ବାରିପଦା : ମୟୂରଭଞ୍ଜ ଇତିହାସରେ ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଛି। ମୟୂରଭଞ୍ଜ ରାଜମାତା ତଥା ନାରୀ ସଶକ୍ତିକରଣର ପ୍ରମୁଖ ବାର୍ତ୍ତାବହ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ’ଙ୍କର ସ୍ଥାନୀୟ ବେଲଗଡ଼ିଆସ୍ଥିତ ରାଜପ୍ରାସାଦରେ ଗତକାଲି ବିଳମ୍ବିତ ରାତି (ପ୍ରାୟ ସାଢ଼େ ୧୦ଟା)ରେ ୯୪ ବର୍ଷ ବୟସରେ ପରଲୋକ ଘଟିଛି।
/sambad/media/post_attachments/wp-content/uploads/2020/07/Rajamata-300x270.jpg)
ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଗତକାଲି ସବୁଦିନ ଭଳି ନିତ୍ୟନୈମତିକ ଜୀବନଚର୍ଯ୍ୟା ସମ୍ପାଦନ କରି ରାତ୍ରିଭୋଜନ ପରେ ବିଶ୍ରାମ କରିବାକୁ ନିଜ କୋଠରୀକୁ ଯାଇଥିଲେ । ତେବେ ଶୋଇଥିବା ଅବସ୍ଥାରେ ହିଁ ରାଜମାତା ଇହଲୀଳା ସମ୍ବରଣ କରିଥିବା ତାଙ୍କର ଏକମାତ୍ର ପୁତ୍ର ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ସୂଚନା ଦେଇଛନ୍ତି। ଏହି ସମୟରେ ଶ୍ରୀ ଭଞ୍ଜଦେଓ ଘରେ ଅନୁପସ୍ଥିତ ଥିଲେ। ମାତ୍ର ରାଜମାତା’ଙ୍କ ଦେହାନ୍ତ ଖବରପାଇ ବିଳମ୍ବିତ ରାତିରେ ଆସି ବେଲଗଡ଼ିଆ ରାଜବାଟୀରେ ପହଞ୍ଚିଥିଲେ। ଏହାପରେ ଆଜି ରାଜପୁରୋହିତଙ୍କ ଦ୍ୱାରା ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ରାଜପରିବାରର ରୀତିନୀତି ଓ ପରମ୍ପରା ଅନୁସାରେ ବିଭିନ୍ନ ବିଧି ସମ୍ପାଦନ ପରେ ରାଜମାତାଙ୍କ ପାର୍ଥୀବ ଶରୀର ସର୍ବସାଧାରଣ ଦର୍ଶନ ନିମନ୍ତେ ରଖାଯାଇଥିଲା।
/sambad/media/post_attachments/wp-content/uploads/2020/07/Tributes-MP-Loksabha-300x169.jpg)
ରାଜମାତାଙ୍କ ଶରୀର ତ୍ୟାଗ ଖବର ପାଇ ନାତି ତଥା କଳାହାଣ୍ଡି ମହାରାଜା ଅନନ୍ତପ୍ରତାପ ଦେଓ ଆସି ଅପରାହ୍ନ ପ୍ରାୟ ଅଢ଼େଇଟା ସମୟରେ ବେଲଗଡ଼ିଆ ରାଜବାଟୀରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ପରେ ବୁଢ଼ାବଳଙ୍ଗ ନଦୀ କୂଳ ସହରସାହିସ୍ଥିତ ରାଜପରିବାର ଶ୍ମଶାନରେ ଏକ ଶୋକାକୁଳ ପରିବେଶରେ ରାଜମାତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ମୃତ୍ୟୁଶଯ୍ୟା ନିକଟରେ ରାଜମାତାଙ୍କର ନାତୁଣୀ ତଥା ପ୍ରବୀଣ ଭଞ୍ଜଦେଓଙ୍କର ତିନି କନ୍ୟା ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2020/07/Rajamata-With-Husband-300x293.jpg)
ସୂଚନା ଯୋଗ୍ୟଯେ, ସ୍ୱର୍ଗତାଃ ରାଜମାତା ନେପାଳ ରାଜପରିବାରରେ ପିତା ନେପାଳ ନରେଶ ତ୍ରିଭୂବନ ବୀର ବିକ୍ରମ ଶାହା ଓ ମାତା ରାଣୀ କାନ୍ତିଙ୍କ କୋଳମଣ୍ଡନ କରି ୧୯୨୭ ଫେବ୍ରୁୟାରୀ ୧୮ରେ ଭୂମିଷ୍ଠ ହୋଇଥିଲେ । ଏହାପରେ ୧୯୫୨ ଫେବ୍ରୁୟାରୀ ୮ରେ ମୟୂରଭଞ୍ଜ ମହାରାଜା ପ୍ରଦୀପଚନ୍ଦ୍ର ଭଞ୍ଜଦେଓଙ୍କ ସହ ଶୁଭ ପରିଣୟ ସମ୍ପନ୍ନ ହୋଇଥିଲା । ରାଜମାତାଙ୍କର ସ୍ୱର୍ଗତ ପ୍ରଭାମଞ୍ଜରୀ ଦେବୀ, ପଦ୍ମାମଞ୍ଜରୀ ଦେବୀ(ରାଜମାତା କଳାହାଣ୍ଡି) ଓ ସ୍ନେହା ରାନା ନାମରେ ତିନି ରାଜକୁମାରୀଙ୍କ ସହ ଭଞ୍ଜ ରାଜବଂଶର ୪୭ତମ ମହାରାଜା ତଥା ଏକମାତ୍ର ପୁତ୍ର ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ସନ୍ତାନ ରହିଛନ୍ତି। ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ସ୍ୱାମୀ ମହାରାଜା ପ୍ରଦୀପଚନ୍ଦ୍ର ଭଞ୍ଜଦେଓ ଏବଂ ନାତି, ନାତୁଣୀ, ଅଣନାତି ଓ ପଣନାତି ଆଦିଙ୍କ ସହିତ ସମୟ କଟାଉଥିବା ସମୟରେ ଗତ ୨୦୦୦ ମସିହାରେ ସ୍ୱାମୀ ମହାରାଜା ପ୍ରଦୀପଚନ୍ଦ୍ର ଭଞ୍ଜଦେଓ ଦେହାନ୍ତ ହୋଇଥିଲା ।
/sambad/media/post_attachments/wp-content/uploads/2020/07/Rajmata-with-family-300x268.jpg)
ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଜଣେ ସଂସ୍କାରବାଦୀ, ରକ୍ଷଣଶୀଳ, ମିଷ୍ଠଭାଷୀ ଧର୍ମପରାୟଣା ବ୍ୟକ୍ତିତ୍ୱଧାରୀ ମହିୟସୀ ରହିଥିଲେ । ନାରୀ ଶିକ୍ଷା ସହିତ ମହିଳା ସଶକ୍ତିକରଣ ଉପରେ ଅଧିକ ଗୁରୁତ୍ୱାରୋପ ଦେଉଥିଲେ । ସେହିପରି କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଉପରେ ଅଧିକ ରୁଚି ରଖିଥିବା ବେଳେ କ୍ରୀଡ଼ା ବିଶେଷ କରି ଫୁଟବଲ ଓ ଟେନିସ ଆଦି ଖେଳ ପ୍ରିୟ ରହିଥିଲେ । ଏହି ଭଳି ଜଣେ ମହାନ ବ୍ୟକ୍ତିତ୍ୱ ଓ ପ୍ରଜାବତ୍ସଳ ରାଜମାତାଙ୍କୁ ହରାଇଥିବା ଯୋଗୁଁ ମୟୂରଭଞ୍ଜବାସୀ ଗଭୀର ଶୋକ ବକ୍ତ କରିବା ସଂଗେସଂଗେ ତାଙ୍କ ଅମର ଆତ୍ମାର ସଦଗତି କାମନା ପୂର୍ବକ ଅଶ୍ରୁଳ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏନେଇ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
/sambad/media/post_attachments/wp-content/uploads/2020/07/A-1-300x220.jpg)
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଶୋକ
ବାରିପଦା : ରାଜମାତା ଭାରତୀ ରାଲ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବିୟୋଗରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ରାଜମାତାଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହିତ ଏକ ଯୁଗର ଅବସାନ ଘଟିଥିବା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Rajmata-Bharati-Rajy-Lakshmi-Devi-ff.jpg)