ଏମ୍‌ବିବିଏସ୍ ନାମଲେଖା ପ୍ରସଙ୍ଗ: ସଂଶୋଧିତ ମେଧା ତାଲିକା ହାଇକୋର୍ଟରେ ରଦ୍ଦ

ଅକ୍ଟୋବର ୧୮ ତାଲିକା ଅନୁସାରେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ କାଉନସେଲିଂ ହେବ

କଟକ : ଏମବିବିଏସ/ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଓଜେଇଇ ତରଫରୁ ୨୦୨୨, ଅକ୍ଟୋବର ୧୯ରେ ପ୍ରକାଶିତ ସଂଶୋଧିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଅକ୍ଟୋବର ୧୮ରେ ପ୍ରକାଶିତ ଚୂଡ଼ାନ୍ତ ମେଧା ତାଲିକା ଅନୁସାରେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ୨୦୨୨-୨୩ ବର୍ଷରେ ନାମଲେଖା ସୁଯୋଗ ଦେବାକୁ ଓଜେଇଇ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭମ୍ବେର ୪ରେ କାଉନସେଲିଂ ଶେଷ ହେଉଥିବା ବେଳେ ଆବେଦନକାରୀଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଷେକ ଭବାନୀ ପଣ୍ଡାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ୨୦୨୨, ସେପ୍ଟେମ୍ବର ୭ରେ ପ୍ରକାଶିତ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଓଜେଇଇ ପକ୍ଷରୁ ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ କରାଯାଇ ରାଜ୍ୟରେ ଥିବା ମେଡିକାଲ କଲେଜ ଗୁଡ଼ିକ‌ରେ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟାରେ ଅଂଶଗ୍ରହଣ ଲାଗି ପ୍ରାର୍ଥୀଙ୍କୁ ପଞ୍ଜୀକରଣ ପାଇଁ କୁହାଯାଇଥିଲା। କାଉନସେଲିଂ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଆବେଦନକାରୀ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିଥିଲେ। ଅକ୍ଟୋବର ୧୫ରେ ଓଜେଇଇ ପକ୍ଷରୁ ପ୍ରକାଶିତ ରାଜ୍ୟ ପ୍ରୋଭିଜନାଲ ମେଧା ତାଲିକାର ସାଧାରଣ/ଅସଂରକ୍ଷିତ ଦିବ୍ୟାଙ୍ଗ ବର୍ଗରେ ଆବେଦନକାରୀ ଷଷ୍ଠ ସ୍ଥାନରେ ରହିଥିବା ବେଳେ ୧୮ ତାରିଖ ଦିନ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ତାଙ୍କ ସ୍ଥାନ ପଞ୍ଚମ ରହିଥିଲା। ଅକ୍ଟୋବର ୧୯ରେ ଓଜେଇଇ ପକ୍ଷରୁ ଏକ ସଂଶୋଧିତ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରେ ସାଧାରଣ ଦିବ୍ୟାଙ୍ଗ ପ୍ରାର୍ଥୀ ବର୍ଗରେ ଆବେଦନକାରୀଙ୍କ ନାଁ ୩୩ତମ ସ୍ଥାନରେ ରହିଥିଲା। ଏସ୍‌ସିବି ମେଡିକାଲ କଲେଜରେ ୮ଟି ସିଟ୍ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଆବେଦନକାରୀଙ୍କ ପ୍ରଥମ ପସନ୍ଦ ଏସ୍‌ସିବି ଥିଲା। କିନ୍ତୁ, ସାନି ତାଲିକା ଯୋଗୁଁ ଏସ୍‌ସିବିରେ ନାମଲେଖାରୁ ସେ ବଞ୍ଚିତ ହୋଇଥିଲେ। କାଉନସେଲିଂରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲ କଲେଜରେ ନାମଲେଖା ସୁଯୋଗ ଦିଆଯାଇଥିଲା। ବିନା କାରଣରେ ଅକ୍ଟୋବର ୧୮ର ଚୂଡ଼ାନ୍ତ ମେଧା ତାଲିକା ପରିବର୍ତ୍ତନ କରି ସାନି ତାଲିକା ପ୍ରକାଶ କରିବା ଆଇନ ଅନୁସ‌ାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥି‌ଲେ।

ରାଜ୍ୟ ସରକାର, ଓଜେଇଇ, ଡିଏମ୍‌ଇଟି ପ୍ରମୁଖଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର