ବିଶୋଇ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଆ କୁନି ଝିଅ ଶ୍ରେୟାଂସୀ ମହାନ୍ତ। ଘର ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଘାଗରାବେଡା ପଞ୍ଚାୟତ ବାଟିସାହି ଗାଁରେ। ୨ ବର୍ଷ ୭ ମାସର କୁନି ଝିଅ ଶ୍ରେୟାଂସୀ ଇଂରାଜୀ ବର୍ଣ୍ଣମାଳା ଏ’ରୁ ଜେଡ୍’ ଯାଏ ସ୍ପଷ୍ଟ ଉଚ୍ଚାରଣ କରିବା ସହିତ ବର୍ଣ୍ଣମାଳା ଆଧାରରେ ୧୨ଟି ଫଳ, ୧୦ଟି ପ୍ରାଣୀ, ୭ଟି ଖାଦ୍ୟ, ୮ଟି ରଙ୍ଗ, ସପ୍ତାହର ୫ ଦିନ ଏବଂ ଓଡ଼ିଆ ବର୍ଣ୍ଣମାଳାର ୧୦ଟି ଅକ୍ଷର ସ୍ପଷ୍ଟ ଭାବେ ଚିହ୍ନଟ କରି କହି ପାରୁଛନ୍ତି। ଯେଉଁଥି ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍-୨୦୨୨ ପ୍ରଶଂସା ଶୀର୍ଷକରେ ଶ୍ରେୟାଂସୀ ନିଜ ନାମ ଚୂଡାନ୍ତ କରିଛନ୍ତି।
ସୂଚନାଥାଉକି, ସୁବ୍ରତ ମହାନ୍ତ ଓ ତୃପ୍ତିଲତା ମହାନ୍ତଙ୍କ ଏକମାତ୍ର ଝିଅ ଶ୍ରେୟାଂସୀଙ୍କର ପ୍ରତିଭା ସଂକ୍ରାନ୍ତୀୟ ଭିଡିଓ ଜୁନ ୨୧ ତାରିଖରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍କୁ ପଠାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହେବା ପରେ ଶ୍ରେୟାଂସୀ ଚୂଡାନ୍ତ ପର୍ଯ୍ୟାୟରେ ମଧ୍ୟ ଯୋଗ୍ୟତା ଅର୍ଜନ କରି ସେଥିରେ ସଫଳତା ପାଇଥିଲେ। ଜୁନ ୨୩ ତାରିଖରେ ଇଣ୍ଡିଆ ବୁକ ଅଫ୍ ରେକର୍ଡସ୍ରେ ତାଙ୍କ ନାମ ଘୋଷଣା କରାଯାଇଥିଲା। ଆଗାମୀ ୨୦ ଦିନ ମଧ୍ୟରେ ଶ୍ରେୟାଂସୀଙ୍କୁ ମେଡାଲ୍, ପ୍ରମାଣପତ୍ର, ଇଣ୍ଡିଆ ବୁକ ଅଫ୍ ରେକର୍ଡର ପୁସ୍ତକ, ପରିଚୟପତ୍ର ଆଦି ପ୍ରଦାନ କରାଯିବ ବୋଲି ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ ପକ୍ଷରୁ ସୂଚନା ମିଳିଛି।
ଶ୍ରେୟାଂସୀଙ୍କ ବାପା ସୁବ୍ରତ ମହାନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ଇଣ୍ଡୋ ତିବତ୍ ବର୍ଡର ପୁଲିସ (ଆଇଟିବିପି)ର ପାରାମେଡିକାଲ ବିଭାଗରେ ନୂଆଦିଲ୍ଲୀଠାରେ କାର୍ଯ୍ୟରତ ଅଛନ୍ତି। ବାପା ମା’ଙ୍କ ସହିତ ଶ୍ରେୟାଂସୀ ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି। ଅଳ୍ପ ବୟସରେ ନୂଆ ଜିନିଷ ଶିଖିବାର ଆଗ୍ରହ ଓ ବିଚକ୍ଷଣ ସ୍ମୃତି ଶକ୍ତି ପାଇଁ ଶ୍ରେୟାଂସୀଙ୍କୁ ଏହି ଶ୍ରେୟ ମିଳିଛି। ଏତେ କମ୍ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍-୨୦୨୨ରେ ସ୍ଥାନ ପାଇ ଶ୍ରେୟାଂସୀ କେବଳ ମୟୂରଭଞ୍ଜ ନୁହେଁ, ସାରା ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି।