ମୟୂରଭଞ୍ଜ ଲୋକସଭା: ସୁଦାମ ଓ ନବଙ୍କୁ ଟକ୍କର ଦେବେ ଅଞ୍ଜନୀ

ଜେଏମ୍‌ଏମ୍‌ ପ୍ରାର୍ଥୀ ଘୋଷିତ

ବାରିପଦା: ମୟୂରଭଞ୍ଜ ‌ଲୋକସଭା ନିର୍ବାଚନ ପାଇଁ ବିଜେଡିର ବରିଷ୍ଠ ନେତା ସୁଦାମ ମାରାଣ୍ଡି ଓ ବିଜେପିର ନବଚରଣ ମାଝୀ ଜୋର୍‌ଦାର୍‌ ପ୍ରଚାର ଚଳାଇଛନ୍ତି। ଏଥର ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ବିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି। ତେବେ ଜେଏମ୍‌ଏମ୍‌ରୁ ପ୍ରାର୍ଥୀ ହୋଇଥିବା ଅଞ୍ଜନୀ ‌ସୋରେନ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି। ତେଣୁ ଜେଏମ୍‌ଏମ୍‌ର ରାଜନୈତିକ ଗତିବିଧି ଉପରେ ଉଭୟ ବିଜେଡି ଓ ବିଜେପି ନଜର ରଖିଛନ୍ତି।
ବାଙ୍ଗିରିପୋଷି ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ନିଜସ୍ବ ସଂଗଠନ ରହିଛି। ତେଣୁ ସେ ଯେଉଁଠି ବି ପ୍ରଚାର, ସମାବେଶ କରୁଛନ୍ତି ସେଠାରେ ଦଳୀୟ ସମର୍ଥକଙ୍କୁ ସାଙ୍ଗରେ ଧରି କାର୍ଯ୍ୟକ୍ରମ କରୁଛନ୍ତି। ଏପଟେ ଗତ ନିର୍ବାଚନରେ ବିଜେପି ୯ରୁ ୬ଟି ବିଧାନସଭା ଆସନ ଜିତିଥିଲା। ଜିଲ୍ଲାରେ ଦଳର ସାଂଗଠନିକ ସ୍ଥିତି ଏବେ ବି ମଜବୁତ ଥିବାରୁ ସ୍ଥାନୀୟ ବିଧାୟକ ପ୍ରାର୍ଥୀଙ୍କୁ ଧରି ପ୍ରଚାର ଅଭିଯାନ ଚଳାଇଛନ୍ତି ନବଚରଣ।

ଏପଟେ ପୂର୍ବଥର ଭଳି ଏଥର ବି ଜେଏମ୍‌ଏମ୍‌ରୁ ପ୍ରାର୍ଥୀ ହୋଇଥିବା ଅଞ୍ଜନୀ ସୋରେନ ଦଳର ପ‌କେଟ୍‌ ଭୋଟ୍‌ ଉପରେ ନଜର ରଖିଛନ୍ତି। ଶେଷଥର ପାଇଁ ୨୦୦୪ରେ ମୟୂରଭଞ୍ଜ ଆସନ ହାତେଇଥିଲା ଜେଏମ୍‌ଏମ୍‌। ସେତେବେଳେ ସୁଦାମ ମାରାଣ୍ଡି ଦଳର ପ୍ରମୁଖ ଚେହେରା ଥିଲେ। ୨୦୦୯ରେ ମଧ୍ୟ ସେ ପ୍ରାର୍ଥୀ ହୋଇ ୧ ଲକ୍ଷ ୯୦ ହଜାର ଭୋଟ୍‌ ପାଇଥିଲେ। ୨୦୧୪ରେ ‌ଡା.ଦେବାଶିଷ ମାରାଣ୍ଡି ୧ ଲକ୍ଷ ୭୨ ହଜାର ଭୋଟ୍‌ ହାତେଇଥିଲେ। ଉଭୟ ନେତା ୨୦୧୯ ବେଳକୁ ବିଜେଡିରେ ସାମିଲ ହୋଇ ଯାଇଥିବାରୁ ୨୦୧୯ରୁ ମୟୂରଭଞ୍ଜରେ ଦଳର ମଙ୍ଗ ଧରିଛନ୍ତି ଅଞ୍ଜନୀ। ସେ ଗତଥର ୧ ଲକ୍ଷ ୩୫ ହଜାର ଭୋଟ୍‌ ପାଇବାରେ ସଫଳ ହୋଇଥିଲେ। ଏଥର ତାଙ୍କ ଦଳ ଆଉ ୩-୪ ପ୍ରତିଶତ ଭୋଟ୍‌ ଟାଣି ପାରିଲେ ଫଳାଫଳ ନିର୍ଣ୍ଣୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି।
ଅଞ୍ଜନୀଙ୍କ ପାଇଁ ତାଙ୍କ ବାପା ତଥା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରତିଷ୍ଠାତା ଶିବୁ ସୋରେନ୍‌, ଭାଉଜ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ରଞ୍ଜିତା ସୋରେନ୍‌ ପ୍ରଚାର ପାଇଁ ଆସିବାକୁ ଥିବାରୁ ନିଜ ସଫଳତା ନେଇ ଆଶାବାଦୀ ଅଛନ୍ତି ଅଞ୍ଜନୀ।

ସମ୍ବନ୍ଧିତ ଖବର