ଭୁବନେଶ୍ବର : ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ୍ ନାମଲେଖା ଶେଷ ହୋଇଛି। ୮ଟି ସରକାରୀ ସମେତ ଦୁଇଟି ମେଡିକାଲ କଲେଜର ୧୪୬୬ଟି ସିଟ୍ ଲାଗି ଓଜେଇଇ କାଉନସେଲିଂ କରୁଛି। ପ୍ରଥମ ପର୍ଯ୍ୟାୟରେ ୧୪୦୧ ସିଟ୍ ଆଲଟ୍ମେଣ୍ଟ ହୋଇଥିଲା। ସେଥିମଧ୍ୟରୁ ୧୧୩୯ ଜଣ ନାମ ଲେଖାଇଛନ୍ତି। ଏମ୍ବିବିଏସ୍ର ୧୩୧୨ ସିଟ୍ ମଧ୍ୟରୁ ୧୦୯୨ ଓ ବିଡିଏସ୍ର ୧୫୪ ସିଟ୍ ମଧ୍ୟରୁ ୪୭ଟିରେ ପ୍ରୋଭିଜନାଲ ନାମଲେଖା ସରିଛି। କୌଣସି ବି ମେଡିକାଲ କଲେଜର ସମସ୍ତ ସିଟ୍ରେ ନାମଲେଖା ହୋଇ ନାହିଁ। ଏମିତିକି ଯେଉଁ ପିଲାମାନଙ୍କୁ ସିଟ୍ ଆଲଟ୍ ହୋଇଥିଲା ସେମାନଙ୍କ ମଧ୍ୟରୁ କିଛି ଅନୁପସ୍ଥିତ ରହିଥିବା ଜଣାପଡ଼ିଛି।
ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସର୍ବାଧିକ ୧୯୫ ଜଣ ନାମ ଲେଖାଇଛନ୍ତି। ଭିମ୍ସାର, ବୁର୍ଲା ଓ କଟକ ଏସ୍ସିବିର ୧୫୭ଟି ଲେଖାଏ ସିଟ୍ରେ ପ୍ରୋଭିଜନାଲ ନାମଲେଖା ହୋଇଛି। ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜର ୧୫୦ରୁ ୯୯ଟି ସିଟ୍ରେ ପ୍ରୋଭିଜନାଲ ନାମଲେଖା ସରିଛି। ରାଉରକେଲା ହାଇଟେକ୍ର ୧୦୦ରୁ ୪୩ଟି ନାମଲେଖା ହୋଇଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ଚୂଡ଼ାନ୍ତ ନାମଲେଖା ବେଳକୁ କିଛିଟା ପରିବର୍ତନ ହେବ। ନିମ୍ନ କଲେଜରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଉପର କଲେଜକୁ ଉନ୍ନୀତ ହେବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି। ୧୬ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଦ୍ବିତୀୟ ପର୍ଯ୍ୟାୟ ପଞ୍ଜୀକରଣ, ଅନ୍ଲାଇନ୍ ଆବେଦନ ଏବଂ ଅନ୍ଲାଇନ୍ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପ୍ଲୋଡ୍ କରିପାରିବେ। ଚଳିତ ବର୍ଷ ମୋଟ ୧୪୬୬ ସିଟ୍ ପାଇଁ ନାମଲେଖା ହେଉଛି। ସେଥିମଧ୍ୟରୁ ଏମ୍ବିବିଏସ୍ରେ ୧୩୧୨ ଓ ବିଡିଏସ୍ରେ ୧୫୪ ସିଟ୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/mbbs.jpg)