ବିନା ପ୍ରବେଶିକା ପରୀକ୍ଷାରେ ଏମ୍‌ବିଏ ନାମଲେଖା

୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଲାଗୁ

ଭୁବନେଶ୍ବର : ଏମ୍‌ବିଏ ଓ ପିଜିଡିଏମ୍‌ ପାଠ୍ୟକ୍ରମରେ ନାମ‌ଲେଖା ପାଇଁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଆବଶ୍ୟକତା ନାହିଁ। ବିନା ପ୍ରବେଶିକା ପରୀକ୍ଷା‌ରେ ସ୍ନାତକ(ୟୁଜି) ମାର୍କ ଆଧାରରେ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କ ନାମ ଲେଖାଇପାରିବେ। କାଉନସେଲିଂ ପାଇଁ ସିଟ୍‌ ଆଲ୍‌ଟମେଣ୍ଟ ବେଳେ ରାଜ୍ୟଗୁଡ଼ିକ ଏଦିଗରେ ପଦକ୍ଷେପ ନେଇପାରିବେ ବୋଲି ଅଲ୍‌ ଇଣ୍ଡିଆ କାଉନସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ କୁହାଯାଇଛି। ଏନେଇ ଏଆଇସିଟିଇ ସଦସ୍ୟ ସଚିବ ପ୍ରଫେସର ରାଜୀବ କୁମାର ଚିଠି ଲେଖିବା ପରେ ଓଡ଼ିଶା ସରକାର ମଧ୍ୟ ପଦକ୍ଷେପ ନେଇଛନ୍ତି। ଏମ୍‌ବିଏ ଓ ପିଜିଡିଏମ୍‌ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ସିଟ୍‌ରେ ନାମଲେଖା ପାଇଁ ଓଜେଇଇ ରୢାଙ୍କର ଆବଶ୍ୟକତା ନାହିଁ। ତେବେ କାଉନସେଲିଂ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ଓଜେଇଇ ରୢାଙ୍କ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦେବାକୁ ନିର୍ଦେଶ ଦିଆଯାଇଛି।

ଏଆଇସିଟିଇ ସଦସ୍ୟ ସଚିବ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପିଜିଡିଏମ୍‌ ଓ ଏମ୍‌ବିଏ ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀଙ୍କୁ ସିଏଟି, ଏକ୍ସଏଟି, ସିଏମ୍‌ଏଟି, ଏଟିଏମ୍‌ଏ, ଏମ୍‌ଏଟି, ଜିଏମ୍‌ଏଟି ସମେତ ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ। ତେବେ ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁଁ ଅଧିକାଂଶ ରାଜ୍ୟ ଉକ୍ତ ପରୀକ୍ଷା କରିପାରି ନାହାନ୍ତି। କେତେକ ରାଜ୍ୟ ପ୍ରବେଶିକା ପରୀକ୍ଷା କରିଥିବା ବେଳେ ଆଉ କିଛି ରାଜ୍ୟ ସ୍ଥଗିତ କିମ୍ବା ବାତିଲ୍‌ କରିଛନ୍ତି। ତେଣୁ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଆଇସିଟିଇ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ନିଷ୍ପତ୍ତି ନେଇଛି। ୟୁଜି ମାର୍କ ଆଧାରରେ ଶିକ୍ଷାନୁଷ୍ଠାଗୁଡ଼ିକ ପିଲାଙ୍କ ନାମଲେଖା କରାଇବେ ଏବଂ ସ୍ବଚ୍ଛତା ରଖିବେ। ‌ତେବେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଗ୍ରାଧିକାର ଭିତ୍ତିରେ ନାମଲେଖା ଲାଗି ସୁଯୋଗ ପ୍ରଦାନ କରିବେ। ୨୦୨୧-୨୨ ଶିକ୍ଷାବର୍ଷ ଲାଗି ଏହି କୋହଳ ବ୍ୟବସ୍ଥା ହୋଇଛି। ଆଗାମୀ ଶିକ୍ଷାବର୍ଷରେ ଏହାକୁ ଲାଗୁ କରାଯିବ ନାହିଁ।

ଏଭଳି ନିଷ୍ପତ୍ତିକୁ ଓଡ଼ିଶା ମ୍ୟାନେଜ୍‌ମେଣ୍ଟ କଲେଜ ଆସୋସିଏସନ(ଓମ୍‌କା) ପକ୍ଷରୁ ସ୍ବାଗତ କରାଯାଇଛି। ଓମ୍‌କା କାର୍ଯ୍ୟକାରୀ ସଭାପତି ସରୋଜ କୁମାର ସାହୁ କହିଛନ୍ତି ଯେ ବିଭିନ୍ନ କାରଣରୁ ଓଜେଇଇ ଓ ଏମ୍‌ଏଟି ପରି ଅନ୍ୟ ପ୍ରବେଶିକା ପରୀକ୍ଷା ଦେଇପାରି ନ ଥିବା ଛାତ୍ରଛାତ୍ରୀ ନିଜର ୟୁଜି ମାର୍କ ଆଧାରରେ ଏମ୍‌ବିଏ ପଢ଼ିପାରିବେ। ଓଜେଇଇ କାଉନସେଲିଂ ଶେଷ ହେବା ପରେ ଖାଲି ସିଟ୍‌ଗୁଡ଼ିକ ପୂରଣ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ୟୁଜି ମାର୍କକୁ ଭିତ୍ତି କରି ଏକ ମେଧାବର ତାଲିକା ପ୍ରସ୍ତୁତ କରି ଓଜେଇଇ କର୍ତୃପକ୍ଷଙ୍କ ନିକଟରେ ଦାଖଲ କରି ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ନେଇପାରିବେ। ଏଆଇସିଟିଇ ଓ ଓଜେଇଇର ଏଭଳି ସମୟ ଉପଯୋଗୀ ପଦକ୍ଷେପ ସ୍ବାଗତଯୋଗ୍ୟ।

ସମ୍ବନ୍ଧିତ ଖବର