ବିନା ଏଣ୍ଟ୍ରାନ୍ସରେ ଏମ୍‌ବିଏ ପଢ଼ିହେବ

ଭୁବନେଶ୍ବର: ବିନା ଏଣ୍ଟ୍ରାନ୍ସ(ପ୍ରବେଶିକା ପରୀକ୍ଷା)ରେ ‌ସ୍ନାତକ ଛାତ୍ରଛାତ୍ରୀ ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖାଇପାରିବେ। କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୨୦-୨୧ ଶିକ୍ଷାବର୍ଷ ଲାଗି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୧୯ରେ ଏଆଇସିଟିଇ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତି ଏବଂ ହାଇକୋର୍ଟଙ୍କ ରାୟ ଆଧାରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି। ସ୍ପଟ୍‌ ନାମଲେଖା ‌ବେଳେ ଏମ୍‌ବିଏ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ସ୍ନାତକ(ୟୁଜି) ମାର୍କ ଆଧାରରେ ନାମ ଲେଖାଇପାରିବେ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ‌କୋଭିଡ୍‌-୧୯ ପରିସ୍ଥିତି ଲାଗି ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଅନେକ ଛାତ୍ରଛାତ୍ରୀ ଏମ୍‌ବିଏ ପାଠ୍ୟକ୍ରମ ଲାଗି ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିପାରି ନାହାନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ଗୋଟିଏ ଶିକ୍ଷାବର୍ଷ ବରବାଦ ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ନାମଲେଖା ପ୍ରକ୍ରିୟା କୋହଳ କରିବାକୁ ଏଆଇସିଟିଇ ପକ୍ଷରୁ କୁହାଯାଇଥିଲା। ତେଣୁ ରାଜ୍ୟରେ ଥିବା ଏମ୍‌ବିଏ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କ ସ୍ନାତକ ମାର୍କ ଆଧାରରେ ସେମାନଙ୍କ ନାମ ଲେଖାଇପାରିବେ। ତେବେ ନାମଲେଖା ସମୟରେ ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନାମଲେଖା ଲାଗି ସୁଯୋଗ ଦେବାକୁ କୁହାଯାଇଛି। ଗତ ନଭେମ୍ବର ୨୬ରେ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିର କ୍ଲଜ୍‌-୩ ଆଧାରରେ ଏମ୍‌ବିଏ ଶିକ୍ଷାନୁଷ୍ଠାନ ପଦକ୍ଷେପ ନେବେ। ବିଜ୍ଞପ୍ତିରେ ଆଉ କୌଣସି କ୍ଲଜରେ ପରିବର୍ତ୍ତନ ହେବ ନାହିଁ। ଏହି ନିଷ୍ପତ୍ତି କେବଳ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଲାଗୁ ହେବ। ପରବର୍ତୀ ଶିକ୍ଷାବର୍ଷଗୁଡ଼ିକରେ ଏଭଳି କୋହଳ ହେବ ନାହିଁ। ଏନେଇ ବିଜ୍ଞାପନ ପ୍ରକାଶ କରିବା ଲାଗି ବୈଷୟିକ ଶିକ୍ଷା ଯୁଗ୍ମ ସଚିବ ଅଜୟ କୁମାର ନାୟକ ଆଜି ଓଜେଇଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ଓଡ଼ିଶା ମ୍ୟାନେଜ୍‌ମେଣ୍ଟ କଲେଜ ଆସୋସିଏସନର କାର୍ଯ୍ୟକାରୀ ସଭାପତି ଇଂ. ସରୋଜ କୁମାର ସାହୁ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। ଅନେକ ଆଶାୟୀ ଛାତ୍ରଛାତ୍ରୀ, ଯେଉଁମାନେ କି କରୋନା ସମୟରେ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହୋଇଥିଲେ, ସେମାନେ ସେମାନଙ୍କର ଗୋଟିଏ ଶିକ୍ଷାବର୍ଷ ନଷ୍ଟ ନ କରି ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

ସମ୍ବନ୍ଧିତ ଖବର