ଭୁବନେଶ୍ବର: ଓଡ଼ିଶାର ୧୬୫୦ ଏମ୍ବିବିଏସ୍ ଓ ୧୬୩ ବିଡିଏସ୍ ସିଟ୍ରେ ନାମଲେଖା କରାଯିବ। ୨୦୨୨-୨୩ ଶିକ୍ଷାବର୍ଷରେ ସୁନ୍ଦରଗଡ଼ ଓ କେନ୍ଦୁଝର ମେଡିକାଲ କଲେଜରେ ନାମଲେଖା ଲାଗି ଅନୁମତି ମିଳିବା ପରେ ସିଟ୍ ସଂଖ୍ୟା ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି। ୨୦୨୧-୨୨ ଶିକ୍ଷାବର୍ଷରେ ରାଜ୍ୟର ୧୪୫୦ ଏମ୍ବିବିଏସ୍ ସିଟ୍ରେ ନାମଲେଖା ହୋଇଥିବା ବେଳେ ଚଳିତବର୍ଷ ଆଉ ୨୦୦ ଯୋଡ଼ି ହୋଇଯାଇଛି। ୧୦ଟି ସରକାରୀ ଓ ଦୁଇଟି ଘରୋଇ ମେଡିକାଲ କଲେଜକୁ ମିଶାଇ ଚଳିତ ଶିକ୍ଷାବର୍ଷରେ ରାଜ୍ୟର ମୋଟ ୧୨ଟି ମେଡିକାଲ କଲେଜର ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ରେ ନାମଲେଖା ହେବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସର୍ବଭାରତୀୟ କୋଟା ବ୍ୟତୀତ ରାଜ୍ୟର ବାକି ସିଟ୍ଗୁଡ଼ିକ ପାଇଁ ଓଜେଇଇ କାଉନସେଲିଂ କରିବ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଚଳିତବର୍ଷ କଟକସ୍ଥିତ ଏସସିବି ଓ ବ୍ରହ୍ମପୁରସ୍ଥିତ ଏମକେସିଜିର ୨୫୦ ଲେଖାଏ ସିଟ୍ରେ ନାମଲେଖା ହେବ।
ବୁର୍ଲା ଭୀମସାର ୨୦୦, କୋରାପୁଟ ଓ ବାରିପଦା ମେଡିକାଲ କଲେଜର ୧୨୫ ଲେଖାଏ, ବଲାଙ୍ଗୀର, ବାଲେଶ୍ୱର ଓ ପୁରୀ ମେଡିକାଲ କଲେଜର ୧୦୦ ଲେଖାଏ ସିଟ୍ ପାଇଁ ନାମଲେଖା କରାଯିବ। ନୂଆକରି ପ୍ରତିଷ୍ଠା ହୋଇଥିବା ସୁନ୍ଦରଗଡ଼ ଓ କେନ୍ଦୁଝର ମେଡିକାଲ କଲେଜର ୧୦୦ ଲେଖାଏ ସିଟ୍ରେ ନାମଲେଖା ଲାଗି ଏବର୍ଷ ଅନୁମତି ମିଳିଛି। ଏହାବ୍ୟତୀତ ହାଇଟେକ୍ ଭୁବନେଶ୍ୱର ଓ ରାଉରକେଲାର ୧୦୦ ଲେଖାଏ ଏମ୍ବିବିଏସ୍ ସିଟ୍କୁ ମିଶାଇ ଏଥର ନାମାଲେଖା ହେବାକୁ ଯୋଜନା ହୋଇଛି। ସେହିପରି କଟକ ଏସ୍ସିବିର ୬୩ ଓ ହାଇଟେକ୍ ଭୁବନେଶ୍ବରର ଶହେ ବିଡିଏସ୍ ସିଟ୍ ଲାଗି ମଧ୍ୟ ନାମଲେଖା ହେବ। ସରକାରୀ ମେଡିକାଲ କଲେଜର ୮୫% ସିଟ୍ ପାଇଁ ଓଜେଇଇ କାଉନସେଲିଂ କରିବ। ତାରିଖ ସ୍ଥିର ହୋଇ ନ ଥିଲେ ମଧ୍ୟ ୩ ଦିନ ମଧ୍ୟରେ ଓଜେଇଇ ପକ୍ଷରୁ କାଉନସେଲିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଆଜି ପ୍ରକାଶ ପାଇଥିବା ଚୂଡ଼ାନ୍ତ ପର୍ଯ୍ୟାୟ ତାଲିକାରେ ୩ ହଜାର ୬୫୬ଜଣ ରହିଛନ୍ତି।