ସୁଦାମଙ୍କୁ ମନ୍ତ୍ରୀ ପଦ ପରେ… ବିଜେପିର ଗଡ଼ ସୁରକ୍ଷା ଚିନ୍ତା

ମନାନ୍ତର ଭୁଲି ଏକାଠି ହେଲେଣି ବରିଷ୍ଠ ନେତୃବୃନ୍ଦ

ବାରିପଦା,(ବଟକୃଷ୍ଣ ବିହାରୀ): ୨୦୨୪ ସାଧ‌ାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତେ ସରଗରମ ହେଉଛି। ୨୦୧୯ ସାଧାରଣ ନିର୍ବାଚନର ସଫଳତା ଦୋହରାଇବା ଲକ୍ଷ୍ୟ ରଖିଛି ବିଜେପି। ହେଲେ ଏହି ନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଏହି ଦଳ ବିଜେପିକୁ ରୋକିବାକୁ ସବୁପ୍ରକାର ରଣନୀତି ଆପଣାଉଛି। ପ୍ରଥମ ପଦକ୍ଷେପ ସ୍ବରୁପ ବିଜେଡିର ଟାଣୁଆ ନେତା ସୁଦାମ ମାରାଣ୍ଡିଙ୍କୁ ପୁଣି ଥରେ ମନ୍ତ୍ରୀପଦ ମିଳିଛି। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସୁପ୍ରିମୋ ଏହି ମାଷ୍ଟ୍ରରଷ୍ଟୋକ ଖେଳିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ସୁଦାମଙ୍କ ଭଳି ଟାଣୁଆ ନେତାଙ୍କ ହାତକୁ କ୍ଷମତା ଆସିବା ପରେ ବିଜେପିର ମଧ୍ୟ ଚିନ୍ତା ବଢ଼ିଛି। ସୁଦାମଙ୍କୁ ମନ୍ତ୍ରୀପଦ ମିଳିବାର ମାତ୍ର ସପ୍ତାହେ ମଧ୍ୟରେ ଜିଲ୍ଲାରେ ୩୦ରୁ ଅଧିକ ବୈଠକ କଲାଣି ବିଜେପି।

ପୂର୍ବରୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ମୟୂରଭଞ୍ଜର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ସହ ବିଧାୟକମାନଙ୍କୁ ଦେଖିବାକୁ ମିଳୁନଥିଲା। ସାଂସଦ ଓ ବିଧାୟକଙ୍କ ଭଲ ସମ୍ପର୍କ ନଥିବା ଆଲୋଚନା ହେଉଥିଲା। ହେଲେ ଏବେ କେନ୍ଦ୍ରମନ୍ତ୍ରୀଙ୍କ ସହ ଦଳୀୟ ବିଧାୟକମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳୁଛି। ମତଭେଦ ଭୁଲି ଦଳ ପାଇଁ କାମ କରିବାକୁ, କେନ୍ଦ୍ର ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ କର୍ମୀଙ୍କୁ ମନ୍ତ୍ର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ। ବାରିପଦା, ମୋରଡ଼ା, ବଡ଼ସାହି, ଉଦଳା, ରାଇରଙ୍ଗପୁର, ଯଶିପୁର, ସାରସକଣା ସମେତ ସବୁ ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ ସହ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଡକାଇ ନେତା ଓ କର୍ମୀଙ୍କୁ ଏକଜୁଟ୍ କରିବା ଆରମ୍ଭ କରି ଦେଇଛି ଦଳ। ମିଳିଥିବା ସୂଚନା ପ୍ରକାରେ ଏବେ ଗାଁ ଗାଁରେ କର୍ମୀ ସମ୍ମିଳନୀ କରିବ ବିଜେପି। ତାପରେ ବ୍ଲକ ଓ ଉପଖଣ୍ଡସ୍ତରରେ ଓ ଶେଷରେ ରଜ କିମ୍ବା ରଥଯାତ୍ରା ସମୟରେ ଜିଲ୍ଲା ସଦର ମହକୁମାରେ ବିଶାଳ କର୍ମୀ ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ କେନ୍ଦ୍ର ଓ ରାଜ୍ୟ ନେତୃତ୍ବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ରଣନୀତି ବିଜେଡିର ରଣକୌଶଳକୁ ଭେଦ କରି ବିଜେପିକୁ ସଫଳତା ଦେବ ନା ବିଜେଡି ଏଠାରେ ପଞ୍ଚାୟତ ଓ ପୌର ନିର୍ବାଚନର ସଫଳତା ଦୋହରାଇବ ସେ ନେଇ ଏବେଠୁ ଉତ୍କଣ୍ଠା ପ୍ରକାଶ ପାଇଲାଣି।

ସମ୍ବନ୍ଧିତ ଖବର