ବିଜେଡିରେ ମିଶି‌ଲେ ପୂର୍ବତନ ବିଧାୟକ ଓ ବହୁ ବରିଷ୍ଠ ନେତା

ଭୁବନେଶ୍ବର/ବାରିପଦା : ବିଜୁ ଯୁବ ଜନତା ଦଳ ସମ୍ପାଦକ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ବରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁତଳା, ଆଗଲପୁର ଓ ଲୋଇସିଂହା ବ୍ଲକର ବିଜେପି ଓ କଂଗ୍ରେସ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଅବସପ୍ରାପ୍ତ କର୍ମଚାରୀଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ବ କର୍ମୀ ଆଜି ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାର ବାରିପଦା, ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଓ ଯଶିପୁର ନିର୍ବାଚନ ମଣ୍ଡଳୀର ୨ ହଜାରରୁ ଊର୍ଧ୍ବ ନେତା, କର୍ମୀଙ୍କ ସମେତ ଓଡ଼ିଶା ମଜଦୁର କିଷାନ ପରିଷଦର ଶତାଧିକ କାର୍ଯ୍ୟକର୍ତା ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ପୂର୍ବତନ ବିଧାୟକ ଖେଳାରାମ ମାହାଲିଙ୍କ ସମେତ ଓଡିଶା କ୍ଷେତ ମଜଦୁର କିଶାନ ପରିଷଦର ଅଧ୍ୟକ୍ଷ ଗଦାଧର ମିଶ୍ରଙ୍କ ସହ ସଂଘର ଶତାଧିକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଏହାସହିତ ଉପରୋକ୍ତ ୫ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ୍‌ର ଜେଏମଏମ, କଂଗ୍ରେସ ଓ ବିଜେପିର ଅନେକ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ମଧ୍ୟ ବିଜେଡ଼ିରେ ଯୋଗଦେଇଥିଲେ। ଜିଲ୍ଲାରେ ସକ୍ରିୟ ୩ ପ୍ରମୁଖ ରାଜନୈତିକ ଦଳର ଅନେକ ପୂର୍ବତନ ବ୍ଲକ ସଭାପତି ତଥା ବ୍ଲକ୍‌ସ୍ତରୀୟ ନେତା ମଧ୍ୟ ବିଜେଡ଼ିରେ ସାମିଲ ହୋଇଥିଲେ।

ତେବେ ନିଜ ନିର୍ବାଚନମଣ୍ଡଳୀର ମିଶ୍ରଣ ପର୍ବ ହେଉଥିଲେ ମଧ୍ୟ କରଞ୍ଜିଆ ବିଧାୟକ ବିଜୟ ନାୟକ ଏବଂ ଉଦଳା ବିଧାୟକ ଗୋଲକ ନାୟକ ଅନୁପସ୍ଥିତ ଥିଲେ। ଅସୁସ୍ଥତା କାରଣରୁ ଗୋଲକ ଅନୁପସ୍ଥିତ ଥିବାବେଳେ ବିଜୟଙ୍କ ଅନୁପସ୍ଥିତି ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ବିଜେଡି ଜିଲ୍ଲା ସଭାପତି ପ୍ରବୀଣ ଭଞ୍ଜଦେଓଙ୍କୁ ମଧ୍ୟ ଏହି ମିଶ୍ରଣ ପର୍ବରେ ଦେଖିବାକୁ ମିଳିନଥିଲା।

ସମ୍ବନ୍ଧିତ ଖବର