ବାରିପଦା: ନୂଆ ରେକର୍ଡ ସ୍ଥାପନ କରିଛି ମୟୂରଭଞ୍ଜ ଡାକ ମଣ୍ଡଳ। ଜିଲ୍ଲାର ସମସ୍ତ ଡାକଘର ଜରିଆରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ‘ମହିଳା ସମ୍ମାନ ସଞ୍ଚୟ ଆକାଉଣ୍ଟ’ ଖୋଲି ରାଜ୍ୟରେ ଏକ ନମ୍ବର ହୋଇଛି ମୟୂରଭଞ୍ଜ। ମୟୂରଭଞ୍ଜ ମଣ୍ଡଳର ଡାକ ଅଧୀକ୍ଷକ ବସନ୍ତ ସିଂହ କହିଛନ୍ତି, ଗତବର୍ଷ ୯୦୫୬ଟି ଆକାଉଣ୍ଟ ଖୋଲି ବ୍ରହ୍ମପୁର ମଣ୍ଡଳ ପଛକୁ ଦ୍ବିତୀୟ ସ୍ଥାନରେ ରହିଥିଲା ମୟୂରଭଞ୍ଜ। ଚଳିତ ଆର୍ଥିକ ବର୍ଷରେ ୨୦ ହଜାର ଆକାଉଣ୍ଟ ଖୋଲିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଏହି ଲକ୍ଷ୍ୟ ହାସଲ ପାଇଁ ଡାକ କର୍ମଚାରୀମାନେ ଯୋଜନାର ଲାଭ ସମ୍ପର୍କରେ ମହିଳାମାନଙ୍କୁ ଅବଗତ କରିଥିଲେ। ଫଳସ୍ବରୂପ ଗତ ୨୨ ତାରିଖରେ ଏକକାଳୀନ ୧୫ ହଜାର ୬୬୧ଟି ଆକାଉଣ୍ଟ ଖୋଲାଯାଇଛି। ଏଥସହ ଦିନକରେ ମହିଳାମାନଙ୍କ ଜମା ଖାତାରେ ୧୩ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି। ଏହା ଏକ ବିରଳ ସଫଳତା ହୋଇଥିବାରୁ ଆମେ ଗିନିଜ୍ ୱାର୍ଲଡ ରେକର୍ଡରେ ସାମିଲ କରିବାକୁ ଆବେଦନ କରିବୁ ବୋଲି କହିଛନ୍ତି ଡାକ ଅଧୀକ୍ଷକ ଶ୍ରୀ ସିଂହ।
୧୩ କୋଟିରୁ ଅଧିକ ଜମା
ମୟୂରଭଞ୍ଜ ଡାକ ମଣ୍ଡଳର ଏହି ଅଭୂତପୂର୍ବ ସଫଳତା ପାଇଁ ବାରିପଦା ଗସ୍ତରେ ଆସିଥିବା ଓଡ଼ିଶା ପରିମଣ୍ଡଳର ଡାକ ନିର୍ଦ୍ଦେଶକ ପଙ୍କଜ ମିଶ୍ର ସମସ୍ତ ଡାକ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଅଧୀକ୍ଷକ ପ୍ରଣବ କୁମାର ମିଶ୍ର ଏହି ଯୋଜନାରେ ସାମିଲ ହୋଇଥିବା ମହିଳା ଉପଭୋକ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ; ମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ଏଥିରେ ଡାକଘର ଜମାରାଶି ଉପରେ ବାର୍ଷିକ ୭.୫ ପ୍ରତିଶତ ସୁଧ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2021/10/postal-dau.jpg)