ରେଳବାଇର ବିକାଶ ଉପରେ ଡ଼ିଆରଏମ ଓ ଜିଏମଙ୍କ ସହ ଆଲୋଚନା କଲେ ସାଂସଦ ବିଶ୍ୱେଶର ଟୁଡ଼ୁ

ବାରିପଦା: ମୟୂରଭଞ୍ଜ ଲୋକସଭା ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଇଂ ବିଶ୍ୱେଶର ଟୁଡ଼ୁ ଭୁବନେଶ୍ୱର ଗସ୍ତରେ ରହିଛନ୍ତି । ଏହି ସମୟରେ ସାଂସଦ ଟୁଡ଼ୁ ଓ ସାଂସଦଙ୍କ ପ୍ରତିନିଧି ତଥା ଡିଆରୟୁସିସି/ଜେଡ଼ଆରୟୁସିସି ସଦସ୍ୟ ହେମନ୍ତ କୁମାର ସାହାଙ୍କ ସହ ପୂର୍ବତଟ ରେଳବାଇର ଡିଆରଏମ ଓ ଜିଏମଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ମୟୂରଭଞ୍ଜ ଜିଲ୍ଲାରେ ରେଳବାଇ କ୍ଷେତ୍ରରେ ବିକାଶ ନିମନ୍ତେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବାର ଜଣାପଡ଼ିଛି । ପ୍ରଥମରେ କରୋନା ମହାମାରୀ କାରଣରୁ ବନ୍ଦ ଥିବା ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନକୁ ଆପାତତଃ ୧୫ ଦିନ ଚଳାଚଳ କରିବା ନିମନ୍ତେ ଗୁରୁତ୍ୱ ଦେଇଥିଲେ, କାରଣ ଜାନୁଆରୀ ୧୪ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଭଳି ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ଗଣପର୍ବ ମକର ସଂକ୍ରାନ୍ତି ଓ ଟୁସୁ ପର୍ବ ପଡ଼ୁଛି ।

ଏହି ଅବସରରେ ଜିଲ୍ଲା ବାହାରେ ରହୁଥିବା ଜନସାଧାରଣ ନିଜ ନିଜ ଘରକୁ ଫେରିଥାନ୍ତି । ଏଣୁ ଜିଲ୍ଲାବାସୀଙ୍କ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଯାତାୟତର ସୁବିଧା ନିମନ୍ତେ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ ଚଳାଚଳର ଆବଶ୍ୟକତା ରହିଛି । ପୁଣି ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ଆସନ୍ତା ଫେବୃଆରୀ ମାସଠାରୁ ଟ୍ରେନରେ ଶୀତତାପ ନିୟନ୍ତ୍ରିତ ବଗି ଲଗାଯିବା ନିମନ୍ତେ ଦାବି କରିଛନ୍ତି । ସେହିପରି ପୁରୀକୁ ଯାଉଥିବା ସାପ୍ତାହିକ ଟ୍ରେନକୁ କରୋନା ମହାମାରୀ ହଟିଯିବା ପରେ ନିୟମିତ ଭାବେ ପ୍ରତ୍ୟେକ ଦିନ ଚଳାଚଳ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଟ୍ରେନରେ ବାହାରୁ ମାଲ ପରିବହନ ନିମନ୍ତେ କୌଣସି ବ୍ୟବସ୍ଥା ନ ନଥିବାରୁ ବ୍ୟବସାୟୀମାନେ ମାଲ ପରିବହନ ନିମନ୍ତେ ଟ୍ରାନ୍ସପୋର୍ଟ ବା ଟ୍ରକ ଉପରେ ନିର୍ଭର କରୁଛନ୍ତି । ଫଳରେ ପରିବହନ ଖର୍ଚ୍ଚ ଅଧିକ ହେଉଥିବାରୁ ବିଭିନ୍ନ ସାମଗ୍ରୀ ବା ପଦାର୍ଥର ମୂଲ୍ୟ ଅଧିକ ରହିଛି । ପୁଣି କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି, ବାଦାମପାହାଡ଼ ସୁଲେଇପାଟ ଓ ଝାଡ଼ଖଣ୍ଡର ଚାଇଁବସା ଆଦି ସ୍ଥାନରୁ ଲୁହାପଥର ସଡ଼କ ପଥରେ ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଧାମରା, ହଳଦିଆ, ପାରାଦୀପ ପୋର୍ଟ ଅଞ୍ଚଳକୁ ଟ୍ରାନ୍ସପୋର୍ଟ ହେଉଥିବା କାରଣରୁ ଜାତୀୟ ରାଜପଥ ଜାମ ହେବା ସାଙ୍ଗକୁ ଦୁର୍ଘଟଣା ଆଦି ବୃଦ୍ଧି ପାଉଛି । ଏଣୁ ବାଙ୍ଗିରିପୋଷିଠାରେ ଏକ ସ୍ଥାନ ଚିହ୍ନଟ କରାଯାଇ ରେଲୱେ ଗୋଡ଼ାଉନର ବ୍ୟବସ୍ଥା କରାଗଲେ ମାଲ ପରିବହନ ସହଜ ହେବା ସାଙ୍ଗକୁ ଜିଲ୍ଲାରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ । ଏଥି ନିମନ୍ତେ ପିପିପି ମୋଡ଼ ଅଥବା ଡାଇରେକ୍ଟ ମୋଡ଼ରେ ହେଉ ରେଲୱେ ଗୋଡ଼ାଉନ ନିର୍ମାଣ କରାଇବାକୁ ପ୍ରସ୍ତାବ ଦେଇଥିଲେ ।

ଶେଷରେ ନୂତନ ରେଳପଥ ନୂତନ ନିର୍ମାଣ ହେବାକୁ ଯାଉଥିବା ବେଳେ ସେଥିରେ ମୟୂରଭଞ୍ଜ ଜିଲ୍ଲାର ଯୁବକଯୁବତୀମାନେ କିପରି ନିଯୁକ୍ତି ପାଇ ପାରିବେ ସେ ନେଇ ସାଂସଦ ଆଲୋଚନା କରିବା ସହିତ ଏକ ଦାବିପତ୍ର ଜିଏମଙ୍କୁ ଦେଇଥିଲେ । ଡ଼ିଆରଏମ ଓ ଜିଏମ ସାଂସଦ ଶ୍ରୀଟୁଡ଼ୁଙ୍କ ସମସ୍ତ ଦାବିଗୁଡ଼ିକ ଉପରେ ଗୁରୁତ୍ୱ ଦେବା ସହ ଏ ବିଷୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ ।

ସମ୍ବନ୍ଧିତ ଖବର