ବାରିପଦା (ବଟକୃଷ୍ଣ ବିହାରୀ): ୨୦୧୯ ନିର୍ବାଚନରେ ରାଜ୍ୟର ସବୁ ଆଡେ ବିଜେଡି ବାଜିମାତ୍‌ କରିଥିବା ବେଳେ ମୟୂରଭଞ୍ଜରେ ଝୁଣ୍ଟିଥିଲା। ତେଣୁ ୨୦୨୪ ପାଇଁ ଦଳ ଫୋକସ୍ କରିଛି। ଲୋକସଭା ସହ ସମସ୍ତ ୯ଟି ବିଧାନସଭା ଆସନକୁ ପୋଛି ନେବ ବୋଲି ଦଳୀୟ ନେତାମାନେ ଏବେଠୁ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେପଟେ ବିଜେପିର ରଣନୀତି କଣ ରହିବ, ତାହା କେହି ଜାଣି ପାରୁନାହାନ୍ତି। ୨୦୧୯ ରେ ବିଜେପି ଲୋକସଭା ଆସନରେ ବିଜୟୀ ହେବା ସହ ୯ଟି ବିଧାନସଭା ଆସନରୁ ୬ଟିରେ ଜିତିଥିଲା। ବିଜେଡିକୁ ମିଳିଥିଲା ମାତ୍ର ୩ଟି ଆସନ। ମାତ୍ର ପଞ୍ଚାୟତ ଓ ପୌର ନିର୍ବାଚନରେ ଏହାର ମଧୁର ପ୍ରତିଶୋଧ ନେଇଥିଲା ବିଜେଡି। ୫୬ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ଗୋଟିଏ ଆସନରେ ବି ଜିତି ପାରି ନଥିଲା। ଅପରପକ୍ଷେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ୩ଟି ଆସନ ହାତେଇବାରେ ସଫଳ ହୋଇଥିବା ବେଳେ ବିଜେଡି ସର୍ବାଧିକ ୫୩ଟି ଆସନ ପାଇ ଜିଲ୍ଲା ପରିଷଦ ଗଠନ କରିଥିଲା। ସେହିଭଳି ପୌର ନିର୍ବାଚନରେ ବି ବିଜେପିକୁ ମାତ୍ ଦେଇଥିଲା ବିଜେଡି। ଉଦଳା ଏନ୍‌ଏନସିକୁ ବହୁ କଷ୍ଟରେ ବିଜେପି ଅକ୍ତିଆର କରିଥିବା ବେଳେ ବାରିପଦା, ରାଇରଙ୍ଗପୁର ପୌର ପରିଷଦ ଓ କରଞ୍ଜିଆ ଏନଏସିକୁ ବିଜେଡି କବ୍‌ଜା କରି ନେଇଥିଲା।

Advertisment

ଜିଲ୍ଲା ସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମଧ୍ୟ ମୟୂରଭଞ୍ଜରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଲୋକସଭାକୁ ବାଦ୍ ଦେ‌ଇ ସମସ୍ତ ବିଧାନସଭା ଆସନରେ ଏକାଧିକ ଅଶାୟୀ ଟିକଟ୍‌ ଦୌଡ଼ରେ ଅଛନ୍ତି। ବିଶେଷ କରି ଜିଲ୍ଲାର ଏକ ମାତ୍ର ଅଣସଂରକ୍ଷିତ ଆସନ ମୋରଡାରେ ଆଶାୟୀଙ୍କ ସଂଖ୍ୟା ୧୫ ପାର୍ ହୋଇଗଲାଣି। ୨୦୧୯ ନିର୍ବାଚନ ଭଳି ବିଜେପିର ପ୍ରସ୍ତୁତି ୨୦୨୪ ପୂର୍ବରୁ ଦେଖିବାକୁ ମିଳୁନ‌ାହିଁ। ଦଳର କିଏ ନେତୃତ୍ବ ନେବ, ତାହା ବି ସ୍ପଷ୍ଟ ହୋଇନାହିଁ। କୌଣସି ରଣନୀତି ନ ଥାଇ କେବଳ ଏହି ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାଁରେ ୨୪ ନିର୍ବାଚନ ପାର୍‌ ହୋଇଯିବ ବୋଲି ବିଜେପି ଆଶାବାନ୍ଧି ବସିଥିବା ବେଳେ ଏହା ‌ସେତେଟା ସହଜ ହେବନାହିଁ ବୋଲି କୁହାଯାଉଛି। କଂଗ୍ରେସର ସ୍ବରଶବ୍ଦ ନଥିବା ବେଳେ ପୂର୍ବ ସ୍ଥିତି ଫେରି ପାଇବାକୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କସରତ ଚଳାଇଛି। ୨୦୨୪ ରେ ବିଜେଡି ଓ ବିଜେପି ମଧ୍ୟରେ ମହାଲଢ଼େଇ ହେବାକୁ ଯାଉଥିବା ବେଳେ ଏଥିରେ ଜେଏମ୍‌ଏମ୍‌ ନିର୍ଣ୍ଣାୟକ ଭୂମିକା ନେଇପାରେ ବୋଲି ଆକଳନ କରାଯାଉଛି।