୨୮ରୁ ଆନ୍ଦୋଳନକୁ ଓହ୍ଲାଇବେ ଏମ୍‌ବିକେ ଓ ସିଆରସି

ଭୁବନେଶ୍ବର : ଓଡ଼ିଶା ଜୀବିକା ମିସନରେ କାର୍ଯ୍ୟ କରୁଥିବା ଏମ୍‌ବିକେ(ମାଷ୍ଟର ବୁକ୍‌ କିପର) ଓ ସିଆରପି(କମ୍ୟୁନିଟି ରିସୋର୍ସ ପର୍ସନ୍ସ)ମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି। ଆସନ୍ତା ୨୮ ତାରିଖଠାରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଏମ୍‌ବିକେ ଓ ସିଆରପି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଘ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଏମ୍‌ବିକେ ଓ ସିଆରପିମାନେ ୨୦୦୯ରୁ ପଞ୍ଚାୟତସ୍ତରରେ ଓଡ଼ିଶା ଜୀବିକା ମିସନରେ କାର୍ଯ୍ୟ କରୁଛନ୍ତି। ଗ୍ରାମାଞ୍ଚଳରେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିବାରେ ସହଯୋଗ କରୁଛନ୍ତି। ଗ୍ରାମାଞ୍ଚଳର ମହିଳାମାନେ ଆର୍ଥିକସ୍ତରରେ କିଭଳି ସୁଦୃଢ଼ ହୋଇପାରିବେ, ୧୮ରୁ ୩୫ ବର୍ଷ ବୟସର ବେକାର ଯୁବକ ଯୁବତୀ କିପରି ତାଲିମ ଗ୍ରହଣ କରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ମହିଳାମାନଙ୍କୁ ଋଣ ପ୍ରଦାନରେ ସାହାର୍ଯ୍ୟ, ଋଣ ଫେରସ୍ତ, ବୀମା ଓ ବ୍ୟାଙ୍କରୁ ମହିଳାମାନେ ଋଣ ନେଇ କିଭଳି ଆର୍ଥିକ ଉନ୍ନତି କରିପାରିବେ ସେଦିଗରେ ଏମ୍‌ବିକେ ଓ ସିଆରପିମାନେ କାର୍ଯ୍ୟ କରୁଛନ୍ତି।

ଏତେ ସବୁ କାର୍ଯ୍ୟ ପରେ ବି ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁ ନାହିଁ। ଏମ୍‌ବିକେମାନଙ୍କୁ ମାସିକ ୩ ହଜାର ଓ ସିଆରପିଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯାଉଛି। ଯାହାକି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଅଣକୁଶଳୀ ଶ୍ରମିକଙ୍କ ପାରିଶ୍ରମିକଠାରୁ ବହୁତ କମ୍‌। ଦରମା ବୃଦ୍ଧି ପାଇଁ ସଂଘ ପକ୍ଷରୁ ଓଡ଼ିଶା ଜୀବିକା ମିସନର ନିର୍ଦେଶକ, ସଚିବ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଯାଇଛି। ଦାବିପତ୍ର ଦିଆଯାଇଛି। ତଥାପି ଦାବି ପୂରଣ ହେଉ ନାହିଁ। ‌ମିସନ ଶକ୍ତି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ହେଲେ ପଞ୍ଚାୟତସ୍ତରରେ ମହିଳାମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଯେଉଁ ଜୀବିକା ମିସନ କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ଅଣଦେଖା କରାଯାଉଛି। ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ନ ହେଲେ ଏମ୍‌ବିକେ ଓ ସିଆରପିମାନେ ୨୮ ତାରିଖରୁ ରାଜରାସ୍ତାକୁ ଓହ୍ଲାଇବେ। ଏଥର ଯେଉଁ ଆନ୍ଦୋଳନ ହେବ ତାହାର ପରିଣତି ଭୟାଙ୍କର ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର