ନୀରବିଗଲେ ଭଞ୍ଜମାଟିର ଆଉ ଜଣେ ରତ୍ନ, ଅଧା ରହିଗଲା ଛଉ ସଂଗୀତର ନୋଟେସନ୍‌

ରାଜଧାନୀରେ ମୟୂରଭଞ୍ଜର କଳା ସଂସ୍କୃତି ପ୍ରଚାର ପ୍ରସାରରେ ସାଜିଥିଲେ କର୍ଣ୍ଣଧାର

ବାରିପଦା: ମୟୂରଭଞ୍ଜ ପାଇଁ ଦୁଃଖ ଆଣିଦେଇଛି ବର୍ଷ ୨୦୨୦। ଶେଷ ସମୟରେ ମଧ୍ୟ ଭଞ୍ଜମାଟିର ଆଉ ଜଣେ ରତ୍ନଙ୍କୁ ଛଡ଼େଇ ନେଇଛି ଏହି କାଳ ବର୍ଷ। ବିଜୟ ମହାନ୍ତି, ଅଜିତ ଦାସଙ୍କ ପରେ ବର୍ଷୀୟାନ ସଂଗୀତ ନିର୍ଦ୍ଦେଶକ ତଥା ସ୍ବର ସାଧକ ଶାନ୍ତନୁ ମହାପାତ୍ରଙ୍କୁ ହରେଇଛି କଳା ସଂସ୍କୃତିର ସହର ବାରିପଦା।

୧୯୩୬ ମସିହାରେ ବାରିପଦା ଦେଉଳିସାହିରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମ ସ୍ରଷ୍ଟା ଶାନ୍ତନୁ । ଲୋକଙ୍କ ଗହଣରେ ସେ ବାବୁଆ ନନା ଭାବେ ଥିଲେ ସୁପରିଚିତ। ଆଜି ପ୍ରାଣ ହରାଇଥିବା ସ୍ବର୍ଗତଃ ମହାପାତ୍ରଙ୍କ ବିୟୋଗରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଭଞ୍ଜମାଟିର କଳା ସାଧକଙ୍କୁ ମଧ୍ୟରୁ ସେ ଥିଲେ ଅନ୍ୟତମ। ଓଡ଼ିଆ ସଙ୍ଗୀତ ଜଗତରେ ମୟୂରଭଞ୍ଜର ନାମକୁ ସଗର୍ବେ ପରିଚିତ କରାଇପାରିଥିବା ସାଧକମାନଙ୍କ ମଧ୍ୟରୁ ଶାନ୍ତନୁ ଥିଲେ ଏକ ଲବ୍ଧପ୍ରତିଷ୍ଠିତ ନାମ। ରାଧାକୃଷ୍ଟ ଭଞ୍ଜ, ସରୋଜ ପଟ୍ଟନାୟକଙ୍କ ସହିତ ଶାନ୍ତନୁ ତତ୍‌କାଳୀନ ସମୟରେ ଓଡ଼ିଆ ସଙ୍ଗୀତ ଜଗତକୁ ଦେଇଥିଲେ ଅଜସ୍ର ଭେଟି।

ଓଡ଼ିଆ ସଙ୍ଗୀତ ଦୁନିଆରେ ନୂତନ ଧାରାର ପ୍ରବର୍ତ୍ତନରେ ଉପରୋକ୍ତ ତିନି କଳାକାରଙ୍କ ଅବଦାନ ଅତୁଳନୀୟ। ତତ୍‌କାଳୀନ ବାରିପଦା ହାଇସ୍କୁଲ୍‌ ତଥା ବର୍ତ୍ତମାନର ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲ୍‌ରେ ପାଠ ପଢ଼ିଥିଲେ ଶାନ୍ତନୁ। ବିଜ୍ଞାନ ଛାତ୍ର ହୋଇ ମଧ୍ୟ ସଙ୍ଗୀତ ପ୍ରତି ଥିଲା ତାଙ୍କର ଅଗାଢ଼ ପ୍ରତିଭା। ଖଣି ବିଭାଗ ଭଳି ସମ୍ପୂର୍ଣ୍ଣ ବିପରୀତ ପ୍ରଫେସନ୍‌ରେ ଥାଇ ମଧ୍ୟ ସଙ୍ଗୀତଠାରୁ କେବେ ଦୂରେଇପାରିନଥିଲେ ସେ। ଯାହାକି ମାତ୍ର ୨୭ ବର୍ଷ ବୟସରୁ ମହମ୍ମଦ ରଫି, ଲତା ମଙ୍ଗେସକରଙ୍କ ଭଳି ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକଙ୍କୁ ନେଇ ସଙ୍ଗୀତ ପ୍ରସ୍ତୁତ କରିଥିଲେ।

ରାଜଧାନୀ ଭୁବନେଶ୍ବର ସମେତ ସମଗ୍ର ରାଜ୍ୟକୁ ମୟୂରଭଞ୍ଜର ଅପୂର୍ବ କଳା ସଂସ୍କୃତିକୁ ପ୍ରଦର୍ଶିତ କରିବା ନିମନ୍ତେ ଗଠିତ ହୋଇଥିବା ମୟୂରଭଞ୍ଜ କଲ୍‌ଚରାଲ ଆସୋସିଏସନ୍‌ର ସେ ଥିଲେ ପ୍ରତିଷ୍ଠାତା ସଦସ୍ୟ। ଭୁବନେଶ୍ବର-କଟକରେ ରହୁଥିବା ମୟୂରଭଞ୍ଜିଆମାନଙ୍କୁ ନେଇ ଗଠିତ ହୋଇଥିବା ଉକ୍ତ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏହି ସଂଗୀତ କାର୍ଯ୍ୟକ୍ରମରେ ପ୍ରମୁଖ ସାଜୁଥିଲେ ଶାନ୍ତନୁ। ପ୍ରତିବର୍ଷ ଜିଲ୍ଲାକୁ ନେଇ ନୂଆ ନୂଆ ଗୀତ ପ୍ରସ୍ତୁତ କରୁଥିଲେ ସେ। ସମ୍ପର୍କୀୟ ଭାଇ ଜୀବନାନନ୍ଦ ପାଣି ଏବଂ ବନ୍ଧୁ ଗୁରୁକୃଷ୍ଣ ଗୋସ୍ବାମୀଙ୍କ ସହିତ ଶାନ୍ତନୁଙ୍କର ଯୋଡ଼ି ବେଶ୍‌ ଜମୁଥିଲା।

ସ୍ବର୍ଗତଃ ମହାପାତ୍ରଙ୍କ ପିତା ରମେଶ ଚନ୍ଦ୍ର ମହାପାତ୍ର ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ସମୟରେ ଡୋମେଷ୍ଟିକ୍‌ ମ୍ୟାନେଜର ଭାବେ ନିୟୋଜିତ ଥିଲେ। ପରେ ଦକ୍ଷିଣ ସାହି ଛଉ ନୃତ୍ୟ ପ୍ରତିଷ୍ଠାନର ପରିଚାଳକ ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଛଉ ନୃତ୍ୟକୁ ଉଜ୍ଜୀବିତ କରି ରଖିଥିଲେ। ପିତାଙ୍କ ସୂତ୍ରରୁ ଛଉ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ ଶାନ୍ତନୁ। ପ୍ରସିଦ୍ଧ ନୃତ୍ୟାଙ୍ଗନା ଇଲିଆନା ସିତାରିସ୍ତିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଛଉ ନୃତ୍ୟ ବ୍ୟାଲେଟ୍‌ ‘ପଞ୍ଚଭୂତ’ରେ ସ୍ବର ସଂଯୋଜନା କରି ଛଉ ସଂଗୀତକୁ ଏକ ନୂତନ ଦିଶା ପ୍ରଦାନ କରିଥିଲେ ଶାନ୍ତନୁ। ଏହା ସହିତ ଗୀତ ଗୋବିନ୍ଦର ଓଡ଼ିଆ ଅନୁବାଦ ‘ମାନିନୀ ରାଧିକା’ର ମଧ୍ୟ ସ୍ବର ସଂଯୋଜନା ଭାର ନେଇଥିଲେ ଶାନ୍ତନୁ। ଏଥିରେ ଓଡ଼ିଶୀ ସହିତ ଛଉ ସଂଗୀତକୁ ଫ୍ୟୁଜନ୍‌ କରିଥିଲେ, ଯାହାକି ବେଶ୍‌ ସଫଳତା ହାସଲ କରିଥିଲା। ମାତ୍ର ଛଉ ସଂଗୀତର ସଂରକ୍ଷଣ ନିମନ୍ତେ ଏହାକୁ ନୋଟେସନ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖି ସଂସ୍କୃତି ବିଭାଗକୁ ପ୍ରସ୍ତାବ ମଧ୍ୟ ଦେଇଥ‌ିଲେ।

ତେବେ ଏହା କୌଣସି କାରଣରୁ ସରକାରୀ ସ୍ତରରେ ସମ୍ଭବ‌ ହୋଇପାରି ନଥିଲା। ‌ତଥାପି ସ୍ବର୍ଗତଃ ମହାପାତ୍ର ହାର୍‌ ନମାନି ବ୍ୟକ୍ତିଗତ ସ୍ତରରେ ଏହି ନୋଟେସନ୍‌ ପ୍ରସ୍ତୁତ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିଲେ। ମାତ୍ର ଏହା ଅଧା ରହିଗଲା। ବାର୍ଦ୍ଧକ୍ୟଜନିତ ସମସ୍ୟା କାରଣରୁ ଗତ କିଛି ବର୍ଷ ହେବ ଆଉ ବାରିପଦା ଆସିପାରିନଥିବା ଶାନ୍ତନୁ ରାଧାକୃଷ୍ଣ ଭଞ୍ଜ ନାଇଟ୍‌ରେ କିନ୍ତୁ ସେ ସାଜିଥିଲେ ଅନ୍ୟତମ ଆକର୍ଷଣ। ସେହିପରି ମୟୂରଭଞ୍ଜର ନାମକୁ ଜାତୀୟସ୍ତରରେ ପ୍ରତିପାଦିତ କରି ପ୍ରାୟତଃ ଏକମାତ୍ର ସଙ୍ଗୀତ ସାଧକ ଭାବେ ରାଷ୍ଟ୍ରପତିଙ୍କଠାରୁ ୧୯୭୯ରେ ‘ସ୍ବର୍ଣ୍ଣ କମଳ’ ସମ୍ମାନରେ ଭୂଷିତ ହୋଇଥିଲେ।

ମୁଗେଇଶାଳ ଚାଉଳର ଭାତ ଓ ଖାସି ମାଂସ ଥିଲା ପ୍ରିୟ ଖାଦ୍ୟ

ଭୁବନେଶ୍ବରରେ ବସବାସ କରୁଥିବା ଶାନ୍ତନୁ କିନ୍ତୁ ବରାବର ନିଜ ଜନ୍ମମାଟି ବାରିପଦାକୁ ଆସିଥାଆନ୍ତି। ‌ଆସିବା ପୂର୍ବରୁ ହିଁ ବରାଦ ହୁଏ ମୁଗେଇଶାଳ ଚାଉଳର ଭାତ ଓ ପତଳା ଝୋଳ ଥିବା ଖାସି ମାଂସ। ଜଣେ ସଚ୍ଚା ମୟୂରଭଞ୍ଜିଆ ଭ‌ାବେ ଦିଲ୍‌ଦାର ସ୍ବଭାବ ସହିତ ଖାଦ୍ୟ ପ୍ରିୟ ଶାନ୍ତନୁଙ୍କୁ ସବୁବେଳେ ଝୁରିବ ବାରିପଦା। ବାରିପଦା ଆସିଲେ ନିଜ ସମ୍ପର୍କୀୟ ଏବଂ ବନ୍ଧୁ ପରିଜନଙ୍କୁ କ୍ଷଣକେ ପାଇଁ ହେଉ ମଧ୍ୟ ଭେଟିଥାଆନ୍ତି ସେ। ଯାହାକି ତାଙ୍କ ସ୍ନେହର ଏକ ଅପ୍ରତିମ ସ୍ବାକ୍ଷର ହୋଇ ରହିବ।

ସମ୍ବନ୍ଧିତ ଖବର