୍ଟି ଯନ୍ତ୍ରାଂଶ ବ୍ୟବହାର ନ କରିବା ଫଳରେ ଅନେକ ଦୁର୍ଘଟଣାର ଶିକାର ହୋଇଥିଲେ। ମାତ୍ର, ଏହା ଲୋକଲୋଚନଙ୍କୁ ଆସିପାରୁନଥିଲା।
ଅନ୍ୟପକ୍ଷରେ, ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ମଧ୍ୟ ଅନେକ ସୁନା ଆଶାୟୀ ପ୍ରବେଶ କରିଥିଲେ। ସୁନାକୁ ନେଇ ଅଞ୍ଚଳବାସୀ ଓ ଝାଡ଼ଖଣ୍ଡବାସୀଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହେବାଫଳରେ ପ୍ରଶାସନର ନଜର ପଡ଼ିଲା। ପୁଲିସ ଦ୍ୱାରା ଉକ୍ତ ସୁଡ଼ଙ୍ଗକୁ ବଡ଼ବଡ଼ ପଥର ଦେଇ ବନ୍ଦ କରାଯିବା ସହିତ ୧୪୪ ଧାରା ଲାଗୁ କରାଯାଇଥିଲା। ପରେ ସରକାରଙ୍କ ରିପୋର୍ଟ ଆଧାରରେ ଭାରତ ସରକାରଙ୍କ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା (ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ) ଦ୍ୱାରା ସର୍ଭେ କାର୍ଯ୍ୟ ୧୯୮୭-୮୮ ମସିହାରେ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟରେ ୧୯୯୫-୯୬ ମସିହା ପର୍ଯ୍ୟନ୍ତ ଚାଲୁ ରହିଥିଲା।
ଏହି ସର୍ଭେ ଗ୍ରୁପ୍ରେ ଡ୍ରିଲ୍ ଅପରେଟର୍ ଭାବେ କାର୍ଯ୍ୟ କରିଥିବା ଚିଡୁକୁବାଦୀ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଗୁଲାପ ସିଂ କହନ୍ତି, ସର୍ଭେ ଟିମ୍ ଦ୍ୱାରା ପାହାଡ଼ର ବିଭିନ୍ନ ସ୍ଥାନରେ ଡ୍ରିଲ୍ ଦ୍ୱାରା ଗାତ ଖୋଳି ସେଠାରୁ ମାଟି, ପଥର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପଠାଯାଉଥିଲା। ମାତ୍ର, ରିପୋର୍ଟ ସମ୍ବନ୍ଧରେ କୌଣସି ତଥ୍ୟ ଜଣାପଡ଼ିନଥିବା ସେ କହିଛନ୍ତି। ଅନ୍ୟଜଣେ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶ ଯେ ଯେଉଁମାନେ ସୁଡ଼ଙ୍ଗ ଭିତରକୁ ପ୍ରବେଶ କରିଥିଲେ, ମାଟିର ପରସ୍ତ ଭଳି ସୁନାର ଏକ ପରସ୍ତ ଉକ୍ତ ସୁଡ଼ଙ୍ଗ ମଧ୍ୟରେ ରହିଛି। ତେବେ, ସେହି ସମୟରେ ବହୁମାତ୍ରାରେ ସୁନା ସ୍ଥାନୀୟ ରାଇରଙ୍ଗପୁର ଓ ଝାଡ଼ଖଣ୍ଡ ରାଜ୍ୟର ହଳଦୀପୋଖରୀ ବଜାରରେ ବିକ୍ରି ହୋଇଥିଲା। ପଡ଼ୋଶୀ ଝାଡ଼ଖଣ୍ଡର ପୁତାମପାହାଡ଼ି ନିକଟ କୁନ୍ଦୁରୁକଚାରେ ସୁନାଖଣିର କାର୍ଯ୍ୟାରମ୍ଭ ହୋଇଥିବାବେଳେ ଓଡ଼ିଶା ସରକାରଙ୍କ ଏଥିପ୍ରତି ଆଗ୍ରହ ଦେଖାଯାଇନାହିଁ। ଯଦି ଉକ୍ତ ସୁନାଖଣିକୁ ନିଲାମ କରାଯାଇ କାର୍ଯ୍ୟାରମ୍ଭ ହୁଅନ୍ତା ତେବେ ଉକ୍ତ ଅଞ୍ଚଳର ବେକାର ସମସ୍ୟା ସମାଧାନରେ ସହାୟକ ହୁଅନ୍ତା ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।ଏ ସଂପର୍କରେ ରାଇରଙ୍ଗପୁର ତାହସିଲଦାର ଜନରଞନ ନାଏକଙ୍କ ସହିତ ଯୋଗାଯୋଗ କରିବାରୁ ସୂରିୟାଗୋଡ଼ା ସୁନାଖଣି ବିଷୟରେ ସେ ଶୁଣିଥିବା କହିଥିଲେ।